୫ ବର୍ଷ ଭିତରେ ପେଟ୍ରୋଲ ବ୍ୟାନ୍!

ନୂଆଦିଲ୍ଲୀ, ୮ା୭: ଦେଶରେ ପେଟ୍ରୋଲ ବ୍ୟବହାରକୁ ନିଷିଦ୍ଧ କରାଯିବାର କଳ୍ପନା କେବଳ ସାଧାରଣ ଜନତାଙ୍କର ନୁହେଁ, କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ ମଧ୍ୟ ଏପରି ସୂଚନା ଦେଇଛନ୍ତି । ଗଡକରୀ ଜୋର ଦେଇ କରିଛନ୍ତି, ଆଗାମୀ ୫ ବର୍ଷରେ ପେଟ୍ରୋଲ ଉପରେ ପ୍ରତିବନ୍ଧକ ଲାଗିବ । ତା ସହିତ ଭାରତରେ ପେଟ୍ରୋଲର ଆବଶ୍ୟକତା ମଧ୍ୟ ରହିବ ନାହିଁ ।
କେନ୍ଦ୍ର ପରିବହନ ମନ୍ତ୍ରୀଙ୍କ ଏପ୍ରକାର ଦୃଢୋକ୍ତି ସତ୍ୟରେ ପରିଣତ ହେବ କି ନାହିଁ ତାହା ଭବିଷ୍ୟତ କହିବ । ତେବେ ପେଟ୍ରୋଲର ଶସ୍ତା ବିକଳ୍ପ ଯଦି ଉପଲବ୍ଧ ହେଲା, ସାଧାରଣ ଜନତା ତଦ୍ଦ୍ୱାରା ବିଶେଷଭାବେ ଉପକୃତ ହେବେ ।
ଗୁରୁବାର ମହାରାଷ୍ଟ୍ରର ଅକୋଲାଠାରେ ଡାକ୍ତର ପଞ୍ଜାବରାଓ ଦେଶମୁଖ କୃଷି ବିଶ୍ୱବିଦ୍ୟାଳୟର ୩୬ତମ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟ ଅତିଥିରୂପେ ଯୋଗଦେଇ ଗଡକରୀ ଏପରି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଏବେ ବିଦର୍ଭରେ ଉତ୍ପାଦିତ ବାୟୋ-ଇଥାନଲ୍ର ପ୍ରୟୋଗ କରାଗଲେ ଯାନବାହନ ପାଇଁ ଆଉ ପେଟ୍ରୋଲ ଆବଶ୍ୟକ ହେବ ନାହିଁ । ଗ୍ରୀନ୍ ହାଇଡ୍ରୋଜେନ୍ କୂଅ ପାଣିରୁ ପ୍ରସ୍ତୁତ ହେଉଛି । ତାହାକୁ ଲିଟର ପିଛା ୭୦ ଟଙ୍କା ଦରରେ ବିକ୍ରି କରାଯାଇ ପାରିବ । ଏହାଦ୍ୱାରା ଆସନ୍ତା ୫ ବର୍ଷ ଭିତରେ ପେଟ୍ରୋଲର ଉପଯୋଗ କ୍ରମଶଃ କମି ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ । କେବଳ ଗହମ, ଧାନ, ମକା ଆଦି ପାରମ୍ପରିକ ଫସଲ ଅମଳ କରି ଚାଷୀମାନେ ନିଜ ଭବିଷ୍ୟତ ଉଜ୍ୱଳ କରିପାରିବେ ନାହିଁ । ଚାଷୀମାନଙ୍କୁ ଏଣିକି ଆୟର ବିକଳ୍ପ ପନ୍ଥା ଆପଣାଇବାକୁ ହେବ । ଅନ୍ନଦାତା ହେବା ସହିତ ସେମାନେ ଉର୍ଜାଦାତା ହେବା ଜରୁରୀ ।
ଗଡକରୀ କହିଲେ ଯେ ଇଥାନଲ୍ ସମ୍ବନ୍ଧୀୟ ଗୋଟିଏ ନିଷ୍ପତ୍ତି ଯୋଗୁଁ ଦେଶ ୨୦ ହଜାର କୋଟି ଟଙ୍କା ସଂଚୟ କରି ପାରିଲା । ନିକଟ ଭବିଷ୍ୟତରେ ଦୁଇ ଓ ଚାରି ଚକିଆ ଯାନ ଗ୍ରୀନ୍ ହାଇଡ୍ରୋଜେନ୍, ଇଥାନଲ୍ ଓ ସିଏନ୍ଜିରେ ଚାଲିବ । ଏହି ଅବସରରେ ଗଡକରୀଙ୍କୁ କୃଷି ବିଦ୍ୟାଳୟ ପକ୍ଷରୁ ଡକ୍ଟର ଅଫ୍ ସାଇନ୍ସ ଉପାଧି ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଅଧ୍ୟକ୍ଷତାରେ କରିଥିଲେ ମହାରାଷ୍ଟ୍ର ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳାଧିପତି ଭଗତ ସିଂହ କୋଶ୍ୟାରୀ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *