ଚାଷୀଙ୍କୁ ବରବାଦ କରୁଛି ପ୍ରାକୃତିକ ବିପତ୍ତି

ଭୁବନେଶ୍ୱର (ତଥ୍ୟ): କ୍ରମାଗତ ପ୍ରାକୃତିକ ବିପତ୍ତି ଓଡିଶାର ଚାଷୀଙ୍କ ସମ୍ପତ୍ତିକୁ ବରଦାଦ କରିଦେଉଛି । ‘ପାଞ୍ଚ ଦଶନ୍ଧିରେ ଓଡିଶାର କୃଷି ପରିସଂଖ୍ୟାନ’ ଶୀର୍ଷକ ଏକ ସରକାରୀ ରିପୋର୍ଟରୁ ଏହି ତଥ୍ୟ ମିଳିଛି । ରିପୋର୍ଟ ଅନୁଯାୟୀ ୧୯୭୦ ରୁ ୨୦୧୯ ମଧ୍ୟରେ ୫୦ବର୍ଷ ଭିତରୁ ମାତ୍ର ୮ବର୍ଷ ରାଜ୍ୟରେ ପ୍ରାକୃତିକ ବିପତ୍ତି ନଥିବାବେଳେ ଅନ୍ୟ ୪୨ଟି ବର୍ଷରେ ବଢି, ମରୁଡି, ମହାବାତ୍ୟା ଆଦି ଯୋଗୁଁ କୃଷି କ୍ଷେତ ଗୁରୁତର ଭାବେ ପ୍ରଭାବିତ ହୋଇଛି ।
ଏହି ୫୦ବର୍ଷ ଭିତରେ ଓଡିଶା ବୁଲବୁଲ, ଫନି, ତିତ୍‌ଲି, ହୁଡ୍‌ହୁଡ୍‌, ଫାଇଲିନ୍‌, ମହାବାତ୍ୟା ଭଳି ବିପର୍ଯ୍ୟୟରେ ସାଂଘାତିକ ଭାବେ କ୍ଷତିଗ୍ରସ୍ତ ହୋଇଛି । ଏହି ପଚାଶ ବର୍ଷ ଭିତରେ ଅନୁ୍ୟନ ୨୫ବର୍ଷ ଓଡିଶାର କୃଷି କ୍ଷେତ ବନ୍ୟା ବିପତ୍ତିର ଶିକାର ହୋଇଥିବାବେଳେ ୧୬ବର୍ଷ ସାଂଘାତିକ ମରୁଡି ପରିସ୍ଥିତିର ସାମ୍ନା କରିଛି ।
କିଛି ବର୍ଷ ଧରି ତାପମାତ୍ରା ଓ ପାଣିପାଗରେ ପରିବର୍ତ୍ତନ ତଥା ଅନିୟମିତତା ଯୋଗୁଁ ଠିକଣା ସମୟରେ ଆବଶ୍ୟକୀୟ ବୃଷ୍ଟିପାତ ପ୍ରାୟତଃ ହେଉନଥିବା ଏବଂ ଅସମୟରେ ହଠାତ୍‌ ବନ୍ୟା କିମ୍ବା ଝଡତୋଫାନ ସହିତ ଶସ୍ୟକ୍ଷେତରେ ରୋଗପୋକଙ୍କ ପ୍ରାର୍ଦୁଭାବ ଚାଷୀମାନଙ୍କ ଚିନ୍ତା ବଢାଇ ଦେଇଛି । ଏହି ପରିସଂଖ୍ୟାନ ଅନୁଯାୟୀ ଗୋଟିଏ ଗୋଟିଏ ବର୍ଷରେ ୧୮୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଥିବାବଳେ ଆଉ ଗୋଟିଏ ଗୋଟିଏ ବର୍ଷରେ ୧୦୦୦ ମିଲିମିଟରରୁ କମ୍‌ ବର୍ଷା ହେବା ଏବଂ ବର୍ଷା ହେଉଥିବା ଦିନ ସଂଖ୍ୟା କମିବା କୃଷି ପାଇଁ ବଡ ଆହ୍ୱାନ ହୋଇଛି ।
ଓଡିଶା ପାଇଁ ବାର୍ଷିକ ପ୍ରାୟ ୧୪୫୧ ମିଲିମିଟର ବର୍ଷା ଆବଶ୍ୟକ ଥିବାବେଳେ କେତେବେଳେ ତାହାଠାରୁ ଢେର ଅଧିକ ବର୍ଷିଯାଉଛି ତ ଆଉ କେତେବେଳେ ବର୍ଷା କମୁଛି । ଏମିତିକି ଅନିୟମିତ ବୃଷ୍ଟିପାତ ଯୋଗୁଁ ଅନେକ ବର୍ଷରେ ରାଜ୍ୟକୁ ଏକ ସଙ୍ଗେ ଉଭୟ ବନ୍ୟା, ମରୁଡି ଓ ବାତ୍ୟା ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡୁଥିବା ଏହି ରିପୋର୍ଟରୁ ଜଣାପଡିଛି ।
ପାଣିପାଗରେ ପରିବର୍ତ୍ତନ ଜନିତ କାରଣରୁ ଚଳିତବର୍ଷ ରାଜ୍ୟରେ ଲେମ୍ବୁ, ଟମାଟୋ ଓ ଆମ୍ବ ସମେତ କେତେକ ଫଳ ଓ ପନିପରିବା ଉତ୍ପାଦନ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି । ଏଥିଯୋଗୁଁ ଏବର୍ଷ ଦେଶରେ ଗହମ ଉତ୍ପାଦନ ମଧ୍ୟ କମିଛି । କୃଷି ଓ ପରିବେଶ ବିଶେଷଜ୍ଞମାନେ ଆଶଙ୍କାବ୍ୟକ୍ତ କରୁଛନ୍ତି ଯେ ଜଳବାୟୁ ଓ ଉତ୍ତାପ ଯେଭଳି ଭାବେ ପରିବର୍ତ୍ତିତ ହେଉଛି ତାହାର ପ୍ରଭାବରେ ଧାନ,ଗହମ ସମେତ ଅନ୍ୟାନ୍ୟ ପ୍ରମୁଖ ଶସ୍ୟ ଉତ୍ପାଦନ ବାଧାପ୍ରାପ୍ତ ହେବା ସଂଗେ ସଂଗେ ରୋଗପୋକଙ୍କ ଦୌରାତ୍ମ୍ୟ ମଧ୍ୟ ବୃଦ୍ଧି ପାଇପାରେ । ଏଥିଯୋଗୁଁ କେବଳ କୃଷି ନୁହେଁ ମଣିଷ ଓ ଅନ୍ୟ ଜୀବଜନ୍ତୁଙ୍କ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପଡିପାରେ ।
ବିଶେଷକରି ସୂର୍ଯ୍ୟଙ୍କ ଅତି ବାଇଗିଣି ରଶ୍ମିରୁ ପୃଥିବୀକୁ ରକ୍ଷା କରୁଥିବା ଓଜନ ସ୍ତରରେ ବଡ ବଡ ଛିଦ୍ର ସୃଷ୍ଟି ହେଉଥିବାରୁ ଆଗାମୀ ବର୍ଷମାନଙ୍କରେ ପ୍ରାକୃତିକ ବିପର୍ଯ୍ୟୟର ସମ୍ଭାବନା ଅଧିକବୋଲି ପାଣିପାଗ ବିଶେଷଜ୍ଞମାନେ ମଧ୍ୟ ଆଶଙ୍କାବ୍ୟକ୍ତ କରୁଛନ୍ତି । ତେବେ ଭବିଷ୍ୟତର ଏହି ସମସ୍ୟାକୁ ଆଖିଆଗରେ ରଖି ବୈଜ୍ଞାନିକମାନେ ଉନ୍ନତ କିସମର ବିଭିନ୍ନ ବିହନ ସୃଷ୍ଟି କରୁଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *