ଚକାପାଦ-ବ୍ରାହ୍ମଣପାଦ ରାସ୍ତା ତ୍ୱରିତ ମରାମତି ଦାବି
ଚକାପାଦ (ଆପ୍ର): କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ଚକାପାଦ-ଅର୍ଚ୍ଚାଙ୍ଗୀ ୧୩କିମି ଆର୍ଡି ରାସ୍ତାର ଚକାପାଦ ଠାରୁ ବ୍ରାହ୍ମଣପାଦ ୪ କିଲୋମିଟର ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି । ପିଚୁ ଉଠିଯାଇ ଖାଲ ସୃଷ୍ଟିହୋଇ ଗମନାଗମନ ବାଧାପ୍ରାପ୍ତ ହେଉଛି । ବ୍ରାହ୍ମଣପାଦରେ ଏକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି । ପ୍ରତ୍ୟେକ ଦିନ ଅଞ୍ଚଳର ବିଭିନ୍ନ ସ୍ଥାନରୁ ରୋଗୀମାନେ ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥାନ୍ତି । ଏଣେ ଚକାପାଦରୁ ଭୂବନେଶ୍ୱର, ବୌଦ୍ଧ ଏବଂ ବ୍ରାହ୍ମଣପାଦରୁ ଫୁଲବାଣୀ, ବ୍ରହ୍ମପୁର ପ୍ରଭୃତି ସ୍ଥାନକୁ ଯାତାୟତ କରୁଥିବା ଗାଡିଗୁଡିକ ଏହି ରାସ୍ତାରେ ଯାଇଥାନ୍ତି । ରାସ୍ତାଟି ଅଣଓସାରିଆ କାରଣରୁ ବିପରୀତ ଦିଗରୁ ଆସୁଥିବା ଯାନ ଗୁଡିକ ପାଇଁ ବହୁ ସମୟରେ ବିପଜ୍ଜନକ ସ୍ଥିତି ଦୃଷ୍ଟି ଗୋଚର ହେଉଛି । ଏହି ପରିପ୍ରେକ୍ଷୀରେ ରାସ୍ତାଟିର ତ୍ୱରିତ ମରାମତି ପାଇଁ ଅଞ୍ଚଳବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି ।