ଶେଷ ପୁଲ୍ ମ୍ୟାଚ୍ ହାରିଲା ଭାରତ

ମହିଳା ହକି ବିଶ୍ୱକପ୍
ଆମଷ୍ଟିଲ୍ଭୀନ୍, ୮ା୭ (ଏଜେନ୍ସି): ଭାରତ ମହିଳା ହକି ବିଶ୍ୱକପ୍ରେ ନିଜ ଶେଷ ପୁଲ୍ ମ୍ୟାଚ୍ରେ ନୁ୍ୟଜିଲାଣ୍ଡ ଠାରୁ ୩-୪ରେ ପରାଜିତ ହୋଇଛନ୍ତି । ଏହାସତ୍ତ୍ୱେ ଟିମ୍ ଏବେ ବି କ୍ୱାର୍ଟର୍-ଫାଇନାଲ୍ରେ ପ୍ରବେଶ ଦୌଡ଼ରେ ରହିଛି । ରବିବାର ଖେଳାଯିବାକୁ ଥିବା କ୍ରସ୍ଓଭର୍ ମ୍ୟାଚ୍ରେ ଭାରତ ପୁଲ୍-ସି’ରେ ଦ୍ୱିତୀୟ ସ୍ଥାନରେ ଥିବା ଆୟୋଜକ ସ୍ପେନ୍କୁ ଭେଟିବ ।
ପୁଲ୍-ବି’ରେ ନୁ୍ୟଜିଲାଣ୍ଡ ୭ ପଏଣ୍ଟ ପାଇ ସର୍ବାଗ୍ରେ ରହିଥିବା ବେଳେ ଇଂଲଣ୍ଡ ୪ ପଏଣ୍ଟ ସହ ଦ୍ୱିତୀୟ ଏବଂ ଭାରତ ଓ ଚୀନ୍ ୨ ପଏଣ୍ଟ ଲେଖାଏଁ ପାଇ ତୃତୀୟ ସ୍ଥାନରେ ରହିଛନ୍ତି, ହେଲେ ଉନ୍ନତ ଗୋଲ୍ ବ୍ୟବଧାନ ଆଧାରରେ ଆଗକୁ ବଢ଼ିବେ ।
ଟୁର୍ଣ୍ଣାମେଣ୍ଟର ଫର୍ମାଟ୍ ଅନୁଯାୟୀ ଚାରିଟି ପୁଲ୍ରୁ ଚାରିଟି ଟପ୍ ଟିମ୍ ସିଧା କ୍ୱାର୍ଟର୍-ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିବେ । ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଥିବା ଟିମ୍ କ୍ରସ୍ଓଭର୍ରେ ଖେଳିବେ । କ୍ରସ୍ଓଭର୍ ମ୍ୟାଚ୍ର ବିଜେତା ଟିମ୍ଗୁଡ଼ିକ ଅନ୍ୟ ଚାରିଟି କ୍ୱାର୍ଟର୍-ଫାଇନାଲ୍ ସ୍ଥାନ ହାସଲ କରିବେ । ସହ-ଆୟୋଜକ ନେଦରଲାଣ୍ଡ୍ସ, ନୁ୍ୟଜିଲାଣ୍ଡ, ଆର୍ଜେଣ୍ଟିନା ଓ ଅଷ୍ଟ୍ରେଲିଆ ନିଜ ନିଜ ପୁଲ୍ରେ ଶୀର୍ଷରେ ରହି କ୍ୱାର୍ଟର୍-ଫାଇନାଲ୍ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛନ୍ତି ।
ଭାରତ ଯଦି ଅନେକ ସୁଯୋଗ ହାତଛଡ଼ା କରି ନ ଥାନ୍ତା, ତା’ହେଲେ ଧାର୍ଯ୍ୟ ସମୟ ମଧ୍ୟରେ ମ୍ୟାଚ୍ ଜିତିପାରିଥାନ୍ତା । ଭାରତକୁ ମିଳିଥିବା ୧୫ ପେନାଲ୍ଟି କର୍ଣ୍ଣର ମଧ୍ୟରୁ ମାତ୍ର ଗୋଟିଏର ସଦୁପଯୋଗ ହୋଇଥିଲା । ଭାରତ ନିଜର ପୂର୍ବ ଦୁଇଟି ମ୍ୟାଚ୍କୁ ଡ୍ର ରଖିଥିଲା ।
ଭାରତ ପକ୍ଷରୁ ବନ୍ଦନା କାଟାରିୟା (୪ର୍ଥ ମିନିଟ୍), ଲାଲରେମସିଆମି (୪୪ତମ) ଓ ଗୁରଜିତ କୌର (୫୯ତମ) ଗୋଲ୍ ସ୍କୋର୍ କରିଥିବା ବେଳେ ନୁ୍ୟଜିଲାଣ୍ଡ ପକ୍ଷରୁ ଓଲିଭିଆ ମେରୀସ୍ ବ୍ରେସ୍ (୧୨ତମ, ୫୪ତମ), ଟେସା ଜୋପ୍ (୨୯ତମ) ଓ ଫ୍ରାନ୍ସେସ୍ ଡେଭିସ୍ (୩୨ତମ) ଗୋଲ୍ ଦେଇଥିଲେ ।
ଭାରତୀୟ ଟିମ୍ ଦୃଢ଼ତାର ସହ ଖେଳ ଆରମ୍ଭ କରି ବଲ୍ ଉପରେ ସଅଳ ନିୟନ୍ତ୍ରଣ ହାସଲ କରିଥିଲା । ପ୍ରୟାସ ମଧ୍ୟ ଫଳପ୍ରଦ ହୋଇଥିଲା । ଚତୁର୍ଥ ମିନିଟ୍ରେ ଲାଲରେମସିଆମୀଙ୍କ ପୁଶ୍ରେ ବନ୍ଦନାଙ୍କ ଡିଫ୍ଲେକ୍ସନ୍ରୁ ଭାରତ ଅଗ୍ରଣୀ ହୋଇଥିଲା ।
୧୦ମ ମିନିଟ୍ରେ ଶର୍ମିଲା ଦେବୀଙ୍କ ପାଖରେ ନୁ୍ୟଜିଲାଣ୍ଡ ଗୋଲ୍କିପର୍ ବ୍ରୁକ୍ ରବର୍ଟସ ସହ ୱାନ୍-ଟୁ-ୱାନ୍ ସ୍ଥିତିରେ ଅଗ୍ରଣୀକୁ ଦ୍ୱିଗୁଣିତ କରିବା ପାଇଁ ସୁବର୍ଣ୍ଣ ସୁଯୋଗ ଥିଲା । କିନ୍ତୁ ଗୋଲ୍ ହେଲାନି, ହେଲେ ଏଥିରୁ ଭାରତକୁ ପ୍ରଥମ ପିସି ମିଳିଥିଲା । ଗୁରଜିତ କୌରଙ୍କ ଶକ୍ତିଶାଳୀ ଫ୍ଲିକ୍କୁ ବ୍ରୁକ୍ ଅଟକାଇ ଦେଇଥିଲେ ।
ନୁ୍ୟଜିଲାଣ୍ଡ ୧୨ତମ ମିନିଟ୍ରେ ପ୍ରଥମ ପିସି ପାଇଥିଲା । ଓଲିଭିଆ ଭାରତୀୟ ଅଧିନାୟିକା ତଥା ଗୋଲ୍କିପର୍ ସବିତାକୁ ଚକମା ଦେଇ ଗୋଲ୍ ପରିଶୋଧ କରିଥିଲେ । ଏହାପରେ ଲାଲରେମସିଆମୀଙ୍କ ଏକ ଗୋଲ୍-ପ୍ରୟାସକୁ ନୁ୍ୟଜିଲାଣ୍ଡ ଗୋଲୀ ପ୍ରତ୍ୟାଖ୍ୟାନ କରିଦେଇଥିଲେ । ପରିଣାମସ୍ୱରୂପ, ଭାରତକୁ ଆଉ ଏକ ପିସି ମିଳିଥିଲା; କିନ୍ତୁ ଦୀପ ଗ୍ରେସ୍ ଏକ୍କାଙ୍କ ସଟ୍ ୱାଇଡ୍ ହୋଇଥିଲା । ମଧ୍ୟାନ୍ତରର ଏକ ମିନିଟ୍ ପୂର୍ବରୁ ସୁଯୋଗ ଅପେକ୍ଷାରେ ଥିବା ଟେସା ସ୍କୋର୍ କରି ନୁ୍ୟଜିଲାଣ୍ଡକୁ ଅଗ୍ରଣୀ କରିଥିଲେ ।
ପାଶ୍ୱର୍ ପରିବର୍ତ୍ତନ ପରେ କିୱି ଟିମ୍ ଆକ୍ରମଣାତ୍ମକ ପ୍ରଦର୍ଶନ କରି କ୍ରମାଗତ ଦୁଇଟି ପିସି ପାଇଥିଲା । ଦ୍ୱିତୀୟ ପିସିକୁ ଫ୍ରାନ୍ସେସ୍ ଗୋଲ୍ରେ ପରିଣତ କରିଥିଲେ । ଏହାପରେ ଭାରତ କେତେକ ପିସି ପାଇଥିଲେହେଁ କେଉଁଟି କାମରେ ଆସି ନ ଥିଲା । ୪୪ତମ ମିନିଟ୍ରେ ଲାଲରେମସିଆମୀ ସ୍କୋର୍ ବ୍ୟବଧାନ ହ୍ରାସ କରିଥିଲେ । ସୁଶୀଲା ଚାନୁଙ୍କ ପାସ୍ରେ ଡିଫ୍ଲେକ୍ସନ୍ରୁ ଏହି ଗୋଲ୍ ହୋଇଥିଲା ।
ଅନ୍ତିମ କ୍ୱାର୍ଟରରେ ଭାରତ ଅନେକ ପିସି ପାଇଥିଲେ ମଧ୍ୟ ଗୋଟିଏ ପରେ ଗୋଟିଏ ନିଷ୍ଫଳ ହୋଇଥିଲା । ୫୪ତମ ମିନିଟ୍ରେ ଓଲିଭିଆ ଆଉ ଏକ ଗୋଲ୍ କରି ନୁ୍ୟଜିଲାଣ୍ଡକୁ ୪-୨ରେ ଅଗ୍ରଣୀ କରିଥିଲେ ।
ଖେଳ ଶେଷ ହେବାକୁ ଏକ ମିନିଟ୍ ବାକି ଥିବା ବେଳେ ଭାରତ ୧୩ତମ ପିସି ପାଇଥିଲା । ଏହାକୁ ଗୁରଜିତ ଗୋଲ୍ରେ ପରିଣତ କରିଥିଲେ । ଶେଷ ମିନିଟ୍ରେ ଭାରତ ଆଉ ଦୁଇଟି ପିସି ହାସଲ କରିଥିଲା, କିନ୍ତୁ ସ୍କୋର୍ ହୋଇ ନ ଥିଲା ଏବଂ ଭାରତ ଗୋଟିଏ ଗୋଲ୍ ବ୍ୟବଧାନରେ ହାରି ଯାଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *