ଧାବନଙ୍କୁ ଦିନିକିଆ ନେତୃତ୍ୱ

ମୁମ୍ବାଇ, ୬ା୭ (ଏଜେନ୍ସି): ୱେଷ୍ଟଇଣ୍ଡିଜ୍ ଗସ୍ତରେ ଖେଳାଯିବାକୁ ଥିବା ତିନି ମ୍ୟାଚ୍ର ଦିନିକିଆ ଆନ୍ତର୍ଜାତିକ ଶୃଙ୍ଖଳା ପାଇଁ ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ବୁଧବାର ବାମହାତି ବ୍ୟାଟର୍ ଶିଖର ଧାବନଙ୍କୁ ଭାରତୀୟ ଟିମ୍ର ନେତୃତ୍ୱ ଦାୟିତ୍ୱ ଦିଆଯାଇଛିି । ବ୍ୟାଟର୍ ବିରାଟ କୋହଲି, ୱିକେଟ୍କିପର୍-ବ୍ୟାଟର୍ ରିଷଭ ପନ୍ତ, ପେସର୍ ଯଶପ୍ରୀତ ବୁମ୍ରା ଓ ମହମ୍ମଦ ଶାମୀଙ୍କୁ ମଧ୍ୟ ଏହି ଗସ୍ତ ପାଇଁ ବିଶ୍ରାମ ଦିଆଯାଇଥିବା ବେଳେ ଅଲ୍ରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟା ଟିମ୍ର ଅଂଶବିଶେଷ ହୋଇ ନାହାନ୍ତି ।
ତ୍ରିନିଦାଦ୍ର ପୋର୍ଟ ଅଫ୍ ସ୍ପେନ୍ ଠାରେ ଜୁଲାଇ ୨୨ରୁ ଆରମ୍ଭ ହେବାକୁ ଥିବା ଏହି ଶୃଙ୍ଖଳା ପାଇଁ ବ୍ୟାଟର୍ ଦୀପକ ହୁଡ଼ା, ସଞ୍ଜୁ ସାମ୍ସନ୍, ଋତୁରାଜ ଗାଏକୱାଡ଼ ଓ ପେସର୍ ଅଭେଶ ଖାଁଙ୍କୁ ୧୬ ଜଣିଆ ଟିମ୍ରେ ସାମିଲ୍ କରାଯାଇଛି । ସେମାନେ ଜୁଲାଇ ୧୨ରୁ ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଟିମ୍ର ଅଂଶବିଶେଷ ନାହାନ୍ତି ।
ଶୁବମନ ଗିଲ୍ଙ୍କୁ ମଧ୍ୟ ଚୟନକାରୀମାନେ ମନୋନୀତ କରିଛନ୍ତି । ସେ ଶେଷ ଥର ୨୦୨୦ ଡିସେମ୍ବରରେ ଦିନିକିଆ ମ୍ୟାଚ୍ ଖେଳିଥିଲେ । ରବୀନ୍ଦ୍ର ଜାଡ଼େଜାଙ୍କୁ ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି । କେବଳ ଦିନିକିଆ ଖେଳୁଥିବା ଧାବନ ଗତ ବର୍ଷ ଶ୍ରୀଲଙ୍କା ଗସ୍ତରେ ଟିମ୍ ଇଣ୍ଡିଆର ନେତୃତ୍ୱ ନେଇଥିଲେ । ସେତେବେଳେ ଟେଷ୍ଟ ବିଶେଷଜ୍ଞମାନେ ଇଂଲଣ୍ଡରେ ଥିଲେ ।
ଜୁଲାଇ ୨୪ ଓ ୨୭ରେ ଅନ୍ୟ ଦୁଇଟି ଦିନିକିଆ ଖେଳାଯିବ । ସମସ୍ତ ମ୍ୟାଚ୍ ପୋର୍ଟ ଅଫ୍ ସ୍ପେନ୍ରେ ଖେଳାଯିବ । ଟି-୨୦ ବିଶ୍ୱକପ୍ ପୂର୍ବରୁ ଭାରତର ଏହା ଶେଷ ଦିନିକିଆ ଶୃଙ୍ଖଳା । ତେଣୁ ବରିଷ୍ଠ ଖେଳାଳିମାନଙ୍କୁ ବିଶ୍ରାମ ଦିଆଯିବା ଚକିତଭରା ନିଷ୍ପତ୍ତି ନ ଥିଲା ।
ଦିନିକିଆ ଶୃଙ୍ଖଳା ପରେ ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ କାରିବିୟାନ୍ ଓ ଆମେରିକା ଠାରେ ପାଞ୍ଚଟି ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ଖେଳିବ । ଏଥିପାଇଁ ଏବେ ଟିମ୍ ଘୋଷଣା କରାଯାଇ ନାହିଁ ।
ଅଷ୍ଟ୍ରେଲିଆରେ ହେବାକୁ ଥିବା ବିଶ୍ୱକପ୍ ପୂର୍ବରୁ ପ୍ରତି ଟି-୨୦ ମ୍ୟାଚ୍କୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଥିବାରୁ ବରିଷ୍ଠ ଖେଳାଳିମାନେ ଜୁଲାଇ ୨୯ରୁ ଅଗଷ୍ଟ ୭ ଯାଏଁ ହେବାକୁ ଥିବା ପାଞ୍ଚ ମ୍ୟାଚ୍ର ଶୃଙ୍ଖଳା ପାଇଁ ଟିମ୍କୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି । ଟି-୨୦ ମ୍ୟାଚ୍ଗୁଡ଼ିକ ତ୍ରିନିଦାଦ୍, ସେଣ୍ଟ କିଟ୍ସ ଓ ଫ୍ଲୋରିଡ଼ାସ୍ଥିତ ଲୌଡରହିଲ୍ ଠାରେ ଖେଳାଯିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *