୧୩ ଶ୍ରଦ୍ଧାଳୁ ମୃତ, ୪୦ ନିଖୋଜ
ଅମରନାଥରେ ଖଣ୍ଡପ୍ରଳୟ
ଜମ୍ମୁ, ୮ା୭: ପବିତ୍ର ଅମରନାଥ ଗୁମ୍ଫା ନିକଟରେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ସାଢେ ୫ଟାବେଳେ ଅଚାନକ ବାଦଲ ଫାଟିବା ଫଳରେ ଖଣ୍ଡ ପ୍ରଳୟ ସୃଷ୍ଟି ହୋଇଛି । ଏଥିରେ ଅତି କମ୍ରେ ୧୩ଜଣ ଶ୍ରଦ୍ଧାଳୁଙ୍କ ମୃତୁ୍ୟ ହୋଇଥିବାବେଳେ ୪୦ଜଣଙ୍କ ପତ୍ତା ମିଳୁନାହିଁ । ସହସ୍ରାଧିକ ଶ୍ରଦ୍ଧାଳୁ ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି । ବାଦଲ ଫଟା ବର୍ଷା ଯୋଗୁଁ ଅମରନାଥ ଯାତ୍ରାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଥିବା ଜମ୍ମୁ-କାଶ୍ମୀର ଡିଜିପି ସୂଚନା ଦେଇଛନ୍ତି । ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍ ସମେତ ସମସ୍ତ ଏଜେନ୍ସି ଉଦ୍ଧାର କାର୍ଯ୍ୟରେ ଲାଗିପଡିଛନ୍ତି । ବିପନ୍ନ ଶ୍ରଦ୍ଧାଳୁମାନଙ୍କୁ ହେଲିକପ୍ଟର ଯୋଗେ ଉଦ୍ଧାର କରାଯାଇଛି ।
ଜମ୍ମୁ-କାଶ୍ମୀରରେ ପ୍ରବଳ ବର୍ଷା ଓ ବନ୍ୟା ଚେତାବନୀ ଦିଆଯାଇଥିଲା । ଶୁକ୍ରବାର ସନ୍ଧ୍ୟାରେ ଅମରନାଥ ଗୁମ୍ଫାର ବାମ ପାଶ୍ୱର୍ରୁ ଅଚାନକ ତୀବ୍ର ବେଗରେ ପବନ ବହିବା ସହ ବର୍ଷା ହେଲା । ହଜାର ହଜାର ଶ୍ରଦ୍ଧାଳୁ ସେତେବେଳେ ଗୁମ୍ଫା ସମ୍ମୁଖ ନିଜ ନିଜ ଟେଣ୍ଟ ଭିତରେ ଥିଲେ । କେତେକ ଶ୍ରଦ୍ଧାଳୁ ରେନ୍କୋଟ୍ ପିନ୍ଧି ଟେଣ୍ଟ ବାହାରେ ଛିଡା ହୋଇଥିଲେ । ଅଚାନକ ବନ୍ୟା ଆସି ଗୁମ୍ଫା ସମ୍ମୁଖ ସମତଳ ଭୂମି ଉପରେ ବହିବାକୁ ଲାଗିଲା । କେହି କିଛି ବୁଝି ପାରିବା ପୂର୍ବରୁ ବନ୍ୟା ସ୍ରୋତରେ ୨୫ଟି ଟେଣ୍ଟ୍ ଭାସିଗଲା ।
