ଶୃଙ୍ଖଳା ପୋଛିଲା ଭାରତ
ଶ୍ରୀଲଙ୍କା ବିପକ୍ଷ ମହିଳା ଦିନିକିଆ
ପାଲିକେଲ, ୭ା୭ (ଏଜେନ୍ସି): ଅଧିନାୟିକା ହରମନପ୍ରୀତ କୌର ଓ ପୂଜା ବସ୍ତ୍ରାକାରଙ୍କ ଅଲ୍ରାଉଣ୍ଡ ପ୍ରଦର୍ଶନ ବଳରେ ଭାରତୀୟ ମହିଳା ଟିମ୍ ଗୁରୁବାର ତୃତୀୟ ତଥା ଶେଷ ଦିନିକିଆ ଆନ୍ତର୍ଜାତିକରେ ଶ୍ରୀଲଙ୍କାକୁ ୩୯ ରନ୍ରେ ମାତ୍ ଦେଇଛି । ଏଥି ସହିତ ଭ୍ରମଣକାରୀ ଟିମ୍ ୩-୦ରେ ଶୃଙ୍ଖଳା ମୂଳପୋଛ କରିଛି । ହରମନପ୍ରୀତ ଉଭୟ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ଓ ସିରିଜ୍ ବିବେଚିତ ହୋଇଛନ୍ତି ।
ହରମନପ୍ରୀତ (୮୮ ବଲ୍ରୁ ୭୫ ଓ ୨୧/୧) ଓ ପୂଜା (୬୫ ବଲ୍ରୁ ଅପରାଜିତ ୫୬ ଓ ୩୨/୨) ସପ୍ତମ ୱିକେଟ୍ରେ ୯୭ ରନ୍ର ଭାଗୀଦାରୀ କରିଥିଲେ, ଯାହା ଫଳରେ ଭାରତୀୟ ଟିମ୍ ୯ ୱିକେଟ୍ ହରାଇ ୨୫୫ ରନ୍ ସଂଗ୍ରହ କରିଥିଲା । ଜବାବରେ ଶ୍ରୀଲଙ୍କା ଟିମ୍ ୪୭.୩ ଓଭର୍ରେ ୨୧୬ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା ।
ଏହି ବିଜୟ ସହ ଭାରତୀୟ ଟିମ୍ ଶ୍ରୀଲଙ୍କା ବିପକ୍ଷରେ କ୍ରମାଗତ ଚତୁର୍ଥ ଦ୍ୱିପାକ୍ଷିକ ଶୃଙ୍ଖଳା ଜିତିଛି । ଟିମ୍ ଏଥି ପୂର୍ବରୁ ୨୦୧୩, ୨୦୧୫ ଓ ୨୦୧୮ରେ ଦିନିକିଆ ଶୃଙ୍ଖଳା ଜିତିଥିଲା ।
ଶ୍ରୀଲଙ୍କାର ଅଧିନାୟିକା ଚାମତୀ ଅଟାପଟ୍ଟୁ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଶୃଙ୍ଖଳାକୁ ହାତମୁଠାରେ କରିସାରିଥିବା ହରମନପ୍ରୀତ ସେନା ଶେଷ ମ୍ୟାଚ୍ରେ ଦୃଢ଼ ମନୋବଳ ନେଇ ମଇଦାନକୁ ଓହ୍ଲାଇଥିଲା । ଦ୍ୱିତୀୟ ମ୍ୟାଚ୍ରେ ଉତ୍ତମ ପ୍ରଦର୍ଶନ କରିଥିବା ଓପନର୍ ଶେଫାଲୀ ବର୍ମା ଓ ସ୍ମୃତି ମାନ୍ଧାନାଙ୍କ ଯୋଡ଼ି ଏଥର ବିଫଳ ହୋଇଥିଲା । ମାନ୍ଧାନା ୬ ରନ୍ କରି ଆଉଟ୍ ହୋଇଥିଲେ ।
ଅନ୍ୟପଟେ, ଶେଫାଲୀ ଭଲ ଖେଳିଥିଲେହେଁ (୫୦ ବଲ୍ରୁ ୪୯) ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ । ସେ ତିନି ମ୍ୟାଚ୍ରୁ ୭୭.୫୦ ଆଭରେଜ୍ରେ ୧୫୫ ରନ୍ ସଂଗ୍ରହ କରିଥିଲେ, ଯାହାକି ଶୃଙ୍ଖଳାରେ ସର୍ବାଧିକ ରନ୍ ଥିଲା । ସେ ଯସ୍ତିକା ଭାଟିଆ (୩୦)ଙ୍କ ସହ ୫୯ ରନ୍ର ଭାଗୀଦାରୀ କରିଥିଲେ ।
ଶେଫାଲୀଙ୍କ ଭଲ ବ୍ୟାଟିଂ ସତ୍ତ୍ୱେ ମଧ୍ୟକ୍ରମର ବିଫଳତା ଯୋଗୁଁ ୧୨୪ ରନ୍ରେ ୬ ୱିକେଟ୍ ପଡ଼ିଥିଲା । ଏହାପରେ ହରମନପ୍ରୀତ ଟିମ୍ର ମଙ୍ଗ ଧରିଥିଲେ ।
୨୫୬ ରନ୍ର ବିଜୟଲକ୍ଷ୍ୟ ନେଇ ଖେଳିଥିବା ଶ୍ରୀଲଙ୍କା ଟିମ୍ ପକ୍ଷରୁ ଅଧିନାୟିକା ଅଟାପଟ୍ଟୁ ୪୪ ଓ ହସିନୀ ପେରେରା ୩୯ ରନ୍ କରିଥିଲେ । ନୀଳାକ୍ଷୀ ଡି’ ସିଲ୍ଭା ୪୮ ରନ୍ର ଅପରାଜିତ ଇନିଂସ୍ ଖେଳିଥିଲେ । ଭାରତ ପକ୍ଷରୁ ରାଜେଶ୍ୱରୀ ଗାଏକୱାଡ଼ ୩୬ ରନ୍ ଦେଇ ସର୍ବାଧିକ ୩ ୱିକେଟ୍ ନେଇଥିଲେ । ପୂଜା ଓ ମେଘନା ଦୁଇଟି ଲେଖାଏଁ ଏବଂ ଦୀପ୍ତି ଓ ହରଲୀନ ଦେଓଲ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାରତ ପ୍ରଥମ ଦିନିକିଆରେ ୪ ୱିକେଟ୍ରେ ବିଜୟ ହାସଲ କରିଥିବା ବେଳେ ଦ୍ୱିତୀୟ ଦିନିକିଆରେ ୧୦ ୱିକେଟ୍ରେ ଜିତିଥିଲା । ଏଥି ପୂର୍ବରୁ ଟି-୨୦ ଶୃଙ୍ଖଳାକୁ ମଧ୍ୟ ଭାରତ ୩-୦ରେ ମୂଳପୋଛ କରିଥିଲା ।