ଧାର୍ଯ୍ୟଠୁ ଅଧିକ ପାର୍କିଂ ଫି’ ଆଦାୟ
ପ୍ରଶାସନ ନିଦେ୍ର୍ଦଶକୁ ବେଖାତିର
ପୁରୀ (ବୁ୍ୟରୋ): ପୁରୀକୁ ବାହାରୁ ଆସୁଥିବା ଭକ୍ତ କିଭଳି ଭଲ ଅନୁଭୂତି ନେଇ ଫେରିବେ ସେ ନେଇ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ସମର୍ଥ ବର୍ମା ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ । ପର୍ଯ୍ୟଟକଙ୍କୁ ଉତ୍ତମ ବ୍ୟବହାର ସହ ପୌରପାଳିକାର ଧାର୍ଯ୍ୟ ଦର ଅନୁଯାୟୀ ପାକିଂ ଫି’ ଆଦାୟ କରିବାକୁ ନିଦେ୍ର୍ଦଶ ଦିଆଯାଇଥିଲା । ପୌରପାଳିକାଠାରୁ ନିଲାମ ଧରିଥିବା ଷ୍ଟାଣ୍ଡ ପର୍ଯ୍ୟଟକଙ୍କୁ ଲୁଟିବା ସହ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ଶୁକ୍ରବାର ସନ୍ଧ୍ୟାଦର୍ଶନ ଲାଗି ପୁରୀରେ ପ୍ରବଳଭକ୍ତଙ୍କ ସମାଗମ ହୋଇଥିବା ବେଳେ ସେମାନଙ୍କଠାରୁ ଷ୍ଟାଣ୍ଡଧାରୀ ଲୁଟୁଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି ।
ପୌରପାଳିକା ପକ୍ଷରୁ ଲଗାଯାଇଥିବା ଦର ତାଲିକାରେ ଦୁଇ ଚକିଆ ଯାନ ପାଇଁ ୧୦ଟଙ୍କା, ୩ ଚକିଆ ଲାଗି ୩୦ ଓ ଚାରିଚକିଆ ପାଇଁ ୫୦ଟଙ୍କା ଧାର୍ଯ୍ୟ କରାଯାଇଛି । ହେଲେ ଷ୍ଟାଣ୍ଡରେ ରହିଥିବା କର୍ମଚାରୀ ପର୍ଯ୍ୟଟକଙ୍କୁ ମନଇଚ୍ଛା ଲୁଟିବାରେ ଲାଗିଛନ୍ତି । ଦୁଇ ଚକିଆ ଯାନଠାରୁ ୩୦ ଟଙ୍କା ଆଦାୟ କରୁଥିବା ବେଳେ ଚାରି ଚକିଆଠାରୁ ୧୦୦ଟଙ୍କା ଆଦାୟ କରୁଛନ୍ତି । ଏହାକୁ ଚାଳକମାନେ ବିରୋଧ କଲେ ସେମାନଙ୍କୁ ଖରାପ ବ୍ୟବହାର କରୁଛନ୍ତି । ଘଟଣାସ୍ଥଳରେ ପୁଲିସ କର୍ମଚାରୀ ମୁତୟନ ହୋଇଥିବା ବେଳେ ସେମାନେ ଦେଖାଣାହାରୀ ସାଜିିଛନ୍ତି ।