ଉତ୍ସବ ମନାଉଛି ଚୀନ୍

ସିଞ୍ଜୋ ଆବେଙ୍କୁ ହତ୍ୟା, ସମଗ୍ର ବିଶ୍ୱ ସ୍ତବ୍ଧ
ଟୋକିଓ (ଏଜେନ୍ସି): ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଶୁକ୍ରବାର ଦିନ ସକାଳ ସମୟରେ ଗୁଳି କରି ହତ୍ୟା କରାଯାଇଛି । ସ୍ଥାନୀୟ ନାରା ଅଞ୍ଚଳରେ ଆୟୋଜିତ ଏକ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସମୟରେ ଜଣେ ଆତତାୟୀ ତାଙ୍କୁ ଗୁଳି କରିଥିଲା, ଯେଉଁଥିରେ ଆବେ ଟଳି ପଡ଼ିଥିଲେ । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ୬ଘଣ୍ଟା ମଧ୍ୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତେବେ ଜାପାନ୍ର ଏହି ୬୭ ବର୍ଷୀୟ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଏପ୍ରକାର ହତ୍ୟାକାଣ୍ଡକୁ ନେଇ ଏବେ ସମଗ୍ର ବିଶ୍ୱ ସ୍ତବ୍ଧ ହୋଇପଡିଛି । ଭାରତ ସମେତ ଅନେକ ଦେଶ ରାଷ୍ଟ୍ରୀୟ ଶୋକ ଘୋଷଣା ପୂର୍ବକ ଜାତୀୟ ପତାକାକୁ ଅର୍ଦ୍ଧନମିତ କରିଛନ୍ତି । ତେବେ ବିଶ୍ୱର ଏପରି ଏକ ଦେଶ ଅଛି, ଯେଉଁଠି ସିଞ୍ଜୋ ଆବେଙ୍କ ମୃତୁ୍ୟ ପାଇଁ ଉତ୍ସବ ପାଳନ କରାଯାଉଛି । ଏହି ଦେଶ ଆଉ କେହି ନୁହେଁ ବରଂ ଜାପାନ୍ର ପରମ ଶତ୍ରୁ ରାଷ୍ଟ୍ର ଚୀନ୍ ।
ଆବେଙ୍କ ମୃତୁ୍ୟ ଖବର ପ୍ରଚାରିତ ହେବା ପରେ ପରେ ଚୀନ୍ର ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ପ୍ରାୟ ସବୁକ୍ଷେତ୍ରରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ଏପରିକି ଆବେଙ୍କୁ ଗୁଳି କରିଥିବା ଯୁବକକୁ ଚୀନ୍ବାସୀ ଜଣେ ହିରୋ ଭାବେ ଆଖ୍ୟାୟିତ ମଧ୍ୟ କରୁଥିବା ଦେଖିବାକୁ ମିଳୁଛି ।
ପ୍ରକାଶ, ଚୀନ ଓ ଜାପାନ୍ ମଧ୍ୟରେ ଶତ୍ରୁତା ବେଶ୍ ପୁରୁଣା । ୧୯୩୧ରେ ଚୀନ୍-ଜାପାନ୍ ଯୁଦ୍ଧରେ ଚୀନ୍, ଜାପାନ ଠାରୁ ପରାଜିତ ହୋଇଥିଲା । ଯୁଦ୍ଧ ବିଜୟ ପରେ ଜାପାନୀମାନେ ଚୀନ୍ ଲୋକଙ୍କ ଉପରେ ଅକଥନୀୟ ଅତ୍ୟାଚାର କରିଥିଲେ । ଏସବୁର ନେତୃତ୍ୱ ସିଞ୍ଜୋ ଆବେଙ୍କ ଜେଜେ ବାପା ନୋବୁସୁକେ କିଶି ନେଇଥିଲେ । ସେବେଠାରୁ ଚୀନ୍, ଜାପାନ୍ ଏବଂ ସିଞ୍ଜୋ ଆବେଙ୍କ ପରିବାର ପ୍ରତି ପ୍ରତିଶୋଧ ପରାୟଣ ମନୋଭାବ ପୋଷଣ କରିଆସୁଛି । ସେହିପରି ନିଜ ସମୟରେ ସିଞ୍ଜୋ ଆବେ ହିଁ ଜାପାନ୍ର ଚୀନ୍ ବିରୋଧୀ ନୀତିକୁ ଜୋରଦାର କରିଥିଲେ । ଚୀନ୍କୁ ଟକ୍କର ଦେବା ଉଦେ୍ଦଶ୍ୟରେ ବିଶ୍ୱସ୍ତରରେ ଗଠନ ହୋଇଥିବା ଚତୁଃରାଷ୍ଟ୍ରୀୟ କ୍ୱାଡ୍ ମେଣ୍ଟ (ଜାପାନ୍, ଭାରତ, ଆମେରିକା ଏବଂ ଅଷ୍ଟ୍ରେଲିଆ)ର ପରିକଳ୍ପନା ମଧ୍ୟ ସିଞ୍ଜୋ ଆବେ ହିଁ କରିଥିଲେ । ଚୀନ୍ ସରକାର ଏବଂ ଗଣମାଧ୍ୟମ ମିଳିତ ଭାବେ ସିଞ୍ଜୋ ଆବେ, ତାଙ୍କ ଜେଜେ ବାପା ନୋବୁସୁକେ କିଶିଙ୍କ ସୈତାନ୍ ଭାବେ ଚିତ୍ରଣ କରିଆସୁଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *