୧୪ ଲକ୍ଷର ଜାଲ୍ ନୋଟ୍ ଜବତ, ୨ ଗିରଫ
ଭୁବନେଶ୍ୱର, ୭ା୭ (ବୁ୍ୟରୋ): ନକଲି ନୋଟ୍ କାରଖାନାର ପର୍ଦ୍ଦାଫାସ୍ କରିଛି ଏସ୍ଟିଏଫ୍ । ବରଗଡ଼ ଜିଲ୍ଲା ପୁଲିସ ସହାୟତାରେ ଏସ୍ଟିଏଫ୍ ୧୪ ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ କରିବା ସହିତ ଆନ୍ତଃରାଜ୍ୟ ଗ୍ୟାଙ୍ଗର ୨ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ପଟ୍ଟୁ ଯାଦବ (୫୩) ଓ ବଳରାମ ମେହେର । ପଟ୍ଟୁର ଘର ଉତ୍ତର ପ୍ରଦେଶରେ ହୋଇଥିବା ବେଳେ ବଳାରାମର ଘର ବରପାଲିରେ ବୋଲି ଜଣାପଡ଼ିଛି ।
ବରପାଲିରେ ନକଲି ନୋଟ୍ କାରବାର ଚାଲିଥିବା ଖବର ପାଇ ବ୍ୟବସାୟୀମାନେ ନିଜ ପାଖରେ ଥିବା ଟଙ୍କାକୁ ନେଇ ମଧ୍ୟ ସନେ୍ଦହ କରୁଛନ୍ତି । ବରଗଡ଼ ଜିଲ୍ଲା ବରପାଲି ଅଞ୍ଚଳରେ ନକଲି ନୋଟ୍ ଛାପା କାରଖାନା ଚାଲିଥିବା ଖବର ପାଇ ଏସ୍ଟିଏଫ୍ ବରଗଡ଼ ପୁଲିସ ସହାୟତାରେ ଚଢ଼ଉ କରିଥିଲା । ଉତ୍ତର ପ୍ରଦେଶ ଗୋରଖପୁର ଜିଲ୍ଲା ପରୱାନୀ ଥାନା ଅଞ୍ଚଳର ରାମ ଲଖନଙ୍କ ପୁଅ ପଟ୍ଟୁ ଯାଦବ ଓ ବରପାଲି ଥାନା ମାହାତୋମପଡ଼ା ଗାଁର ପଣ୍ଡାଲୁ ମେହେରଙ୍କ ପୁଅ ବଳରାମ ମେହେରଙ୍କୁ ଗିରଫ କରିଛି । ପଟ୍ଟୁ ଏବେ ବୁର୍ଲା ଥାନା ସିକିରିରେ ରହୁଛିି । ତା’ ନିକଟରୁ ୧,୨୫ ଲକ୍ଷ ଓ କାରଖାନାରୁ ୧୨ ଲକ୍ଷ ରୁ ଅଧିକ ନକଲି ୫ଶହ ଟଙ୍କିଆ ନୋଟ୍ ଜବତ କରାଯାଇଥିବା ଏସ୍ଟିଏଫ୍ ପକ୍ଷରୁ ସୂଚନା ଦିଆଯାଇଛି । ଚଢ଼ଉ ସମୟରେ ଜାଲ୍ ନୋଟ୍ ସହ ମେସିନ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି । ବରଗଡ଼ ଥାନାରେ ଏ ନେଇ ମାମଲା ରୁଜୁ ହୋଇଛି । ମାମଲାର ତଦନ୍ତ ଭାର ଏନ୍ଆଇଏକୁ ଦିଆଯିବ ବୋଲି ଏସ୍ଟିଏଫ୍ ସୂତ୍ରରୁ ଜଣାପଡ଼ିଛି ।