ବାହୁଡ଼ା ଯାତ୍ରା ପାଇଁ ୧୮୬ ପ୍ଲାଟୁନ୍ ଫୋର୍ସ
ଦ୍ରଥଟଣା, ପାର୍କିଂ ଓ ଭିଡ଼ ନିୟନ୍ତ୍ରଣ ପାଇଁ ପୁଲିସ୍ ପ୍ରସ୍ତୁତ
ପୁରୀ (ବୁ୍ୟରୋ): ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଶନିବାର ଅନୁଷ୍ଠିତ ହେବ । ସେଥିପାଇଁ ଶ୍ରୀକ୍ଷେତ୍ର ପାଲଟିଛି ଲୋକାରଣ୍ୟ । ଶୁକ୍ରବାର ଶ୍ରୀକ୍ଷେତ୍ରକୁ ଭକ୍ତଙ୍କ ସୁଅ ଛୁଟିବାରେ ଲାଗିଛି । ବାହୁଡ଼ା ଯାତ୍ରାରେ ୫ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହେବ । ତେଣୁ ଏତେ ସଂଖ୍ୟକ ଲୋକଙ୍କ ସୁରକ୍ଷା ଯୋଗାଇବା ସହିତ ମହାପ୍ରଭୁଙ୍କ ସୁରକ୍ଷା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବିଶେଷ ଭାବରେ ସହରକୁ ସିସିଟିଭି ନଜରରେ ରଖାଯାଇଛି । ଶ୍ରୀମନ୍ଦିର ଚତୁଃପାଶ୍ୱର୍ ସମେତ ଗୁଣ୍ଡିଚା ମନ୍ଦିର, ଜଳ, ସ୍ଥଳ ଓ ଆକାଶ ଉପରେ କଡ଼ା ଦୃଷ୍ଟି ରଖିଛି ପୁଲିସ ।
ଚଳିତବର୍ଷ ଘୋଷଯାତ୍ରା, ବାହୁଡ଼ା ଯାତ୍ରା ଓ ସୁନାବେଶକୁ ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ ଲାଗି ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ୫ମ ସ୍ତରୀୟ ସୁରକ୍ଷା ବଳୟରେ ରହିଛି ପୁରୀ ସହର । ସିସିଟିଭି କ୍ୟାମେରା ସହରକୁ ଜଗି ରହିଛି । ୧୮୬ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି । ରଥକର୍ଡନ, ପହଣ୍ଡିକର୍ଡନ, ରଥଟଣା ଓ ଟ୍ରାଫିକ୍କୁ ପରିଚାଳନା କରିବା ଲାଗି ସ୍ୱତନ୍ତ୍ର ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଦାୟିତ୍ୱରେ ରହିଛନ୍ତି । ସହରକୁ ତିନୋଟି ପ୍ରବେଶ ପଥ ଉପରେ କଡ଼ା ଦୃଷ୍ଟି ରଖାଯାଇଛି । ତତ୍ସହିତ ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିର ଚତୁଃପାଶ୍ୱର୍ରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଟ୍ରାଫିକ୍ କଟକଣା ବାହୁଡ଼ା ଯାତ୍ରାରେ କାଏମ ରହିବ ବୋଲି ଏସ୍ପି ଶ୍ରୀ ସିଂ ସୂଚନା ଦେଇଛନ୍ତି ।
– ଲୁଟେରାଙ୍କୁ ଧରିବେ ସାଧା ପୋଷାକଧାରୀ ପୁଲିସ୍
ପ୍ରତ୍ୟେକ ବର୍ଷ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ର ଓ ବାହୁଡ଼ା ଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ । ଫଳରେ ବଡ଼ଦାଣ୍ଡ ପାଲଟି ଯାଏ ଲୋକାରଣ୍ୟ । ଫଳରେ ଏହାର ସୁଯୋଗ ନେଇଥାନ୍ତି ଲୁଟେରା । କଙ୍କଡ଼ାକୁ ଗୋଳିପାଣି ସୁହାଇଲା ଭଳି ସେମାନଙ୍କୁ ଅତ୍ୟଧିକ ଗହଳି ସେମାନଙ୍କ ପାଇଁ ସୁଯୋଗ କରିଥାନ୍ତି । ଫଳରେ ସେମାନଙ୍କର ଶିକାର ହୋଇଥାନ୍ତି ଶହ ଶହଭକ୍ତ । ଯାହାକୁ ନେଇ ଭକ୍ତ ମହଲରେ ଘୋର ଅସନ୍ତୋଷ ପ୍ରକାଶ ପାଇଥାଏ । ଏପରିକି ଲୁଟ୍ର ଶିକାର ହେବା ପରେ ହନ୍ତସନ୍ତ ହୋଇଥାନ୍ତି ଭକ୍ତ । ତେଣୁ ତାହାକୁ ଦୁଷ୍ଟିରେ ରଖି ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଶେଷ ଭାବରେ ବଡ଼ଦାଣ୍ଡରେ ସିସିଟିଭି ସହିତ ଲୁଟେରାଙ୍କୁ ସାବାଡ଼ କରିବା ପାଇଁ ଗହଳିରେ ମୁତୟନ ହେବେ ସାଧା ପୋଷାକଧାରୀ ପୁଲିସ ।
-ପ୍ରବେଶ ପଥରେ ଯାଞ୍ଚ କଡ଼ାକଡ଼ି
ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର ଉପରେ ଆତଙ୍କବାଦୀଙ୍କ ଟାଗେର୍ଟ ରହିଥିବା ନେଇ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଲା ପରେ ପୁଲିସ ପକ୍ଷରୁ ସହର ସମେତ ଶ୍ରୀମନ୍ଦିରକୁ କଡ଼ା ସୁରକ୍ଷା ବଳୟରେ ରଖାଯାଇଛି । ଏପରିକି ସହରକୁ ତିନୋଟି ପ୍ରବେଶ ପଥ ରହିଥିଲା ବେଳେ ତାହାକୁ ମଧ୍ୟ କଡ଼ାକଡ଼ି ଯାଞ୍ଚ କରାଯିବ ବୋଲି କହିଛନ୍ତି ଏସ୍ପି କନୱାର ବିଶାଲ ସିଂ । ଯେଉଁ ଗାଡ଼ି ଉପରେ ପୁଲିସର ସନେ୍ଦହ ହେବ ତାହାକୁ ଯାଞ୍ଚ କରାଯିବ ଏବଂ ଜଳଭାଗରେ ମଧ୍ୟ କଡ଼ା ଦୃଷ୍ଟି ରଖାଯିବ । ଏପରିକି ପ୍ରତ୍ୟେକ ଲୋକର ଗତିବିଧି ଉପରେ ଧ୍ୟାନ ଦିଆଯିବ ବୋଲି ଶ୍ରୀ ସିଂ ସୂଚନା ଦେଇଛନ୍ତି ।
-କଣ୍ଟ୍ରୋଲ୍ ରୁମ୍ରେ ସହର ଚିତ୍ର
ଶନିବାର ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଶ୍ରଦ୍ଧାଳୁଙ୍କୁ ସୁରକ୍ଷା ଯୋଗାଇବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ବଡ଼ଦାଣ୍ଡ ଠାରୁ ଆରମ୍ଭ କରି ସମୁଦ୍ର କୂଳ, ସହରର ପ୍ରବେଶ ପଥ, ଗହଳି ଛକ, ତିନି ରଥର ଚତୁଃପାଶ୍ୱର୍ର୍ ସମେତ ସମ୍ପୂଣ୍ଣ ସହରକୁ ୧୮୦ଟି ସିସିଟିଭିରେ କଏଦ ହେବ ଲାଇଭ୍ ଚିତ୍ର । ଲାଇଭ୍ ଚିତ୍ରକୁ କଣ୍ଟ୍ରୋଲ୍ ରୁମ୍ରେ ପୁଲିସ ଦୃଷ୍ଟି ରଖିବ ।
– ବଡ଼ଦାଣ୍ଡକୁ ଗାଡ଼ି ଓ ସାଇକେଲ୍ ମନା
ଶନିବାର ବଡ଼ଦାଣ୍ଡକୁ ସାଇକେଲଠାରୁ ଆରମ୍ଭ କରି ଦୁଇ ଚକିଆ ଓ ବଡ଼ ଗାଡ଼ି ସମ୍ପୂର୍ଣ୍ଣ ଭାବରେ ବନ୍ଦ କରାଯାଇଛି । ମାଟିଆପଡ଼ା ଛକରୁ ଆରମ୍ଭ କରି ଅଠରନଳା ସମେତ ସମସ୍ତ ଗଳିକନ୍ଦିରୁ ବଡ଼ଦାଣ୍ଡକୁ ଗାଡ଼ିକୁ ଛଡ଼ାଯିବ ନାହିଁ । ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କୌଣସି ଗାଡ଼ି ବଡ଼ଦାଣ୍ଡରେ ଚଳାଚଳ କରିବ ନାହିଁ । ଆମ୍ବୁଲାନ୍ସ ବ୍ୟତିତ ଅନ୍ୟ କୌଣସି ଗାଡ଼ିକୁ ଛଡ଼ା ଯିବ ନାହିଁ ବୋଲି ଟ୍ରାଫିକ୍ ଡିଏସ୍ପି ମନୋବ୍ରତା ଶତପଥି କହିଛନ୍ତି ।
-ସମୁଦ୍ର କୂଳରେ କଡ଼ା ସୁରକ୍ଷା
ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ରୋକିବା ପାଇଁ ରାଜ୍ୟ ଏବଂ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ବିଶେଷକରି ଆନ୍ତର୍ଜାତୀୟ ସୀମାରେଖାକୁ ସମୁଦ୍ରକୂଳ ଲାଗି ଥିବାରୁ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି । ସେଠାରେ ଏକ ଉଚ୍ଚଶକ୍ତି ସଂପନ୍ନ ଅତ୍ୟାଧୁନିକ ର୍ୟାଡର ମେସିନ୍ ଲଗାଯାଇଛି । ଯାହା ୧୦ କିଲୋ ମିଟର ଦୂରରୁ ଗତିବିଧିକୁ ଜାଣି ହେବ । ଏହାସହ ଆକାଶପଥରେ କେଉଁ ଯାନ ଯାଉଛି ସେଥିପ୍ରତି ମଧ୍ୟ ନଜର ରଖିବ । ଶତାଧିକ ଲାଇଫ୍ଗାର୍ଡ, ହୋମଗାର୍ଡ, ହାବିଲଦାର, ସାଧା ପୋଷାକଧାରୀ ପୁଲିସ ଓ ସିସି କ୍ୟାମେରା ସ୍ୱତନ୍ତ୍ର ଭାବେ ସମୁଦ୍ର କୂଳେ ଦୃଷ୍ଟି ନିକ୍ଷେପ କରିବ । ସିସିଟିଭି ଦ୍ୱାରା ପର୍ଯ୍ୟଟକ ଓ ତୀର୍ଥଯାତ୍ରୀଙ୍କ ଗତିବିଧି ଉପରେ ନଜର ରଖାଯାଇଛି । ସମୁଦ୍ରରେ ବୁଡ଼ି ଯାଉଥିବା ଯାତ୍ରୀଙ୍କୁ ଲାଇଫ୍ଗାର୍ଡ ଉଦ୍ଧାର କରିବା ପାଇଁ ପ୍ରସ୍ତୁତ ରହିଛନ୍ତି ।
ଦ୍ଭ- ଜାତୀୟ ରାଜପଥ ଜଗିବ ପାଟ୍ରୋଲିଂ ସ୍କ୍ୱାଡ୍
ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଦେଖିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ସଂଖାରେ ଲୋକଙ୍କ ସୁଅ ଛୁଟିବ । ସେମାନଙ୍କୁ ସୁରକ୍ଷା ଓ ବିପଦମୁକ୍ତ କରିବା ପାଇଁ ଜିଲ୍ଲା ପୁଲିସ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜାତୀୟ ରାଜପଥ ପୁରୀ-ଭୁବନେଶ୍ୱର, ପୁରୀ-ବାଲିଘାଇ-କୋଣାର୍କ ଓ ପୁରୀ- ଗୋପ ରାସ୍ତାରେ ପୁଲିସ ପକ୍ଷରୁ ବ୍ୟାପକ ପାଟ୍ରୋଲିଂ କରାଯିବ । ଦୁଇ ଚକିଆ ଯାନ ଚାଳକଙ୍କ ଠାରୁ ଆରମ୍ଭ କରି ଚାରିଚକଆ ଯାନର ଗତି ଉପରେ ତୀକ୍ଷ୍ଣ ନଜର ରଖାଯାଇ ଗତିଉପରେ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି ।