ଦ୍ରୌପଦୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୮ା୭ (ବୁ୍ୟରୋ): ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଓଡ଼ିଶାରେ ବିପୁଳ ସ୍ୱାଗତ କରାଯାଇଛି । ଶ୍ରୀମତୀ ମୁର୍ମୁ ନୂଆଦିଲ୍ଲୀରୁ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବାରେ ତାଙ୍କୁ ବିଜେପି, ବିଜେଡି ସମେତ କେତେକ ନାଗରିକ ସଙ୍ଗଠନ ପକ୍ଷରୁ ସ୍ୱାଗତ କରାଯାଇଛି । ବିଧାନସଭା ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଜେଡି ବିଧାୟକ ଓ ସାଂସଦଙ୍କ ସହିତ ବୈଠକ କରି ସମର୍ଥନ ଲୋଡ଼ିଛନ୍ତି । ସେହିପରି ରାଜ୍ୟ ଅତିଥିଭବନରେ ବିଜେପି ବିଧାୟକ ଓ ସାଂସଦଙ୍କ ସଙ୍ଗେ ଆଲୋଚନା କରିଛନ୍ତି । ଏହାପରେ ସେ ନବୀନ ନିବାସକୁ ଯାଇ ମଧ୍ୟାହ୍ନ ଭୋଜନ କରି ଅନ୍ୟ ରାଜ୍ରକୁ ପ୍ରଚାରରେ ଯାଇଛନ୍ତି ।
ଆଜି ପୂର୍ବାହ୍ନ ୧୧ଟାରେ ଦ୍ରୌପଦୀ ମୁର୍ମୁ ଭୁବନୋ୍ବର ବିମାନବନ୍ଦରରେ ପହଞ୍ଚିଥିଲେ । ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ପାରମ୍ପରିକ ନାଚଗୀତରେ ଦୁଲୁକିଥିଲା ବିମାନବନ୍ଦର । ଢୋଲ ଓ ଦୁଲଦୁଲିର ତାଳେ ତାଳେ ଦ୍ରୌପଦୀ ଓ ତାଙ୍କ ସହିତ ଆସିଥିବା ନେତାମାନଙ୍କୁ ସ୍ୱାଗତ କରାଯାଇ ରାଜ୍ୟ ଅତିଥି ଭବନକୁ ପାଛୋଟି ନିଆଯାଇଥିଲା । ତାଙ୍କୁ ସ୍ୱାଗତ କରିବାକୁ ବିମାନବନ୍ଦରରେ ଅସମ୍ଭବ ଭିଡ଼ ଜମିଥିଲା । ମନ୍ତ୍ରୀ ଅଶୋକ ପଣ୍ଡା, ଟୁକୁନି ସାହୁ, ବିଧାୟକ ଦେବୀ ମିଶ୍ର, ରାଜ୍ୟ ସଭା ସାଂସଦ ସସ୍ମିତ ପାତ୍ର, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିି, ବରିଷ୍ଠ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତରାୟଙ୍କ ସମେତ ଉଭୟ ଦଳର ବହୁ ତୁଙ୍ଗ ନେତା ଉପସ୍ଥିତ ଥିଲେ ।
ବିମାନବନ୍ଦରରୁ ଶ୍ରୀମତୀ ମୁର୍ମୁ ରାଜ୍ୟ ଅତିଥି ଭବନକୁ ଯାଇ କିଛି ସମୟ ବିଶ୍ରାମ ନେବାପରେ ବିଧାନସଭାର ସମ୍ମିଳନୀ କକ୍ଷକୁ ଯାଇଥିଲେ । ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେଡି ସାଂସଦ ଓ ବିଧାୟକମାନେ ତାଙ୍କୁ ପାଛୋଟି ନେଇଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ସାଂସଦ ଓ ବିଧାୟକଙ୍କ ସହ ଶ୍ରୀମତୀ ମୁର୍ମୁୂଙ୍କର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା ।
ଏହି ବେଠକରେ ମୁଖ୍ୟମନ୍ତ୍ରୀଙ୍କୁ ଭାଇ ବୋଲି ସମ୍ବୋଧିତ କରିଥିଲେ ଦ୍ରୌପଦୀ ମୁର୍ମୁ । ସେ କହିଥିଲେ, ମୁଁ ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଥିଲି । ବିଦେଶରେ ଥାଇ ମୋ ସହ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ । ମୁଁ ଗାଁର ଝିଅ, ମନ୍ତ୍ରୀ ଥିବାବେଳେ ବହୁ କାମ କରିଛି ଆହୁରି କାମ ବାକି ଅଛି । ସମସ୍ତଙ୍କ ସହଯୋଗ ମିଳିଲେ ଓଡ଼ିଶା ସୁନ୍ଦର ଭାବରେ ବଢ଼ିବ । ଏହା ସହ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ଶ୍ରୀମତୀ ମୁର୍ମୁ । ଏଥିସହିତ ଓଡ଼ିଆ ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେବା ନିମିତ୍ତ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅପିଲ କରିଥିଲେ । ବିଧାନସଭାରେ ସେ ପ୍ରାୟ ୩୦ ମିନିଟ୍ ରହିଥିଲେ ।
ବିଧାନସଭାରୁ ରାଜ୍ୟ ଅତିଥି ଭବନକୁ ଯାଇଥିଲେ ଦ୍ରୌପଦୀ ମୁର୍ମୁ । ସେଠାରେ ବିଜେପି ବିଧାୟକ, ସାଂସଦ ଓ ଦଳୀୟ ପଦାଧିକାରୀଙ୍କୁ ଭେଟି ଭୋଟ ସଂପର୍କରେ ଆଲୋଚନା କରିଥିଲେ । ଆଲୋଚନା ସମୟରେ ରାଜ୍ୟ ବିଜେପି ସଭାପତି ଶ୍ରୀ ମହାନ୍ତିିଙ୍କ ସମେତ ଦଳୀୟ ବିଧାୟକ, ସାଂସଦ ଉପସ୍ଥିତ ଥିଲେ ।
ଅତିଥି ଭବନରୁ ସେ ସିଧା ନବୀନ ନିବାସକୁ ଯାଇ ସେଠାରେ ମଧ୍ୟାହ୍ନ ଭୋଜନ କରିଥିଲେ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କୁ ସ୍ୱାଗତ କରିଥିଲେ । ନବୀନ ନିବାସରେ ଶ୍ରୀମତୀ ମୁର୍ମୁ, କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ, ବିଜେଡି ସାଂସଦ ପିନାକୀ ମିଶ୍ର ମଧ୍ୟାହ୍ନ ଭୋଜନ କରିଥିଲେ । ଅତିଥିମାନଙ୍କୁ ଭାତ, ଡାଲି, ଆଳୁ ଚକଟା, ବଡ଼ି ଚୁରା, ବାଇଗଣ ଭଜା ଆଦି ଓଡ଼ିଆ ଖାଦ୍ୟରେ ଆପ୍ୟାୟିତ କରାଯାଇଥିଲା ।
ସୂଚନା ଅନୁଯାୟୀ, ବିଧାନସଭା ସମ୍ମିଳନୀ କକ୍ଷରେ ବିଜେଡି ବିଧାୟକ ଓ ସାଂସଦଙ୍କ ସହ ଆଲୋଚନା ସମୟରେ ଦ୍ରୌପଦୀ ମୁର୍ମୁ ଭାବବିହ୍ୱଳ ହୋଇପଡ଼ିଥିଲେ ବୋଲି କହିଛନ୍ତି ମନ୍ତ୍ରୀ ପ୍ରମିଳା ମଲ୍ଲିକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାଇ ବୋଲି ସମ୍ବୋଧନ କରିବା ସହ ରାକ୍ଷୀର ପାଉଣା ମାଗିବା ପୂର୍ବରୁ ସେ ଦେଇଦେଲେ ବୋଲି କହିଥିଲେ ।
ବିଧାୟକ ଅରୁଣ ସାହୁ କହିଛନ୍ତି, ମୁଖ୍ୟମନ୍ତ୍ରୀ ଶ୍ରୀମତୀ ମୁର୍ମୁଙ୍କୁ ଭୋଟ ଦେବା ନିମିତ୍ତ ଆହ୍ୱାନ କରିଛନ୍ତିି । ଯେପରି ଖଣ୍ଡିଏ ଭୋଟ୍ ନାକଚ ନ ହୁଏ ସେଥିପ୍ରତି ଯତ୍ନବାନ ହେବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଛନ୍ତି । ଅପରାହ୍ଣରେ ଶ୍ରୀମତୀ ମୁର୍ମୁ ପ୍ରଚାର ନିମିତ୍ତ ଲକ୍ଷ୍ନୌ ଯାଇଥିବା ସୂଚନା ମିଳିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *