ଶ୍ରୀଲଙ୍କାକୁ କାଙ୍ଗାଳ କରିଦେଲେ ରାଜପକ୍ଷେ ପରିବାର

କଲମ୍ବୋ (ଏଜେନ୍ସି): ଶ୍ରୀଲଙ୍କାରେ ବେଶ୍ କିଛି ମାସ ଧରି ଜାରି ଅର୍ଥନୈତିକ ସଂକଟ ଜାରି ରହିଛି । ବିଦେଶୀ ମୁଦ୍ରା ଭଣ୍ଡାର ଶେଷ ହୋଇଯିବା କାରଣରୁ ଶ୍ରୀଲଙ୍କାର ସ୍ଥିତି ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ଅନ୍ତର୍ଜାତୀୟ ସ୍ତରରୁ ସବୁ ପ୍ରକାର ସାହାଯ୍ୟ, ସହଯୋଗ ମିଳିବା ସତ୍ତ୍ୱେ ଶ୍ରୀଲଙ୍କାର ସ୍ଥିତିରେ କୌଣସି ସୁଧାର ଆସିପାରିନାହିଁ । ଯାହାକୁ ନେଇ ଶ୍ରୀଲଙ୍କାବାସୀ ଉଗ୍ରମୂଖା ହୋଇପଡିଛନ୍ତି । ରାଜରାସ୍ତାକୁ ଓହ୍ଲାଇଥିବା ପ୍ରତିବାଦକାରୀ ଏବେ ସିଧାସଳଖ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଘେରାଉ କରିବା ସହ କବ୍ଜା କରିନେଇଛନ୍ତି । ଅନ୍ୟପଟେ ଜୀବନ ବିକଳରେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଖସି ପଳାଇଛନ୍ତି । କିଛି ଦିନ ପୂର୍ବରୁ ଶ୍ରୀଲଙ୍କାର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଗୋଟବାୟାଙ୍କ ବଡ଼ଭାଇ ମହିନ୍ଦା ରାଜପକ୍ଷେ ମଧ୍ୟ ନିଜ ପରିବାର ସହ ପଳାୟନ କରିଥିଲେ ।
ତେବେ ଏଠାରେ ଅନେକ ପ୍ରଶ୍ନ ଉଠିଛି । ଶ୍ରୀଲଙ୍କାର ଏପ୍ରକାର ସ୍ଥିତି ପାଇଁ କିଏ ଦାୟୀ? କାହିଁକି ଦେଶବାସୀଙ୍କ ମଧ୍ୟରେ ରାଜପାକ୍ସେ ପରିବାର ପ୍ରତି ଏତେ ଆକ୍ରୋଶ? ରାଜପକ୍ଷେ ପରିବାର ଆଜି ଶ୍ରୀଲଙ୍କା ନାଗରିକଙ୍କ ଆଖିରେ କାହିଁକି ଲୁଟେରା ସାଜିଛନ୍ତି? ଆଗାମୀ ଦିନରେ କ’ଣ ଆଉ କେବେ ରାଜପକ୍ଷେ ପରିବାର କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିପାରିବ?
ଶ୍ରୀଲଙ୍କା ପତନର କେତେକ ପ୍ରମୁଖ କାରଣ
ରାଜପକ୍ଷେ ପରିବାର ହାତରେ ଥିଲା ପୂରା ଦେଶର ଅର୍ଥନୀତି
ଗତ ଏପ୍ରିଲ ପର୍ଯ୍ୟନ୍ତ ଶ୍ରୀଲଙ୍କା ସରକାରରେ ରାଜପକ୍ଷେ ପରିବାରର ୫ ସଦସ୍ୟ ପ୍ରମୁଖ ପଦ ପଦବୀରେ ଅଧିଷ୍ଠିତ ରହିଥିଲେ । ଏମାନଙ୍କ ମଧ୍ୟରେ ରାଷ୍ଟ୍ରପତି ପଦରେ ଗୋଟବାୟା, ପ୍ରଧାନମନ୍ତ୍ରୀ ପଦରେ ମହିନ୍ଦା (ଗୋଟାବାୟାଙ୍କ ବଡ଼ ଭାଇ), ଅର୍ଥମନ୍ତ୍ରୀ ପଦରେ ବାସିଲ୍ (ମହିନ୍ଦାଙ୍କ ଅନ୍ୟତମ ଭାଇ), ସିଞ୍ଚନ ମନ୍ତ୍ରୀ ପଦରେ ଚାମଲ (ମହିନ୍ଦାଙ୍କ ବଡ଼ ଭାଇ) ଏବଂ କ୍ରୀଡ଼ା ମନ୍ତ୍ରୀ ପଦରେ ନାମଲ (ମହିନ୍ଦାଙ୍କ ବଡ଼ପୁଅ) ପ୍ରମୁଖ ରହିଥିଲେ । ତେବେ ଏସମସ୍ତଙ୍କ ବିରୋଧରେ ହଜାର ହଜାର କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ରହିଛି । ବାସ୍ତବରେ ଏହି ମାନଙ୍କ ଶାସନ କାଳରେ ଶ୍ରୀଲଙ୍କାର ସ୍ଥିତି ବିଗିଡ଼ିବା ଆରମ୍ଭ ହୋଇଥିଲା । ଏହାକୁ ନେଇ ଦେଶବାସୀ ତୀବ୍ର ବିରୋଧ କରିବାରୁ ବର୍ତ୍ତମାନ ସୁଦ୍ଧା କେବଳ ଗୋଟାବାୟାଙ୍କୁ ବାଦ୍ ଦେଲେ ବାକି ୪ ସଦସ୍ୟ ନିଜ ନିଜ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ । ଶନିବାର ଦିନ ଦେଶବାସୀଙ୍କ ଆକ୍ରୋଶକୁୂ ଦେଖି ଗୋଟାବାୟା ମଧ୍ୟ ଫେରାର ହୋଇଯାଇଛନ୍ତି । ଏଥିସହ ଶ୍ରୀଲଙ୍କା ଉପରେ ରାଜପକ୍ଷେ ପରିବାରର ଯେଉଁ କ୍ଷମତା ରୂପୀ ଶିକୂଳୀ ଥିଲା ତାହା ହଟିଯାଇଛି । ଶ୍ରୀଲଙ୍କା ଏବେ ରାଜପକ୍ଷେ ପରିବାରର ବେଢ଼ିରୁ ମୁକ୍ତ ହୋଇଯାଇଛି ।
ଅତ୍ୟଧିକ ଋଣ, ଦୁର୍ନୀତି
ଗୋଟିଏ ପଟେ ବିଦେଶୀ ମୁଦ୍ରା ଭଣ୍ଡାର ଖାଲି ହୋଇଯିବା ଏବଂ ଅନ୍ୟପକ୍ଷେ ଶ୍ରୀଲଙ୍କା ଉପରେ ଋଣ ଚାପ ବଢ଼ି ବଢ଼ି ଚାଲିବା ଆଜିର ଏପ୍ରକାର ସ୍ଥିତି ପାଇଁ ଦାୟୀ । ବିଶେଷକରି ଅତ୍ୟଧିକ ଋଣ ଶ୍ରୀଲଙ୍କାକୁ ଏପରି ସ୍ଥିତିକୁ ଠେଲିଦେଇଛି । ଏସବୁ ଋଣ ମହିନ୍ଦା ରାଜପାକ୍ସେ ଶ୍ରୀଲଙ୍କାର ରାଷ୍ଟ୍ରପତି ଥିବା ସମୟରୁ ହିଁ ଆରମ୍ଭ ହୋଇଥିଲା । ୨ଠଠ୫-୨ଠ୧୫ ପର୍ଯ୍ୟନ୍ତ ରାଷ୍ଟ୍ରପତି ଥିବା ମହିନ୍ଦା ରାଜପାକ୍ସେ, ୨ଠ୧ଠ ପର ଠାରୁ ବିଶ୍ୱର ପ୍ରାୟ ସବୁ ଦେଶ ଏବଂ ସବୁ ଅର୍ଥନୈତିକ ସଂଗଠନ ଠାରୁ ଶ୍ରୀଲଙ୍କାର ବିକାଶ ଆଳରେ ବିପୁଳ ପରିମାଣର ଋଣ ଆଣିବା ଆରମ୍ଭ କରିଥିଲେ । କିନ୍ତୁ ଏସବୁ ଅର୍ଥକୁ ସଠିକ୍ ବିନିଯୋଗ କରିବା ବଦଳରେ ସେ ହେରଫେର୍ କରିଥିଲେ । ଏକଦା ଶ୍ରୀଲଙ୍କାର ନ୍ୟାସନାଲ ବଜେଟ୍ର ୭ଠ% ଉପରେ ଏହି ରାଜପକ୍ଷେ ପରିବାରର ସିଧାସଳଖ ନିୟନ୍ତ୍ରଣ ରହିଥିଲା । ଏହି ସମୟରେ ରାଜପକ୍ଷେ ପରିବାର ବିରୋଧରେ ୫.୩୧ ଆରବ ଡ଼ଲାର ଅର୍ଥାତ୍ ୪୨ ହଜାର କୋଟି ଟଙ୍କା ଅବୈଧ ବା ବେଆଇନ୍ ଭାବେ ଦେଶ ବାହାରକୁ ନେଇଯିବା ଭଳି ଏକ ସଂଗୀନ ଅଭିଯୋଗ ମଧ୍ୟ ହୋଇଥିଲା ।
ଚୀନ୍, ଭାରତ, ଜାପାନ୍ ଭଳି ଦେଶ ଠାରୁ କରିଥିବା ଋଣକୁ ଶ୍ରୀଲଙ୍କା ସରକାର ଶୁଝିବାରେ ବିଫଳ ହୋଇଥିଲା । ଗୋଟିଏ ପଟେ ଋଣ ଶୁଝିପାରୁନଥିବା ବେଳେ ଅନ୍ୟ ପଟେ ମହିନ୍ଦାଙ୍କ ସରକାର ଅନ୍ୟ ଦେଶ ପାଖରୁ ଋଣ କରିଚାଲିଥିଲେ । ବିଶ୍ୱ ବ୍ୟାଙ୍କ୍, ଆଇଏମ୍ଏଫ୍ ଏସିଆନ୍ ଡେଭଲପ୍ମେଣ୍ଟ ବ୍ୟାଙ୍କ୍ ଭଳି ଅନେକ ଅନ୍ତର୍ଜାତୀୟ ଆର୍ଥିକ ସଂସ୍ଥାରୁ ମଧ୍ୟ ତାଙ୍କ ସରକାର ବିପୁଳ ପରିମାଣର ଋଣ କରିଥିଲା । ଏପ୍ରକାର ନୀତି ହିଁ ଶ୍ରୀଲଙ୍କାର ପତନର ଆରମ୍ଭ ବୋଲି ବିବେଚନା କରାଯାଏ । ସ୍ଥିତି ଏବେ ଏପରି ହୋଇଛି ଯେ, ଶ୍ରୀଲଙ୍କାର ମହଙ୍ଗା ହାର ୩୯% ଛୁଇଁଛି । ସେହିପର ଏକ ଡଲାର ତୁଳନାରେ ଶ୍ରୀଲଙ୍କା ମୁଦ୍ରା ମୂଲ୍ୟ ଏବେ ପ୍ରାୟ ୩୬୨ ଟଙ୍କା ଏବଂ ଭାରତୀୟ ମୁଦ୍ରା ଅନୁସାରେ ଶ୍ରୀଲଙ୍କା ମୁଦ୍ରା ମୂଲ୍ୟ ୪.୫୮ଟଙ୍କା ହୋଇଯାଇଛି ।
ନୀତିଗତ ଭୁଲ୍ ନିଷ୍ପତ୍ତି
ଏସବୁ ସହ ଶ୍ରୀଲଙ୍କା ସରକାରଙ୍କ ନୀତିଗତ ଭୁଲ୍ ନିଷ୍ପତ୍ତି ଯୋଗୁ ମଧ୍ୟ ଦେଶର ସ୍ଥିତି ଏପରି ହୋଇଥିବା କୁହାଯାଉଛି । ଟିକସ ହ୍ରାସ ତଥା ଛାଡ କରିବା ଭଳି ଏକ ମସ୍ତବଡ଼ ଭୁଲ୍ ନିଷ୍ପତ୍ତି ନେଇଥିଲେ ତକ୍ରାଳୀନ ରାଷ୍ଟ୍ରପତି ମହିନ୍ଦା ରାଜପକ୍ଷେ । ତାଙ୍କ ଭାଇ ଗୋଟାବାୟା ମଧ୍ୟ ରାଷ୍ଟ୍ରପତି ହେବା ପରେ ଏହି ପ୍ରକ୍ରିୟାକୁ ଜାରି ରଖିଥିଲେ । ଏତଦ୍ବ୍ୟତୀତ ଶ୍ରୀଲଙ୍କା ଏକ ପ୍ରାକୃତିକ ସମ୍ପଦ ଭରପୁର ଦେଶ ହୋଇଥିଲେ ମଧ୍ୟ ରାଜପକ୍ଷେ ସରକାର ଦେଶର ପର୍ଯ୍ୟଟନ ଦିଗ ପ୍ରତି ଆଦୌ ଦୃଷ୍ଟି ଦେଇନଥିଲେ । ଫଳରେ ପର୍ଯ୍ୟଟନରୁ ମିଳୁଥିବା ରାଜସ୍ୱ ମଧ୍ୟ ମିଳିବା ଅନେକ ପରିମାଣ ପର୍ଯ୍ୟନ୍ତ ହ୍ରାସ ପାଇଥିଲା । କୃଷି କ୍ଷେତ୍ରରେ କେମିକାଲ (ରସାୟନ ସାର) ପ୍ରୟୋଗକୁ ବନ୍ଦ କରିବା ନିଷ୍ପତ୍ତି ନେବା ମଧ୍ୟ ରାଜପକ୍ଷେ ସରକାରଙ୍କ ଆଉ ଏକ ମସ୍ତବଡ଼ ଭୁଲ୍ ଥିଲା । କେବଳ ଜୈବିକ ସାରରେ ଚାଷ କାର୍ଯ୍ୟ କରିବାକୁ ନିଦେ୍ର୍ଦଶ ଜାରି କରିବା ଦ୍ୱାରା ଦେଶର ଫସଲ ଅମଳ ପରିମାଣ ଅନେକ ପରିମାଣ ପର୍ଯ୍ୟନ୍ତ ହ୍ରାସ ପାଇଥିଲା । ଯେଉଁଥିପାଇଁ ଶ୍ରୀଲଙ୍କାକୁ ଆବଶ୍ୟକ ଖାଦ୍ୟ ସାମଗ୍ରୀ ଅନ୍ୟ ଦେଶରୁ ଆମଦାନୀ କରିବାକୁ ପଡୁଥିଲା । ଏହି କାରଣରୁ ଦେଶରେ ଖାଦ୍ୟ ସାମଗ୍ରୀ ମୂଲ୍ୟ ଆକାଶ ଛୁଆଁ ହୋଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *