ଆଜି ବାହୁଡ଼ିବେ ମହାବାହୁ
୧୨ଟାରେ ପହଣ୍ଡି, ୪ଟାରେ ରଥଟଣା
ପୁରୀ, ୮ା୭ (ବୁ୍ୟରୋ): ସରିଲା ଜନ୍ମବେଦୀ ଲୀଳା । ଆଡ଼ପମଣ୍ଡପରେ ୬ ଦିନର ରହଣିପରେ ଚକ୍ରରାଜ ସୁଦର୍ଶନ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ସାଥିରେ ଧରି ବାହୁଡିବେ ମହାବାହୁ । ବାହୁଡ଼ା ଯାତ୍ରା ପାଇଁ ସରିଛି ସମସ୍ତ ପ୍ରସ୍ତୁତି । ନାକଚଣା ଦ୍ୱାର ସମ୍ମୁଖ ଶରଧା ବାଲିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଅପେକ୍ଷାରେ ରହିଛି ତିନି ରଥ । ଶ୍ରୀଗୁଣ୍ଡିଚା ପରି ବାହୁଡ଼ା ଯାତ୍ରାରେ ମଧ୍ୟ ଶ୍ରଦ୍ଧାଳୁ ନେଇ ଅନୁଷ୍ଠିତ ହେବ । ମହାବାୁଭ୍କ ବାହୁଡ଼ା ଯାତ୍ରା ଦେଖିବାକୁ ଶ୍ରୀକ୍ଷେତ୍ରକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି ।
ପୁରୀ ସହରରେ ସୁଷ୍ଟି ହୋଇଛି ଭାବ ଓ ଭକ୍ତିର ପରିବେଶ । ଆଷାଢ ଶୁକ୍ଳପକ୍ଷ ଦଶମୀରେ ଅର୍ଥାତ୍ ଶନିବାର ରଥାରୁଢ ହୋଇ ଚତୁର୍ଦ୍ଧାବିଗ୍ରହ ଶ୍ରୀମନ୍ଦିରକୁ ବାହୁଡିବେ । ଦକ୍ଷିଣମୋଡ ହୋଇ ନାକଚଣା ଦ୍ୱାର ସମ୍ମୁଖରେ ସଜ ହୋଇ ରହିଛିି ତିନିରଥ । ମହାରଣା ସେବକ ଓ ରଥ ବିଶେଷଜ୍ଞ କମିଟି ତନ୍ନ ତନ୍ନ କରି ୩ ରଥକୁ ଯାଞ୍ଚ କରିଛନ୍ତି । ଏଥର ବାହୁଡା ଯାତ୍ରାରେ ପ୍ରବଳ ଜନ ସମାଗମ ସମ୍ଭାବନା ରହିଛି । ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ ବୋଲି ପ୍ରଶାସନ ଆକଳନ କରିଛି । ବାହୁଡ଼ା ପୂର୍ବରୁ ଶୁକ୍ରବାର ଜନ୍ମବେଦୀରେ ମହାବାହୁଙ୍କ ନବମୀ ଦର୍ଶନ ଅନୁଷ୍ଠିତ ହୋଇଛି । ଲକ୍ଷ ଲକ୍ଷ ଭକ୍ତ ଆଡପମଣ୍ଡପରେ ଦାରୁଦିଅଁଙ୍କ ସନ୍ଧ୍ୟା ଦର୍ଶନ କରିଛନ୍ତି ।
ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି ବି ସଅଳ ଶେଷ କରାଯାିଛି । ଶୀଘ୍ର ଆଡପ ଅବଢ଼ା ବାହାରିଥିବାରୁ ଭକ୍ତମାନେ ସୁବିଧାରେ ମହାପ୍ରସାଦ ପାଇଛନ୍ତି । ବାହୁଡା ଯାତ୍ରା ନିମିତ୍ତ ଶୀଘ୍ର ପ୍ରସ୍ତୁତି ଆରମ୍ଭ ହେବାକୁ ଥିବାରୁ ସନ୍ଧ୍ୟା ଦର୍ଶନ ନୀତି ୬ ଟାରେ ବନ୍ଦ କରାଯାଇଛି । ଏହା ପରେ ଗୁଣ୍ଡିଚା ମନ୍ଦିର ଶୋଧକରାଯାଇ ସନ୍ଧ୍ୟାରେ ତିନି ରଥର ଚାର ବନ୍ଧା ଯାଇଛି । ଆଡପମଣ୍ଡପରେ ପହୁଡ ଆଳତି ସରିବା ପରେ ଶ୍ରୀମୁଖ ଖଣ୍ଡୁଆ ନୀତି ସମ୍ପନ୍ନ କରାଯାଇଛି । ଏଥିସହିତ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବାହୁଡ଼ା ଯାତ୍ରା ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି ।
ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ, ଶନିବାର ଭୋର ୪ ଟାରେ ମଙ୍ଗଳ ଆଳତି ହେବ । ଠାକୁରମାନେ ଖେଚୁଡି ଖାଇ ପହଣ୍ଡିରେ ରଥକୁ ବିଜେ କରିବେ ଏବଂ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରାରମ୍ଭ ହେବ । ୧୨ଟାରେ ପହଣ୍ଡି କରାଯିବ ଓ ଅପରାହ୍ଣ ୪ଟାରେ ରଥଟଣା ଯିବାକୁ ସ୍ଥିର କରାଯାଇଛି । ରଥଗୁଡ଼ିକ ସିଂହଦ୍ୱାର ସମ୍ମୁଖରେ ଲାଗିବା ପରେ ରଥ ଉପରେ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବ । ବାହୁଡା ପରଦିନରଥ ଉପରେ ସୁନାବେଶ ନୀତି ସମ୍ପନ୍ନ କରାଯିବ ।
ବାହୁଡା ଦିନ ହିଁ ତିନି ରଥ ସିଂହଦ୍ୱାରରେ ପହଞ୍ଚାଇବାକୁ ପ୍ରଶାସନ ସ୍ଥିର କରିଛି । ଆବଶ୍ୟକ ପଡିଲେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା କରାଯାଇ ରାତିରେ ରଥ ଟଣାଯାଇ ସିଂହଦ୍ୱାରରେ ଲଗାଯିବ । ଯଦି କୌଣସି କାରଣରୁ ତିନିରଥ ସିଂହଦ୍ୱାରରେ ପହଞ୍ଚି ନ ପାରନ୍ତି ତେବେ ରବିବାର ଭୋର ୫ଟାରୁ ରଥ ଟଣାଯିବ ।
ବାହୁଡା ଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ କରିବା ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ପାଞ୍ଚ ସ୍ତରୀୟ ସୁରକ୍ଷା ବଳୟରେ ରହିଛି ପୁରୀ ସହର । ସିସିଟିଭି କ୍ୟାମେରା ନଜରରେ ରହିଛି ବଡଦାଣ୍ଡ । ସହରରେ ୧୮୬ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି ।