ଶ୍ୱାସରୁଦ୍ଧ ହୋଇ ୩ ମୃତ

ଚାଓମିନ୍ ଫ୍ୟାକ୍ଟ୍ରିରେ ଅଘଟଣ
ମୋହନା, ୭ା୭(ଆପ୍ର): ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ ଗତ ରାତିରେ ଅଘଟଣ ଘଟିଛି । ମୋହନା ପଞ୍ଚାୟତର ନାରାୟଣ ନଗରରେ ଥିବା ଚାଓମିନ ଫାକ୍ଟ୍ରିରେ ଶ୍ୱାସରୁଦ୍ଧ ହୋଇ ୩ ଜଣ ପ୍ରାଣ ହରାଇଛନ୍ତି । ଶ୍ରମିକମାନେ ରାତିରେ ଶୋଇଥିବା ଅବସ୍ଥାରେ ମୃତୁ୍ୟବରଣ କରିଛନ୍ତି ।
ବୁଧବାର ରାତିରେ ଫାକ୍ଟ୍ରିରେ ଚାଓମିନ ଶୁଖାଇବା ପାଇଁ ହିଟ୍ ମେସିନ ଲଗାଇ ଓ ଜାଳେଣି ଗ୍ୟାସ ଖୋଲି ଶ୍ରମିକମାନେ ଶୋଇପଡ଼ିଥିଲେ । ଯାହା ଫଳରେ ହିଟ୍ ମେସିନର ଗରମ ଓ ଗ୍ୟାସର ବିଷାକ୍ତ ପ୍ରକ୍ରିୟାରୁ ସମସ୍ତେ ଅଣନିଶ୍ୱାସି ହୋଇଯାଇଥିଲେ ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ମୃତକମାନେ ହେଲେ ଗଞ୍ଜାମ ଜିଲ୍ଲା ନିମଖଣ୍ଡି ଗ୍ରାମର ଅରୁଣ ସାହୁ, ମୋହନା ଥାନା କାମ୍ପଗୁଡ଼ା ଗାଁର ସୁନିଲ ଦଳେଇ ଓ ପ୍ରଭାକର ଦଳେଇ । ସକାଳେ ସାହିର କେହି ଜଣେ ଏମାନେ ରହୁଥିବା ଘରର କବାଟ ବାଡ଼େଇ ବାରମ୍ବାର ଡ଼ାକିଥିଲେ । କିନ୍ତୁ କେହି ଉତ୍ତର ନ ଦେବା କିମ୍ବା କବାଟ ନ ଖୋଲିବାରୁ ଅଘଟଣ ଆଶଙ୍କାରେ ଅଗ୍ନିଶମ ବାହିନୀକୁ ଫୋନ କରାଯାଇଥିଲା । ଅଗ୍ନିଶମ ବାହିନୀ, ଥାନା ଅଧିକାରୀ ସୁଜିତ କୁମାର ନାୟକ, ତହସିଲଦାର କିଶୋର ଚନ୍ଦ୍ର ଦାସ ପହଞ୍ଚô ଥିଲେ । ସମସ୍ତଙ୍କ ଉପସ୍ଥିତିରେ କବାଟ ଭଙ୍ଗାଯିବା ସହ ୩ ଜଣଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ । ମୃତକଙ୍କ ପରିବାର ଲୋକେ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚôବା ପରେ ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଯାଇଛି ।
ପାରଳାଖେମୁଣ୍ଡି ସାଇଣ୍ଟିଫିକ ଟିମ୍ ଅଧିକାରୀ ସୌମ୍ୟ ମହାପାତ୍ର ଅନୁଧ୍ୟାନ କରିଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତୁ୍ୟର ପ୍ରକୃତ କାରଣ ଜଣାପଡ଼ିବ । ଏସ୍ପି ଜୟରାମ ଶତପଥୀ, ଏସ୍ଡ଼ିପିଓ ଦିଲ୍ଲୀପ କୁମାର ନାୟକ, ଉପଜିଲ୍ଲାପାଳ ଆଲୋକ କୁମାର ପ୍ରଧାନ, ଜିଲ୍ଲା ଶ୍ରମ ଅଧିକାରୀ ଲୋକନାଥ ପଣ୍ଡା ଗାଁକୁ ଯାଇ ସରଜମିନ ଅନୁଧ୍ୟାନ କରିଛନ୍ତି । ମୃତକଙ୍କ ପରିବାରକୁ ୬୦ ହଜାର ଟଙ୍କା ଜିଲ୍ଲା ରେଡ଼କ୍ରସ ପାଣ୍ଠିରୁ ଉପଜିଲ୍ଲାପାଳ ପ୍ରଦାନ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *