ଗଡ଼ିଲା ଭ୍ରାମ୍ୟମାଣ ସଚେତନତା ରଥ
ବାଲ୍ୟବିବାହ ଓ ଶିଶୁ ଅପରାଧ ରୋକିବାକୁ ପ୍ରୟାସ
ଭଦ୍ରକ (ଆପ୍ର): ବାଲ୍ୟ ବିବାହ ନିଷେଧ ଓ ଶିଶୁ ଅପରାଧ ବନ୍ଦ କରିବା ନିମନ୍ତେ ଜନ ସଚେତନତା ବୃଦ୍ଧି ଉଦେ୍ଦଶ୍ୟରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ପ୍ରସ୍ତୁତ ଭ୍ରାମ୍ୟମାଣ ସଚେତନତା ରଥକୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ସିଦେ୍ଧଶ୍ୱର ବଳିରାମ ବୋନ୍ଦର ଏବଂ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି ସବୁଜ ପତାକା ହଲାଇ ଶୁଭାରମ୍ଭ କରିଥିଲେ । ବାଲ୍ୟ ବିବାହକୁ ନା ସ୍କୁଲ ଯିବାକୁ ହଁ କହିବା, ବାଲ୍ୟ ବିବାହ ଏକ ଅପରାଧ, ବାଲ୍ୟ ବିବାହ ବନ୍ଦ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ଆଦି ବାର୍ତ୍ତା ବହନ କରୁଥିବା ଏହି ସଚେତନତା ରଥ ଜିଲ୍ଲାର ସମସ୍ତ ବ୍ଲକ୍ର ପରିକ୍ରମା କରିବ । ଝିଅର ବିବାହ ୧୮ ବର୍ଷ ପୂର୍ବରୁ ପୁଅର ବିବାହ ୨୧ ବର୍ଷ ପୂର୍ବରୁ କରାଯାଇ ପାରିବ ନାହିଁ । ବାଲ୍ୟ ବିବାହ ଅପରାଧ ନେଇ ଦଣ୍ଡ ଓ ଜୋରିମାନାର ଭାଗିଦାରୀ ନହେବା ପାଇଁ ଏଥିରେ ସଚେତନ କରାଯାଇଛି । କର୍ମକ୍ଷେତ୍ରରେ ଯୌନ ଅତ୍ୟାଚାର, ଲିଙ୍ଗ ନିରୂପଣ, ଲିଙ୍ଗ ପରୀକ୍ଷା, ଲିଙ୍ଗଗତ ଭେଦଭାବ, ଦୁର୍ବ୍ୟବହାର, ଘରୋଇ ହିଂସା ଆଦି ଘଟଣା ସମୟରେ ଚୁପ୍ ନ ରହିବା ନେଇ ମଧ୍ୟ ସଚେତନ କରାଯାଇଛି । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ, ଜିଲ୍ଲା ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ବାଲ୍ୟ ବିବାହ ନିଷେଦ୍ଧ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ଅସୀମ ଅମିତାଭ ଦାସ ପ୍ରମୁଖଙ୍କ ସହ ସିଡିପିଓ ସୁପରଭାଇଜର, ଅଙ୍ଗନବାଡ଼ି କର୍ମୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।