ଭୂସ୍ଖଳନରେ ୩ ମୃତ, ଶିକ୍ଷାନୁଷ୍ଠାନ ବନ୍ଦ
କର୍ଣ୍ଣାଟକରେ ବର୍ଷା ବିତ୍ପାତ
ବେଙ୍ଗାଲୁରୁ (ଏଜେନ୍ସି): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଉତ୍ତର ଭାରତ ଓ ଦକ୍ଷିଣ ଭାତରରେ ଅନବରତ ବର୍ଷା ଲାଗି ରହିଛି । କର୍ଣ୍ଣାଟକରେ ବର୍ଷା ବିତ୍ପାତ ଅବ୍ୟାହତ ରହିବା ସହିତ ଭୂସ୍ଖଳନରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ଏତଦ୍ଭିନ୍ନ ରାଜ୍ୟର ଉପକୂଳ ଅଞ୍ଚଳରେ ଆହୁରି ଅଧିକ ବର୍ଷା ହେବା ନେଇ ପାଣିପାଗ ବଭାଗ ଆଲର୍ଟ ଜାରି କରିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସଂପୃକ୍ତ ଅଞ୍ଚଳରେ ଥିବା ସବୁ ଶିକ୍ଷାନୁଷ୍ଠାନକୁ ବନ୍ଦ କରିଦେଇଛନ୍ତି ।
କର୍ଣ୍ଣାଟକର ମାଙ୍ଗାଲୋର ଜିଲ୍ଲାରେ ଭୂସ୍ଖଳନ ହୋଇଛି । ବୁଧବାର ଅପରାହ୍ଣରେ କେରଳର ପାଞ୍ଚ ଜଣ ଶ୍ରମିକ ଦକ୍ଷିଣ କର୍ଣ୍ଣାଟକର ପଞ୍ଜିକଲ୍ଲୁ ଗାଁର ହେନରୀ କାର୍ଲୋ ନାମକ ଜଣେ ବ୍ୟକ୍ତିଙ୍କ ବିଲରେ କାମ କରୁଥିବା ସମୟରେ ଭୂସ୍ଖଳନ ହେବା ଯୋଗୁ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ୨ ଜଣ ଶ୍ରମିକ ପୋତି ହୋଇଯାଇଥିଲେ । ଆଉ ଦୁଇଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଗୁରୁବାର ସକାଳେ ଦୁଇ ଜଣଙ୍କ ମୃତୁ୍ୟ ହୋଇଛି । ମୃତ ଶ୍ରମିକମାନେ ହେଲେ ପଲକଡ୍ଡର ବିଜୁ, କୋଟ୍ଟାୟମର ବାବୁ ଓ ଅଲାଫୁଝାର ସନ୍ତୋଷ । କନ୍ନୁରର ଜନିଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।
ଅନ୍ୟପକ୍ଷରେ ମୁମ୍ବାଇ ଓ ହିମାଚଳ ପ୍ରଦେଶରେ ମଧ୍ୟ ପ୍ରବଳ ବର୍ଷା ହେତୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ମୁମ୍ବାଇରେ ଲୋକେ ଘରୁ ବାହାରିବା ଅସମ୍ଭବ ହୋଇପଡ଼ିଛି । ଯାନ ବାହନ ଓ ଲୋକାଲ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି ।