ଓଜୋନ ସ୍ତରରେ ଆଉ ଏକ ପ୍ରକାଣ୍ଡ ଛିଦ୍ର
ୱାଟରଲୁ (କାନାଡ଼ା), ୭ ।୭: ସୂର୍ଯ୍ୟରୁ ଆସୁଥିବା ମାରାତ୍ମକ ଅତିବାଇଗଣୀ ରଶ୍ମିକୁ ରୋକୁଥିବା ପୃଥିବୀର ଓଜୋନ୍ ସ୍ତରରେ ୧୯୮୦ ମସିହାରେ ସୃଷ୍ଟି ହୋଇଥିବା ଛିଦ୍ରଠାରୁ ୭ ଗୁଣ ବଡ଼ ଆଉ ଏକ ନୂଆ ଛିଦ୍ର ଠାବ କରାଯାଇଛି । ବିଷୁବ ରେଖା ଉପରେ ସୃଷ୍ଟି ହୋଇଥିବା ଏହି ବିଶାଳ ଛିଦ୍ରର ଆକାର ୨୭୦ ଲକ୍ଷ ବର୍ଗ ମାଇଲ ବୋଲି ଏକ ବୈଜ୍ଞାନିକ ଅନୁଧ୍ୟାନରୁ ଜଣାଯାଇଛି । ଏହି କାରଣରୁ ପୃଥିବୀର ପ୍ରାୟ ଅଦେ୍ର୍ଧକ ଲୋକ ଚର୍ମ କର୍କଟ ଓ ମୋତିଆ ବିନ୍ଦୁରେ ପୀଡ଼ିତ ହେବା ଆଶଙ୍କା ରହିଛି ବୋଲି ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ।
ପୃଥିବୀ ପାଇଁ ଢାଲ ଭଳି କାମ କରୁଥିବା ଓଜୋନ୍ ସ୍ତରକୁ ଭେଦ କରି ଅଧିକ ମାତ୍ରାରେ ଯେଉଁ ଅତିବାଇଗଣୀ ରଶ୍ମି ଆସିବ, ତାହା ଦ୍ୱାରା କେବଳ ମନୁଷ୍ୟ ନୁହେଁ, ପୃଥିବୀର ପ୍ରତ୍ୟେକ ଜୀବନ୍ତ ବସ୍ତୁ ପ୍ରଭାବିତ ହେବେ । ଏଆଇପି ଆଡଭାନ୍ସ ଜର୍ନାଲରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ନୂଆ ଓଜୋନ୍ ଛିଦ୍ର ବିଷୁବ ରେଖାର ଉପରେ ଠାବ କରାଯାଇଛି । ପୃଥିବୀ ପୃଷ୍ଠରୁ ୨୪ କିଲୋମିଟର ଉପରେ ରହିଛି ଓଜୋନ୍ ସ୍ତର । ଏହା ଜୀବଜଗତ ପାଇଁ ରକ୍ଷା କବଚ ଭଳି କାମ କରିଥାଏ । ୱାଟରଲୁ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ଓ ଗବେଷକ ଦଳର ମୁଖ୍ୟ ଲେଖକ କ୍ୱିଙ୍ଗ୍-ବିନ୍ ଲୁ’ କହିଛନ୍ତି, ବିଷୁବ ମଣ୍ଡଳୀୟ ଇଲାକାରେ ପୃଥିବୀ ଜନସଂଖ୍ୟାର ଅଦେ୍ର୍ଧକ ବସବାସ କରୁଛନ୍ତି । ଏହି ‘ଟ୍ରପିକାଲ୍ ଓଜୋନ୍ ହୋଲ’ ଆଗାମୀ ଦିନରେ ସମଗ୍ର ପୃଥିବୀ ପାଇଁ ଚିନ୍ତାର କାରଣ ହେବ । ସୂର୍ଯ୍ୟ ରଶ୍ମିରେ ଥିବା ପ୍ରାଣ ଘାତକ ଅତିବାଇଗଣୀ ରଶ୍ମି ଅଧିକ ମାତ୍ରାରେ ଭୂପୃଷ୍ଠକୁ ଆସି ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିଦେବ । ଏହାଛଡ଼ା କୃଷି ଉତ୍ପାଦକତା କମି ଯିବା ସହ ଜଳଚର ଜୀବ ସଂଖ୍ୟା ଦ୍ରୁତ ବେଗରେ କମିଯିବ ।
ଓଜୋନ୍ ସ୍ତରର ସୁରକ୍ଷା ପାଇଁ ପ୍ରଥମେ ୧୯୮୭ରେ ପଦକ୍ଷେପ ନିଆଯାଇଥିଲା । ମଣ୍ଟ୍ରିଲ୍ ପୋର୍ଟକଲ୍ ଅନୁଯାୟୀ ଓଜୋନ୍ ସ୍ତରରେ ଛିଦ୍ର ସୃଷ୍ଟି ହେବାର କାରଣ ଅନୁଧ୍ୟାନ କରାଯାଇଥିଲା । ୪ ବର୍ଷର ସମୀକ୍ଷା ପରେ ଗ୍ରୀନ୍ ହାଉସ୍ ଗ୍ୟାସ୍ ଉତ୍ସରଣ ରୋକିବା ଦିଗରେ ଉଦ୍ୟମ ହେଲା । ତା’ ସତ୍ତ୍ୱେ ଓଜୋନ୍ ସ୍ତରରେ ନୂଆ ଛିଦ୍ର ସୃଷ୍ଟି ହୋଇଥିବାରୁ ୪୦ ବର୍ଷ ପୂର୍ବର ଦୁଶ୍ଚିନ୍ତା ଏବେ ପୁଣି ଥରେ ବଢ଼ିଛି ।