ଶିକ୍ଷାନୁଷ୍ଠାନ କମିଟିକୁ ଅଧିକ କ୍ରିୟାଶୀଳ କରିବାକୁ ପରାମର୍ଶ
ରାଗିଂ ସଚେତନତା ବୈଠକ
ଛତ୍ରପୁର (ଆପ୍ର): ଶିକ୍ଷାନୁଷ୍ଠାନରେ ରାଗିଂ କରିବା ଏକ ଦଣ୍ଡନୀୟ ଅପରାଧ । ରାଗିଂ ଦ୍ୱାରା ଛାତ୍ର ଛାତ୍ରୀ ମାନସିକ ଚାପଗ୍ରସ୍ତ ହୋଇ ଅପବାଦକୁ ସହି ନ ପାରି ଶେଷରେ ନିଜ ଅମୂଲ୍ୟ ଜୀବନକୁ ହାରି ଥାନ୍ତି । ଏପରି ଜଘନ୍ୟ କାଣ୍ଡକୁ ରୋକିବା ସକାଶେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଆଗୁଆ ପଦକ୍ଷେପ ଗ୍ରହଣ କରି ସମସ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟଙ୍କୁ ଜଣାଇଛନ୍ତି । ଏହି ପରିପ୍ରେକ୍ଷୀରେ ଗୁରୁବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ରାଗିଂ ବିରୁଦ୍ଧରେ ନିଜ ନିଜ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ସଚେତନ କରାଇବାକୁ ଜିଲ୍ଲାପାଳ ଶ୍ରୀ ପରିଡ଼ା ସମସ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟଙ୍କୁ ଜଣାଇଥିଲେ । ରାଗିଂ ରୋକିବାରେ ଛାତ୍ରାବାସର ୱାର୍ଡନଙ୍କର ଗୁରୁତ୍ୱପୂର୍ଣ ଭୂମିକା ରହିଛି । ଶିକ୍ଷାନୁଷ୍ଠାନ କମିଟିକୁ ଅଧିକ କ୍ରିୟାଶୀଳ କରିବାକୁ ଜିଲ୍ଲାପାଳ କହିଛନ୍ତି ।
ଛାତ୍ର ନେତାଙ୍କୁ ଅଧିକ ସଚେତନ କରିବା ସହିତ ସେମାନଙ୍କ ଠାରୁ ଲିଖିତ ପ୍ରତିଶ୍ରୁତି ଗ୍ରହଣ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଶିକ୍ଷାନୁଷ୍ଠାନରେ ରାଗିଂ ସମ୍ପର୍କିତ ସୂଚନା ନିକଟସ୍ଥ ପୁଲିସ୍ ପ୍ରଶାସନକୁ ଅବଗତ କରାଇବା ପାଇଁ ଗଞ୍ଜାମ ଏସ୍ପି ବ୍ରିଜେଶ୍ କୁମାର ରାୟ ପରାମର୍ଶ ଦେଇଥିଲେ । ସମସ୍ତ ପୁଲିସ ଅଧିକାରୀ ପ୍ରାଥମିକତା ଭିତ୍ତିରେ ପଦକ୍ଷେପ ଗ୍ରହଣ କରିବେ । ସରକାରୀ ନିଦେ୍ର୍ଦଶାବଳୀକୁ ପାଳନ କରି ଛୁଟି ଦିନ ବା ସଂଧ୍ୟାରେ ଛାତ୍ରାବାସ ଓ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିବା ଦିଗରେ ଅଧିକ ତତ୍ପରତା ପ୍ରକାଶ କରିବା ପାଇଁ ପରାମର୍ଶ ଦିଆଯାଇଛି । ପ୍ରତ୍ୟେକ ଶିକ୍ଷାନୁଷ୍ଠାନର ମୁଖ୍ୟ ରାଗିଂ ସମ୍ପର୍କିତ କୌଣସି ସୂଚନା ପାଇଲେ ତୁରନ୍ତ ପୁଲିସର ସହଯୋଗ ନେବାକୁ ଏସ୍ପି ପରାମର୍ଶ ଦେଇଥିଲେ । ବୈଠକରେ ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରାୟ, ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଉଚ୍ଚ ଶିକ୍ଷା ବିଭାଗର ସହକାରୀ ନିଦେ୍ର୍ଦଶକ ଏସ୍. ସୁଧାକର, ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ରେଜିଷ୍ଟ୍ରାର ରଞ୍ଜିତ କୁମାର ରଞ୍ଜନ, ପାରଳା ମହାବିଦ୍ୟାଳୟର ଅଧ୍ୟକ୍ଷ, ଉମାଚରଣ ପଟ୍ଟନାୟକ ଇଞ୍ଜିନିୟରିଂ ସ୍କୁଲର ଅଧ୍ୟକ୍ଷ, ଏମ୍.କେ.ସି.ଜି. ମେଡିକାଲ କଲେଜର ଡିନ୍ ପ୍ରମୁଖ ଉପସ୍ଥିତ ଥିଲେ ।