ଟି-୨୦ ଟିମ୍ରୁ ବାଦ୍ ପଡ଼ିପାରନ୍ତି କୋହଲି

ନୂଆଦିଲ୍ଲୀ, ୭ା୭ (ଏଜେନ୍ସି): ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ତିନି ବର୍ଷ ହେଲା ଦୁର୍ବଳ ଫର୍ମ ଦେଇ ଗତି କରୁଛନ୍ତି । ଏଥିଯୋଗୁଁ ତାଙ୍କୁ ଏକ ବଡ଼ ଝଟ୍କା ଲାଗିପାରେ । ମିଡିଆ ରିପୋର୍ଟ ଅନୁଯାୟୀ ଭାରତୀୟ ଟିମ୍ ମ୍ୟାନେଜ୍ମେଣ୍ଟ ଓ ଚୟନକାରୀମାନଙ୍କୁ ଲାଗୁଛି ଯେ ବିରାଟ ଏବେ ଟି-୨୦ ଟିମ୍ର ମଧ୍ୟକ୍ରମରେ ଫିଟ୍ ହେଉ ନାହାନ୍ତି । ଆସନ୍ତା ୧୦ ଦିନ ମଧ୍ୟରେ ଇଂଲଣ୍ଡରେ ଟି-୨୦ ଓ ଦିନିକିଆ ଶୃଙ୍ଖଳା ଖେଳାଯିବ । ଏପରିସ୍ଥଳେ ଯଦି ଇଂଲଣ୍ଡରେ ସେ ବିଫଳ ହୁଅନ୍ତି, ତା’ହେଲେ ତାଙ୍କୁ ଟିମ୍ରୁ କାଢ଼ି ଦିଆଯିବ । ମ୍ୟାନେଜ୍ମେଣ୍ଟ ବିଚାରରେ ରିଷଭ ପନ୍ତ, ଶ୍ରେୟାସ ଆୟର, ଦିନେଶ କାର୍ତ୍ତିକ ଓ ଦୀପକ ହୁଡ଼ା ମଧ୍ୟକ୍ରମ ପାଇଁ କୋହଲିଙ୍କ ଠାରୁ ଉତ୍ତମ ବିକଳ୍ପ ହେବେ ।
ଟିମ୍ ମ୍ୟାନେଜ୍ମେଣ୍ଟ ଓ ଚୟନକାରୀ କୋହଲିଙ୍କୁ ଟି-୨୦ ଟିମ୍ରେ ସ୍ଥାନ ଦେବା ନେଇ ସ୍ପଷ୍ଟ ନୁହନ୍ତି । ଟିମ୍ର ଶୀର୍ଷ ଖେଳାଳି ରୋହିତ ଶର୍ମା, ରିଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟା ୱେଷ୍ଟଇଣ୍ଡିଜ୍ର ଟି-୨୦ ଶୃଙ୍ଖଳାରେ ଟିମ୍ର ଅଂଶବିଶେଷ ହେବେ; କିନ୍ତୁ କୋହଲିଙ୍କୁ ସେତିକିବେଳେ ସୁଯୋଗ ମିଳିବ ଯେତେବେଳେ ସେ ଇଂଲଣ୍ଡ ବିପକ୍ଷ ଶୃଙ୍ଖଳାରେ ଭଲ ପ୍ରଦର୍ଶନ କରିବେ । ଯଦି ସେ ଭଲ ନ ଖେଳନ୍ତି, ତା’ହେଲେ ଟି-୨୦ ଟିମ୍ ସହିତ ବିଶ୍ୱକପ୍ ଟିମ୍ରୁ ମଧ୍ୟ ବାଦ୍ ପଡ଼ିପାରନ୍ତି ।
ଟିମ୍ ମ୍ୟାନେଜ୍ମେଣ୍ଟର ଏକ ନିଷ୍ପତ୍ତି ଇଙ୍ଗିତ ଦେଉଛି ଯେ କୋହଲିଙ୍କ ଟି-୨୦ କ୍ୟାରିଅର ସଙ୍କଟରେ କରିପାରେ । ବୁଧବାର ୱେଷ୍ଟଇଣ୍ଡିଜ୍ ଗସ୍ତ ଲାଗି ଯେଉଁ ଟିମ୍ ଚୟନ କରାଯାଇଛି, ତାହା କେବଳ ଦିନିକିଆ ଶୃଙ୍ଖଳା ପାଇଁ ଉଦ୍ଦିଷ୍ଟ । ଏଥିରେ କୋହଲିଙ୍କ ସମେତ ବରିଷ୍ଠ ଖେଳାଳିମାନଙ୍କୁ ବିଶ୍ରାମ ଦିଆଯାଇଛି । ଏପରିସ୍ଥଳେ ଏହା ସ୍ପଷ୍ଟ ଯେ ଇଂଲଣ୍ଡ ବିପକ୍ଷ ଶୃଙ୍ଖଳାରେ କୋହଲିଙ୍କ ପ୍ରଦର୍ଶନକୁ ପରଖାଯିବ ।
ଆଇପିଏଲ୍ରେ ବି ବିଫଳ ହୋଇଥିଲେ କୋହଲି
ଗତ ଅଢ଼େଇ ବର୍ଷ ହେଲା କ୍ରିକେଟ୍ ଗ୍ରାଉଣ୍ଡରେ ଆଭରେଜ୍ ପ୍ରଦର୍ଶନ କରୁଥିବା ବିରାଟ କୋହଲିଙ୍କ ବ୍ୟାଟ୍ ଆଇପିଏଲ୍-୧୫ରେ ବି ଶାନ୍ତ ରହିଥିଲା । କୋହଲି ୧୬ ମ୍ୟାଚ୍ରେ ୨୨.୭୩ ଆଭରେଜ୍ରେ ମାତ୍ର ୩୪୧ ରନ୍ କରିଥିଲେ । ୨୦୦୯ ପରେ ପ୍ରଥମ ଥର କୋହଲି କୌଣସି ଆଇପିଏଲ୍ ସିଜନ୍ରେ ୨୫ରୁ କମ୍ ଆଭରେଜ୍ରେ ଖେଳିଥିଲେ । ଟିମ୍ର ଅଧିନାୟକତ୍ୱ ଛାଡ଼ିବା ପରେ କେବଳ ବ୍ୟାଟର୍ ଭାବେ ଖେଳୁଥିବା କୋହଲି ଆଇପିଏଲ୍-୧୫ର ଉଭୟ ନକ୍ଆଉଟ୍ରେ ବିଫଳ ହୋଇଥିଲେ ।
କେମିତି ଫର୍ମକୁ ଫେରିପାରିବେ କୋହଲି
କୋହଲି ଫର୍ମକୁ ଫେରିବାର ସବୁଠାରୁ ଉତ୍ତମ ତରିକା ହେଉଛି ଯେ ସେ ନିଜ ବେସିକ୍ସ ଉପରେ ଧ୍ୟାନ ଦେବେ । ଏବେ କୋହଲି ଟି-୨୦ କ୍ରିକେଟ୍ରେ ନିଜ ବ୍ୟାଟିଂ ସହିତ ଏକ ନୂଆ ପ୍ରୟୋଗ କରୁଥିବାର ଦେଖିବାକୁ ମିଳୁଛି । ସେ କ୍ରିଜ୍କୁ ଆସୁ ଆସୁ ଚୌକା-ଛକା ଲଗାଇବାକୁ ଚାହୁଁଛନ୍ତି ।
କିନ୍ତୁ କୋହଲିଙ୍କ ଖେଳିବା ପାଟର୍ଣ୍ଣ ସେମିତି ନୁହେଁ । କୋହଲି ସବୁବେଳେ ୧୫ରୁ ୨୦ ବଲ୍ ଯାଏଁ ୧୦୦ ବା ୧୨୦ ଷ୍ଟ୍ରାଇକ୍ ରେଟ୍ରେ ରନ୍ କରନ୍ତି ଏବଂ କ୍ରିଜ୍ରେ ଜମିବା ପରେ ବଡ଼ ବଡ଼ ସଟ୍ ଖେଳନ୍ତି । ସେ ଫର୍ମକୁ ଫେରିବା ପାଇଁ ଗୋଟିଏ ଉପାୟ ହେଉଛି, କ୍ରିଜ୍ରେ ଅଧିକ ସମୟ ବିତାଇବା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *