ପ୍ରେମ ବ୍ୟାପାରକୁ ନେଇ ମୁଣ୍ଡକୁ ଛେଚି ହତ୍ୟା କରିଥିଲା
୨ମାସ ପରେ ଗିରଫ ହେଲା ଅଭିଯୁକ୍ତ
ଛେଣ୍ଡିପଦା (ଆପ୍ର): ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ପିପଳବହାଳ ଗ୍ରାମର ମାନସ ସାହୁ ହତ୍ୟାକାଣ୍ଡରେ ସଂପୃକ୍ତ ହତ୍ୟାକାରୀ ଅମର ନାଥ ମାଝୀ (୨୯)କୁ ୨ମାସ ପରେ ଛେଣ୍ଡିପଦା ପୁଲିସ ଗିରଫ କରିଛି । ହତ୍ୟାକାରୀ ଅମର ହଣ୍ଡପା ଥାନା ହିଞ୍ଜିଡା ଗ୍ରାମରେ ତାର ଜଣେ ସମ୍ପର୍କୀୟଙ୍କ ଘରେ ଲୁଚିଥିବା ବେଳେ ଗତ ଗୁରୁବାର ରାତି ପୁଲିସ ତାକୁ ଗିରଫ କରିଛି ।
ଘଟଣାରୁ ଜଣାପଡ଼ିଛି ହତ୍ୟାକାରୀ ଅମରର ବଡ଼ଭାଇ ଏବଂ ମୃତକ ମାନସ ଦୁଇ ସାଙ୍ଗ ଏବଂ ଉଭୟେ ଗୋଟିଏ ଗ୍ରାମର ବାସିନ୍ଦା । ଏହି ସମ୍ପର୍କ ନେଇ ମାନସ ଅଭିଯୁକ୍ତ ଘରକୁ ଯିବା ଆସିବା କରୁଥିଲା । ଭାଉଜଙ୍କ ସହ ମୃତକ ମାନସଙ୍କ ପ୍ରେମ ସମ୍ପର୍କ ରହିଛି ବୋଲି ଅଭିଯୁକ୍ତ ଅମର ସନେ୍ଦହ କରିବା ସହିତ ଉଭୟ ପାଟି ତୁଣ୍ଡ ମଧ୍ୟ ହୋଇଥିଲା । ମେ ମାସ ୨୦ ତାରିଖ ଦିନ ଗ୍ରାମ ଯାତ୍ରା ପଡ଼ିଆ ନିକଟ କୋଠଘରେ ମାନସ ଶୋଇଥିଲେ । ଅମର ମାନସର ମୁଣ୍ଡକୁ ଏକ ବଡ଼ ପଥର ସାହାଯ୍ୟରେ ଛେଚିଦେଇ ଫେରାର ହୋଇ ଯାଇଥିଲା । ମାନସକୁ ଉଦ୍ବେଗଜନକ ଅବସ୍ଥାରେ କଟକରେ ଚିକିତ୍ସା କରାଯାଇଥିଲା । ମୃତୁ୍ୟସହ ୨ମାସ ସଂଗ୍ରାମ କରିବା ପରେ ଗତ ମଙ୍ଗଳବାର ସକାଳେ ସେ ପ୍ରାଣ ହରାଇଥିଲେ । ମୃତୁ୍ୟର ୨ ଦିନପରେ ଗୁରୁବାର ରାତିରେ ପୁଲିସ ଅମରକୁ ହଣ୍ଡପା ଥାନା ହିଞ୍ଜିଡା ଅଞ୍ଚଳରୁ ଗିରଫ କରି ଶୁକ୍ରବାର ଦିନ କୋର୍ଟ ·ଲାଣ କରିଛି ।
