ବିଧବାକୁ ସଧବା ଦର୍ଶାଇ ଜମି ବିକ୍ରି

ଢେଙ୍କାନାଳରେ ଜମିମାଫିଆଙ୍କ ରାଜ୍
ଢେଙ୍କାନାଳ (ଆପ୍ର): ଢେଙ୍କାନାଳ ଜିଲ୍ଲାରେ ଜମି ଦୁର୍ନିତୀ ହ୍ରାସପାଇବାର ନାଁ ଧରୁନି ।ଜମି ମାଫିଆ ମାନେ ବିଧବାକୁ ସଧବା ସଜାଇବାସହିତ ନକଲି ଆଧାର,ପ୍ୟାନ ଏପକରି ନକଲି ଦସ୍ତାବିଜ୍ ପ୍ରସ୍ତୁତ କରି ଜମି ବିକ୍ରୟ କରିବା ଘଟଣା ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଢେଙ୍କାନାଳ ତହସିଲରେ ଜଳାଶୟକୁ ଚଞ୍ଚକତା କରି ବିକ୍ରି କରିଦେଇଥିବା ଘଟଣାର କିଛି ମାସ ବିତି ଯାଇଥିବା ପରେ ପୂନର୍ବାର ଢେଙ୍କାନାଳ ସହରର ଏକ ମୂଲ୍ୟବାନ ଯାଗା ବୋଲାଉଥିବା ବଡ ଷାଠିଏ ବାଟିଆ ଠାରେ ନକଲି ଆଧାରକାର୍ଡ ଓ ପ୍ୟାନ୍ କାର୍ଡ ମାଧ୍ୟମରେ ମୂଳ ପରିଚୟକୁ ଲୁଚାଇ ଜମି କିଣାବିକାର ଦୂର୍ନୀତି ଘଟିଛି । ଯାହାକୁ ନେଇ ଟାଉନ୍ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଘେରରେ ଅଭିଯୁକ୍ତମାନେ ଆସିବାପରେ ୬୫ଲକ୍ଷ ଟଙ୍କା ହଡପ ହୋଇଥିବାର ପର୍ଦ୍ଦାଫାସ ହୋଇଛି ।
ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଗଦାଶିଳା ଠାରେ ରହୁଥିବା ଅବସରପ୍ରାପ୍ତ ପୁଲିସ କର୍ମଚାରୀ ସୁରେଶ ଚନ୍ଦ୍ର ମହାନ୍ତିଙ୍କ ପତ୍ନୀ ଉର୍ବଶୀ ମହାନ୍ତି ନାମରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ବଡ ଷାଠିଏ ବାଟିଆ ଠାରେ ୧୦ଡେସିମିଲ୍ ୧କଡି ଜମି ରହିଥିଲା । ଉକ୍ତ ଜମିକୁ ଅବସରପ୍ରାପ୍ତ ମୁଖ୍ୟ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରିଣୀ ମୈଥିଲି ମହାପାତ୍ର, ପୁର୍ଣ୍ଣାବାସୀ ମହାପାତ୍ର, ସୁପ୍ରଭା ଜେନା କିଣିବାକୁ ଇଚ୍ଛା ପ୍ରକାଶ କରିଥିଲେ । ମାତ୍ର ଯାଗାର ପ୍ରକୃତ ମାଲିକଙ୍କ ଅଛପାରେ କିଛି ଜମି ମାଫିଆ ଏକଜୁଟ୍ ହୋଇ ନକଲି ଉର୍ବଶୀ ମହାନ୍ତି ବୋଲାଉଥିବା କଟକ ଜିଲ୍ଲା ଆଠଗଡ ଅଞ୍ଚଳ କାନପୁରା ଥାନା ଅନ୍ତର୍ଗତ ଗୋଲାପ ନାୟକଙ୍କୁ ଯୋଜନା କଲେ । ଗୋଲାପ ନିଜର ଫଟୋ କୁ ଉର୍ବସୀ ମହାନ୍ତିଙ୍କ ଆଧାର କାର୍ଡ ଓ ପ୍ୟାନ୍ କାର୍ଡରେ ଲଗାଇ ଚଳିତ ବର୍ଷ ଜାନୁଆରୀ ୧୨ ତାରିଖରେ ଇଚ୍ଛୁକ ଜମି କ୍ରେତାଙ୍କୁ ରେଜେଷ୍ଟ୍ରି ଦେଇଥିଲେ । ଯେଉଁଥିରେ କି ଉଭୟ କ୍ରେତା ୩୨ଲକ୍ଷ ୫୦ ଟଙ୍କା ଲେଖାଏଁ ଅର୍ଥ ପ୍ରଦାନ କରିଥିଲେ । ଜମି ରେଜେଷ୍ଟ୍ରି ବେଳେ ନିଜର ପରିଚୟକୁ ଚିହ୍ନଟ ପାଇଁ ସାକ୍ଷୀ ହିସାବରେ ଉକ୍ତ କଟକ ଜିଲ୍ଲା ନେତାଳ ଅଞ୍ଚଳର ମାଗିରାମ ଦଳେଇ ଓ ନକଲି ନାମ ବୋଲାଉଥିବା ପ୍ରତାପ ମହାନ୍ତି ଓରଫ୍ ବିକ୍ରମ ସାହୁ ମଧ୍ୟ ସାକ୍ଷୀ ପଡିଥିଲେ । ଏମାନଙ୍କୁ ଢେଙ୍କାନାଳ ସହରର ୯ ନମ୍ବର ୱାର୍ଡ ବନମାଳୀ ପ୍ରସାଦର ଆସଫର ଖାନ ଓରଫ୍ ଆଫା, ଲକ୍ଷ୍ମୀ ବଜାର ମହ୍ଲାର ସାହି ଅଞ୍ଚଳର ଦିବ୍ୟ ଲୋଚନ ବେହେରା ଓରଫ୍ ଦେବେନ, ଦକ୍ଷିଣକାଳୀ ଅଞ୍ଚଳର ରମେଶ ମଲ୍ଲିକ, ସିମିଳିଆର ତ୍ରିଲୋଚନ ନାଥ ସହଯୋଗ କରିଥିଲେ । ଜମି କିଣି ସାରିବାପରେ ଜମିର ମାଲିକମାନେ ମେ ମାସରେ ଜାଗା ଉପରେ ପାଚେରି ଦେଉଥିବା ବେଳେ ପ୍ରକୃତ ମାଲିକ ଉର୍ବଶୀ ମହାନ୍ତି ଜାଣି ପାରିଥିଲେ । ଏ ସଂକ୍ରାନ୍ତରେ ଟାଉନ୍ ଥାନାରେ ସେ ଲିଖିତ ଅଭିଯୋଗ କରିଥିଲେ । ଜିଲ୍ଲା ଆରକ୍ଷୀ ଅଧୀକ୍ଷିକା ଏଲ୍. ଦିବ୍ୟା ଭି.ଙ୍କ ନିଦେ୍ର୍ଦଶରେ ଏସ୍ଡିପିଓ ବିକାଶ କୁମାର ବେଉରା, ଟାଉନ୍ ଥାନା ଅଧିକାରୀ ରାଜେନ୍ଦ୍ର କୁମାର ମହାପାତ୍ର ଏବଂ ସବ୍ଇନ୍ସପେକ୍ଟର ଚନ୍ଦ୍ରକାନ୍ତ ସେଠୀ ତଦନ୍ତ କରୁଥିଲେ । ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତା ଗୋଲାପ ସହିତ ଅନ୍ୟ ସହଯୋଗୀମାନଙ୍କୁ ଗିରଫ୍ କରିଥିଲେ । ସେମାନଙ୍କ ନାମରେ ଦଫ ୪୨୦, ୪୬୭, ୪୬୮, ୪୭୧, ୧୨୦ବି, ୩୪ ଆଇପିସିରେ ମାମଲା ରୁଜୁକରି କୋର୍ଟ ଚାଲାଣ କରିଛି । ଘଟଣାରେ ଅଦ୍ୟାବିଧି ଆହୁରି ୩/୪ ଜଣ ଫେରାର ରହିଥିବା ବେଳେ ତଦନ୍ତ ଜାରି ହୋଇଛି । ଏଥିରେ ରେଜେଷ୍ଟ୍ରି ଅଫିସର କର୍ମଚାରୀମାନଙ୍କ ସହଯୋଗିତା ଉପରେ ସନେ୍ଦହ କରି ପୁଲିସ ତଦନ୍ତ କରୁଛି । ଅଭିଯୁକ୍ତମାନଙ୍କ ଠାରୁ ପୁଲିସ ୨ଲକ୍ଷ ଟଙ୍କା ଜବତ କରିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *