ପ୍ରଣୟ ସେମିରେ, ସିନ୍ଧୁ ବିଦା
କୁଆଲାଲମ୍ପୁର, ୮ା୭ (ଏଜେନ୍ସି): ଭାରତର ଏଚ୍ଏସ୍ ପ୍ରଣୟ ଶୁକ୍ରବାର ମାଲେସିଆ ମାଷ୍ଟର୍ସ ସୁପର୍ ୫୦୦ ଟୁର୍ଣ୍ଣାମେଣ୍ଟରେ ଜାପାନ୍ର କାନ୍ତା ସୁନେୟାମାଙ୍କୁ ହରାଇ ପୁରୁଷ ଏକକ ସେମିଫାଇନାଲ୍ରେ ପ୍ରବେଶ କରିଥିବା ବେଳେ ଦୁଇ ଥର ଅଲିମ୍ପିକ୍ ପଦକଧାରିଣୀ ପିଭି ସିନ୍ଧୁ ଚାଇନୀଜ୍ ତାଇପେର ତାଇ ଜୁ ୟିଙ୍ଗ୍ଙ୍କ ବାଧାକୁ ଅତିକ୍ରମ କରିପାରି ନ ଥିଲେ ।
ପୂର୍ବତନ ଟପ୍-୧୦ ଖେଳାଳି ପ୍ରଣୟ ନିଜ ପ୍ରଦର୍ଶନରେ ନିରନ୍ତରତା ବଜାୟ ରଖି କ୍ୱାର୍ଟର୍-ଫାଇନାଲ୍ରେ ବିଶ୍ୱର ୧୪ତମ ଖେଳାଳି ସୁନେୟାମାଙ୍କୁ ୨୫-୨୩, ୨୨-୨୦ରେ ପରାସ୍ତ କରିଥିଲେ । ଏହି ମ୍ୟାଚ୍ ୬୦ ମିନିଟ୍ ଧରି ଚାଲିଥିଲା । ଭାରତର ଥୋମାସ୍ କପ୍ ବିଜୟର ଅନ୍ୟତମ ହିରୋ ପ୍ରଣୟ ଅନ୍ତିମ-୪ରେ ହଂକଂର ଏନ୍ଜି କା ଲଙ୍ଗ୍ ଆଙ୍ଗସ୍ଙ୍କୁ ଭେଟିବେ ।
ଅନ୍ୟପଟେ, ମହିଳା ଏକକରେ ସିନ୍ଧୁ ଟୋକିଓ ଅଲିମ୍ପିକ୍ସ ରୌପ୍ୟ ବିଜୟିନୀଙ୍କ ଠାରୁ ୧୭ତମ ଥର ପରାଜିତ ହୋଇଛନ୍ତି । ସେ ବିଶ୍ୱର ଦୁଇ ନମ୍ବର ଖେଳାଳିଙ୍କ ଠାରୁ ୧୩-୨୧, ୨୧-୧୨, ୧୨-୨୧ରେ ହାରି ଯାଇଥିଲେ । ଏହି ମ୍ୟାଚ୍ ୫୫ ମିନିଟ୍ରେ ଶେଷ ହୋଇଥିଲା । ଶେଷ ଥର ସିନ୍ଧୁ ୨୦୧୯ ବିଶ୍ୱ ଚାମ୍ପିଅନ୍ସିପ୍ରେ ଜୁ ୟିଙ୍ଗ୍ଙ୍କୁ ହରାଇଥିଲେ ।
