ଆଜି ଆଡ଼ପମଣ୍ଡପରେ ସନ୍ଧ୍ୟା ଦର୍ଶନ
ପୁରୀ (ବୁ୍ୟରୋ): ବୁଧବାର ଦର୍ପଦଳନ, ତାଳଧ୍ୱଜ ଓ ନନ୍ଦିଘୋଷ ରଥ ଦକ୍ଷିଣମୋଡ଼ ହୋଇ ନାକଚଣା ଦ୍ୱାରରେ ପହଞ୍ଚିଥିଲେ । ଗୁରୁବାର ଦିନତମାମ ଶ୍ରୀଜିଉଙ୍କ ନୀତିକାନ୍ତି ଜାରି ରହିଥିଲା । ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ଏବେ ମହାପ୍ରଭୁଙ୍କ ଅପେକ୍ଷାରେ ରହିଛି ତିନି ବ୍ରହ୍ମମୟ ରଥ । ଶୁକ୍ରବାର ନବମୀତିଥିରେ ମହାପ୍ରଭୁ ଆବିର୍ଭାବ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଇ ବାହୁଡ଼ା ଦଶମୀରେ ବାହାରିବେ ଶ୍ରୀମନ୍ଦିର ଅଭିମୁଖେ । ଭକ୍ତମାନେ ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କୁ ସନ୍ଧ୍ୟା ଦର୍ଶନ କରିଥାନ୍ତି । ଗତ ୨ ବର୍ଷ ଭକ୍ତମାନେ ସନ୍ଧ୍ୟାଦର୍ଶନରୁ ବଞ୍ଚିତ ରହିଥିଲେ । ଚଳିତବର୍ଷ ଭକ୍ତ ମହାପ୍ରଭୁଙ୍କ ଦୁର୍ଲଭ ସନ୍ଧ୍ୟାଦର୍ଶନର ସୁଯୋଗ ଲାଭ କରିବେ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ସରିଛି । ଅପରାହ୍ନ ୪ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କୁ ଆଡ଼ପମଣ୍ଡପରେ ଦର୍ଶନ କରିବାର ସୌଭାଗ୍ୟ ଲାଭ କରିବେ । ପରେ ପରେ ଶନିବାର ବାହୁଡ଼ାଯାତ୍ରା ଲାଗି ପ୍ରସ୍ତୁତି ଆରମ୍ଭ ହେବ ।
ଏକ ନିବୁଜ କୋଠରୀ ମଧ୍ୟରେ ଅନନ୍ତ ମହାରଣା ମହାପ୍ରଭୁଙ୍କ ନିର୍ମାଣ କରିଥିଲେ । ସର୍ତ୍ତ ରହିଥିଲା ୧୫ ଦିନ ପର୍ଯ୍ୟନ୍ତ ଉକ୍ତ କୋଠରୀ ଖୋଲାଯିବ ନାହିଁ କି କେହି ଡାକିବେ ନାହିଁ । ନିର୍ମାଣର କିଛିଦିନ ପରେ କୋଠରୀ ବାହାରକୁ ଆଉ ଠକ୍ ଠକ୍ ଶଦ୍ଦ ଶୁଭିଲା ନାହିଁ । ଏଥିରେ ବିଚଳିତ ହୋଇ ପଡ଼ିଥିଲେ ରାଣୀ ଗୁଣ୍ଡିଚା । ମହାରଣା ମରିଯାଇଥିବା ଆଶଙ୍କା କରିଥିଲେ ରାଣୀ । ନିର୍ମାଣ ଚାଲିଥିବା ନିବୁଜ କୋଠରୀ (ଆବିର୍ଭାବ ମଣ୍ଡପ)କୁ ମହାପ୍ରଭୁ ଖୋଲିବା ଲାଗି ମହାରାଜା ଇନ୍ଦ୍ରଦୁ୍ୟମ୍ନଙ୍କୁ ବାଧ୍ୟ କରିଥିଲେ । ଅନନ୍ତ ମହାରଣା ରୂପରେ ମହାପ୍ରଭୁ ନିଜେ ନିଜକୁ ତିଆରି କରୁଥିବା ବେଳେ ସର୍ତ୍ତ ପୂରଣ ପୂର୍ବରୁ ନବମୀ ତିଥି ସନ୍ଧ୍ୟାରେ ଦ୍ୱାର ଖୋଲି ଦେଇଥିଲେ ମହାରାଜା ଇନ୍ଦ୍ରଦୁ୍ୟମ୍ନ । ନିବୁଜ କୋଠରୀ ଖୋଲିବା ପରେ ବର୍ତ୍ତମାନ ପୂଜିତ ହେଉଥିବା ମୂର୍ତ୍ତି ସଦୃଶ ଚତୁର୍ଦ୍ଧାବିଗ୍ରହଙ୍କ ପ୍ରଥମ ଦର୍ଶନ ପାଇଥିଲେ ମହାରାଜା ଇନ୍ଦ୍ରଦୁ୍ୟମ୍ନ । ସେଥିଲାଗି ନବମୀ ତିଥି ସନ୍ଧ୍ୟାରେ ଆବିର୍ଭାବ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ସନ୍ଧ୍ୟା ଦର୍ଶନ ଭାବେ ବିଦିତ । ସାଧୁ ସନ୍ଥମାନେ ନବଦିନ ବ୍ରତ ପାଳନ କରି ଏହି ଦିନ ଇନ୍ଦ୍ରଦୁ୍ୟମ୍ନ ପୁଷ୍କରିଣୀରେ ସ୍ନାନ କରି ସନ୍ଧ୍ୟାରେ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରିଥାନ୍ତି । ଏହି ଦିନରେ ଆବିର୍ଭାବ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କରି ସାଧୁସନ୍ଥ ଓ ବ୍ରାହ୍ମଣଙ୍କୁ ଅନ୍ନ ଭୋଜନ ଦେଲେ ପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି ।
ଭୋର ୪ଟାରେ ଦ୍ୱାର ଫିଟା, ମଙ୍ଗଳଆଳତି- ୪ଟା୩୦, ମଇଲମ ଓ ତଡ଼ପଲାଗି-୫ଟା, ଅବକାଶ- ୬ଟା, ରୋଷହୋମ- ୬ଟା ୧୫, ସୂର୍ଯ୍ୟପୂଜା-୬ଟା ୩୦, ଦ୍ୱାରପାଳ ପୂଜା- ୬ଟା ୪୫, ବେଶ ଶେଷ- ୭ଟା, ଗୋପାଳ ବଲ୍ଲଭ ପୂଜା- ୭ଟା ୩୦, ସକାଳ ଧୂପ ଓ ଭୋଗ ମଣ୍ଡପ- ୮ଟାରୁ ୧୦ଟା ୩୦, ମଇଲମ-୧୦ଟା ୪୫, ଯାତ୍ରାଙ୍ଗୀ ମହାସ୍ନାନ- ୧୧ଟା ୩୦, ସର୍ବାଙ୍ଗ-୧୨ଟା, ନୂଆ ଲାଗି – ବେଶ – ୧ଟା, ମଧ୍ୟାହ୍ନ ଧୂପ ଓ ଦ୍ୱିତୀୟ ଭୋଗ ମଣ୍ଡପ- ୧ଟା୩୦ରୁ ୩ଟା ୩୦, ମଇଲମ ଓ ବେଶ- ୩ଟା ୪୫ରୁ ୪ଟା ୪୦, ସନ୍ଧ୍ୟା ଆଳତୀ ୫ଟା, ସନ୍ଧ୍ୟା ଧୂପ ଓ ତୃତୀୟ ଭୋଗ ମଣ୍ଡପ ୫ଟା ୩୦ରୁ ୭ଟା ୩୦, ରାହାସକୁ ଦିଅଁ ବିଜେ- ୮ଟା, ମଇଲମ- ୮ଟା୧୫, ଚନ୍ଦନଲାଗି- ୮ଟା୩୦, ବଡ଼ସିଂହାରବେଶ- ୯ଟା, ବଡ଼ସିଂହାର ଭୋଗ- ୯ଟା ୩୦, ପହୁଡ଼ ଆଳତି- ୧୦ଟା, ଶ୍ରୀମୁଖଖଣ୍ଡୁଆ- ୧୦ଟା୧୫, ବାହୁଟକଣ୍ଟ- ୧୦ଟା ୩୦, ଚାରବନ୍ଧା- ୧୧ଟାରୁ ରାତ୍ର୨ଟା, କୁସୁମିଲାଗି- ୨ଟା ୩୦ରୁ ୩ଟା ୩୦ ।
