ଭାରତ ମୁଠାରେ ଟି-୨୦ ଶୃଙ୍ଖଳା

ବର୍ମିଂହାମ୍, ୯ା୭ (ଏଜେନ୍ସି): ବୋଲର୍ଙ୍କ ପ୍ରଭାବଶାଳୀ ପ୍ରଦର୍ଶନ ବଳରେ ଟିମ୍ ଇଣ୍ଡିଆ ଶନିବାର ଦ୍ୱିତୀୟ ଟି-୨୦ରେ ଇଂଲଣ୍ଡକୁ ୪୯ ରନ୍ରେ ମାତ୍ ଦେଇଛି । ଏଥି ସହିତ ଭାରତ ତିନି ମ୍ୟାଚ୍ ବିିଶିଷ୍ଟ ଶୃଙ୍ଖଳାରେ ୨-୦ରେ ଅପରାଜେୟ ଅଗ୍ରଣୀ ହାସଲ କରିଛି । ଭୁବନେଶ୍ୱର କୁମାର ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି ।
ରୋହିତ ଶର୍ମାଙ୍କ ନେତୃତ୍ୱରେ ଟି-୨୦ କ୍ରିକେଟ୍ରେ ଭାରତର ଏହା କ୍ରମାଗତ ୧୪ତମ ବିଜୟ । ଏହା ଏକ ବିଶ୍ୱ କୀର୍ତ୍ତିମାନ । ଇଂଲଣ୍ଡ ଟିମ୍ କ୍ରମାଗତ ଦ୍ୱିତୀୟ ମ୍ୟାଚ୍ରେ ଧାର୍ଯ୍ୟ ଓଭର୍ ପୂର୍ବରୁ ଅଲ୍ଆଉଟ୍ ହୋଇଯାଇଥିଲା । ୧୭୧ ରନ୍ର ଟାର୍ଗେଟ୍ ନେଇ ଖେଳିଥିବା ଆୟୋଜକ ଟିମ୍ ୧୨୧ ରନ୍ରେ ସୀମିତ ରହିଥିଲା ।
ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆୟୋଜକ ଟିମ୍ରେ ଦୁଇଟି ପରିବର୍ତ୍ତନ ହୋଇଥିଲା । ଡେଭିଡ୍ ୱିଲୀଙ୍କୁ ଟିମ୍ରେ ସାମିଲ୍ କରାଯାଇଥିବା ବେଳେ ଦ୍ରୁତ ବୋଲର୍ ରିଚାର୍ଡ ଗ୍ଲୀସନ୍ ୩୪ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ଭାରତୀୟ ଟିମ୍ରେ ଚାରି ପରିବର୍ତ୍ତନ କରାଯାଇଛି । ବିରାଟ କୋହଲି, ରିଷଭ ପନ୍ତ, ରବୀନ୍ଦ୍ର ଜାଡ଼େଜା ଓ ଯଶପ୍ରୀତ ବୁମ୍ରା ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଅର୍ଶଦୀପ ସିଂହ, ଦୀପକ ହୁଡ଼ା, ଅକ୍ଷର ପଟେଲ୍ ଓ ଈଶାନ କିଶନ୍ଙ୍କୁ ବାଦ୍ ଦିଆଯାଇଛି ।
ଟିମ୍ ଇଣ୍ଡିଆରେ ପ୍ରଥମ ଥର ରୋହିତ ଶର୍ମା ଓ ରିଷଭ ପନ୍ତ ଓପନିଂ କରିଥିଲେ । ଉଭୟ ପ୍ରଥମ ୱିକେଟ୍ ପାଇଁ ୨୯ ବଲ୍ରୁ ୪୯ ରନ୍ ଯୋଗ କରିଥିଲେ । ରୋହିତ ୩୧ ରନ୍ କରି ନବାଗତ ଗ୍ଲୀସନଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ପରବର୍ତ୍ତୀ ବ୍ୟାଟର୍ ବିରାଟ କୋହଲି ଟି-୨୦ରେ ବି ନିରାଶ କରିଥିଲେ । ମାତ୍ର ୧ ରନ୍ କରି ଗ୍ଲୀସନଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଏହି ପେସର୍ ତାଙ୍କ ପରବର୍ତ୍ତୀ ବଲ୍ରେ ପନ୍ତ (୨୬)ଙ୍କୁ ଆଉଟ୍ କରି ତୃତୀୟ ସଫଳତା ପାଇଥିଲେ । ସପ୍ତମ ଓଭର୍ ଚାଲିଥିବା ବେଳେ ଟିମ୍ ୬୧ ରନ୍ରେ ୩ ୱିକେଟ୍ ହରାଇଥିଲା ।
ଏହାପରେ ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ଚତୁର୍ଥ ୱିକେଟ୍ ପାଇଁ ୨୮ ରନ୍ ଯୋଗ କରିଥିଲେ । ସୂର୍ଯ୍ୟକୁମାର (୧୫) ଓ ହାର୍ଦ୍ଦିକ (୧୨) ମଧ୍ୟ କ୍ରମାଗତ ଦୁଇଟି ବଲ୍ରେ ଆଉଟ୍ ହୋଇଥିଲେ । କ୍ରିସ୍ ଜୋର୍ଡାନ୍ ଏହି ଦୁଇ ୱିକେଟ୍ ନେଇଥିଲେ । ୮୯ ରନ୍ରେ ଅଧା ଟିମ୍ ପାଭିଲିଅନ୍ ଫେରିଥିଲା ।
ରବୀନ୍ଦ୍ର ଜାଡ଼େଜା ଓ ଦିନେଶ କାର୍ତ୍ତିକ ଷଷ୍ଠ ୱିକେଟ୍ ପାଇଁ ୩୨ ରନ୍ ଯୋଗ କରି ସ୍ଥିତିରେ କିଛିଟା ସୁଧାର ଆଣିଥିଲେ । କାର୍ତ୍ତିକ ବ୍ୟକ୍ତିଗତ ୧୨ ରନ୍ରେ ଦୁର୍ଭାଗ୍ୟଜନକ ଭାବେ ରନ୍ଆଉଟ୍ ହୋଇଥିଲେ । ନୂଆ ବ୍ୟାଟର୍ ହର୍ଷଲ ପଟେଲ୍ ୧୩ ରନ୍ କରି ଜୋର୍ଡାନ୍ଙ୍କ ତୃତୀୟ ଶିକାର ହୋଇଥିଲେ ।
ଅନ୍ୟପଟେ, ଜାଡ଼େଜା ଦୃଢ଼ତାର ସହ ଖେଳୁଥିଲେ । ୧୦୭ ବଲ୍ରେ ସ୍କୋର୍ ୧୫୦ରେ ପହଞ୍ଚିଥିଲା । ଏହାପରେ ବ୍ୟାଟିଂ କରିଥିବା ଆସିଥିବା ଭୁବନେଶ୍ୱର କୁମାର ୨ ରନ୍ କରି ଆଉଟ୍ ହୋଇଥିଲେ । ଏହି ୱିକେଟ୍ ବି ଜୋର୍ଡାନ୍ଙ୍କ ଖାତାକୁ ଯାଇଥିଲା । ଭାରତୀୟ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୮ ୱିକେଟ୍ ହରାଇ ୧୭୦ ରନ୍ ସଂଗ୍ରହ କରିଥିଲା । ଜାଡ଼େଜା ୨୯ ବଲ୍ରୁ ୫ ଚୌକା ସହାୟତାରେ ୪୬ ଓ ଯଶପ୍ରୀତ ବୁମ୍ରା କୌଣସି ସ୍କୋର୍ ନ କରି ଅପରାଜିତ ଥିଲେ । ଇଂଲଣ୍ଡ ପକ୍ଷରୁ ଜୋର୍ଡାନ ୨୭ ରନ୍ ଦେଇ ୪ ୱିକେଟ୍ ନେଇଥିବା ବେଳେ ଗ୍ଲୀସନ୍ ୧୫ ରନ୍ ଦେଇ ୩ ୱିକେଟ୍ ନେଇଥିଲେ ।
୧୭୧ ରନ୍ର ବିଜୟଲକ୍ଷ୍ୟ ନେଇ ଖେଳିଥିବା ଇଂଲଣ୍ଡ ଟିମ୍ ପ୍ରଥମ ବଲ୍ରେ ବିନା ସ୍କୋର୍ରେ ୱିକେଟ୍ ହରାଇଥିଲା । ଜାସନ ରୟ (୦)ଙ୍କୁ ଭୁବନେଶ୍ୱର ପାଭିଲିଅନ୍ ପଠାଇଥିଲେ । ଅନ୍ୟତମ ଓପନର୍ ତଥା ଅଧିନାୟକ ଜୋସ୍ ବଟ୍ଲର୍ (୪) ବି ଭୁବିଙ୍କ ଆକ୍ରମଣରୁ ବର୍ତ୍ତି ନ ଥିଲେ । ୧୧ ରନ୍ରେ ଦ୍ୱିତୀୟ ୱିକେଟ୍ ପଡ଼ିଥିଲା । ଏହାପରେ ଡେଭିଡ୍ ମଲାନ୍ ଓ ଲିଆମ୍ ଲିଭିଙ୍ଗ୍ଷ୍ଟୋନ୍ ସ୍ଥିତି ସମ୍ଭାଳିବାକୁ ପ୍ରୟାସ କରୁଥିବା ବେଳେ ବୁମ୍ରା ସେମାନଙ୍କ ପ୍ରୟାସରେ ଯବନିକା ଟାଣିଥିଲେ । ଲିଭିଙ୍ଗ୍ଷ୍ଟୋନ୍ ୧୫ ରନ୍ର ଇନିଂସ୍ ଖେଳିଥିଲେ ।
୨୭ ରନ୍ରେ ୩ ୱିକେଟ୍ ପଡ଼ିବା ସହ ରନ୍ରେଟ୍ ବି ଧୀମା ଥିଲା । ପାୱାରପ୍ଲେ ସୁଦ୍ଧା ସ୍କୋର୍ ହୋଇଥିଲା ୩୬/୩ । ମଲାନ୍ଙ୍କ ଯୋଡ଼ିଦାର ହାରୀ ବ୍ରୁକ୍ (୮) ଯୁଜବେନ୍ଦ୍ର ଚହଲଙ୍କ ସ୍ପିନ୍ଜାଲରେ ଛନ୍ଦି ହୋଇ ୱିକେଟ୍ ହରାଇଥିଲେ । ଟିମ୍ର ସ୍କୋର୍ ୫୫ ହୋଇଥିବା ବେଳେ ମଲାନ୍ (୧୯)ଙ୍କୁ ଆଉଟ୍ କରି ଚହଲ ଦ୍ୱିତୀୟ ସଫଳତା ହାସଲ କରିଥିଲେ ।
ଇଂଲଣ୍ଡର ସମସ୍ୟା କମିବାର ନାଁ ଧରି ନ ଥିଲା । ସାମ୍ କରାନ୍ ୨ ରନ୍ କରି ବୁମ୍ରାଙ୍କ ଦ୍ୱିତୀୟ ଶିକାର ହୋଇଥିଲେ । ଦ୍ରୁତ ବ୍ୟାଟିଂ କରି ସର୍ବାଧିକ ୩୫ (୨୧ ବଲ୍ରୁ) ରନ୍ କରିଥିବା ମୋଇନ୍ ଅଲୀଙ୍କୁ ପାଣ୍ଡ୍ୟା ପାଭିଲିଅନ୍ ପଠାଇଥିଲେ । ପରବର୍ତ୍ତୀ ବ୍ୟାଟର୍ ଜୋର୍ଡାନ୍ ୧ ରନ୍ କରି ରନ୍ଆଉଟ୍ ହୋଇଥିଲେ । ଏହାପରେ ଗ୍ଲୀସନ୍ (୨)ଙ୍କ ୱିକେଟ୍ ଭୁବିଙ୍କ ଖାତାକୁ ଯାଇଥିଲା । ମାଟ୍ ପାର୍କିନ୍ସନ୍ କୌଣସି ସ୍କୋର୍ ନ କରି ଶେଷ ବ୍ୟାଟର୍ ଭାବେ ହର୍ଷଲଙ୍କ ବଲ୍ରେ ଆଉଟ୍ ହୋଇଥିଲେ ।
ଇଂଲଣ୍ଡ ଟିମ୍ ୧୭ ଓଭର୍ରେ ୧୨୧ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଡେଭିଡ୍ ୱିଲୀ ୨୨ ବଲ୍ରୁ ୩୩ ରନ୍ କରି ଅପରାଜିତ ଥିଲେ । ଭାରତ ପକ୍ଷରୁ ଭୁବନେଶ୍ୱର ୧୫ ରନ୍ ଦେଇ ୩ଟି ୱିକେଟ୍ ଅକ୍ତିଆର କରିଥିବା ବେଳେ ବୁମ୍ରା ଓ ଚହଲ ୨ଟି ଲେଖାଏଁ ଏବଂ ପାଣ୍ଡ୍ୟା ଓ ହର୍ଷଲ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *