ନବୀନଙ୍କଠୁ ଦେଶ ଶିଖୁ
ପଣଗରିୟାଙ୍କ ପ୍ରଶଂସା
ଭୁବନେଶ୍ୱର,୬ା୭(ବୁ୍ୟରୋ): ଦିନେ ଭୋକର ଭୂଗୋଳ କହିଲେ ସାରା ବିଶ୍ୱରେ ଚିତ୍ରିତ ହେଉଥିଲା ଓଡ଼ିଶା । ଏବେ ଏହି ଦୁର୍ନାମ ଆଉ ନାହିଁ । ଭୋକିଲା ରାଜ୍ୟରୁ ବଳକା ଖାଦ୍ୟଶସ୍ୟ ରାଜ୍ୟରେ ପରିଣତ ହୋଇଛି ଓଡ଼ିଶା । ଏହାସହ ଗରିବୀ କମାଇବାରେ ଓଡ଼ିଶା ଜାତୀୟ ସ୍ତରରେ ରେକର୍ଡ କରିଛି । ସାରା ଦେଶ ନବୀନ ବାବୁଙ୍କଠାରୁ ଶିଖୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରି ଏକ ଆଲେଖ୍ୟରେ ଏଭଳି ବର୍ଣ୍ଣନା କରିଛନ୍ତି ନିତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଅଧ୍ୟକ୍ଷ ତଥା କଲମ୍ବିଆ ବିଶ୍ୱବିଦ୍ୟାଳୟରେ ଅର୍ଥନୀତି ବିଭାଗର ପ୍ରଫେସର ଅରବିନ୍ଦ ପଣଗରିୟା ।
ଜାତୀୟ ଗଣମାଧ୍ୟମ “ଟାଇମ୍ସ ଅଫ୍ ଇଣ୍ଡିଆ’ର ସଂପାଦକୀୟ ପୃଷ୍ଠାରେ ସେ ଏକ ଆଲେଖ୍ୟରେ ୨୨ ବର୍ଷର ନବୀନ ସରକାରରେ ଓଡ଼ିଶାରେ ହୋଇଥିବା ବିକାଶକୁ ଦର୍ଶାଇଛନ୍ତି । ନବୀନଙ୍କ ୨୨ ବର୍ଷର ଶାସନ ଓଡ଼ିଶା ଭଳି ରାଜ୍ୟକୁ କିପରି ଅର୍ଥନୈତିକ, କୃଷିଭିତ୍ତିକ ଓ ସମାନ୍ତରାଳ ବିକାଶ ଦିଗରେ ଆଗକୁ ବଢ଼ାଇଛି, ସେ ବିଷୟରେ ଉଲ୍ଲେଖ କରିଛନ୍ତି ପଣଗରିୟା । ୨୦୦୦ ମସିହାର ସ୍ଥିତି ଓ ଆଜିର ସ୍ଥିତି ମଧ୍ୟରେ ଆକାଶ ପାତାଳ ତଫାତ ଦେଖିବାକୁ ମିଳିଛି । ବିକାଶ ସହିତ ଓଡ଼ିଶା କେଉଁଥିରେ ନିଜକୁ ସୁଦୃଢ଼ କରିପାରିବ, ତାକୁ ନେଇ ପରାମର୍ଶ ଦେଇଛନ୍ତି ପଣଗରିୟା । ରାଜ୍ୟରେ ୪୮ ଦଶମିକ ୩ ପ୍ରତିଶତ ଶ୍ରମଜୀବୀ କୃଷି କ୍ଷେତ୍ର ସହ ଜଡ଼ିତ । ଏହି ସଂଖ୍ୟାକୁ କମାଇବାର ଆବଶ୍ୟକତା ରହିଛି । ଶିଳ୍ପ, ଆଇଟି ଭଳି ଅଧିକ ଦରମା ପାଉଥିବା ଶ୍ରମଜୀବୀଙ୍କ ସଂଖ୍ୟା ବାଇବାକୁ ପଡ଼ିବ । ଚାକିରିଆ ନ ହୋଇ ଉଦ୍ୟୋଗୀ ହେବାକୁ ପରାମର୍ଶ ଦେଇଛନ୍ତି ଡକ୍ଟର ପଣଗରିୟା । ରାଜନୀତି ହେଉ କି ଅର୍ଥନୀତି ହେଉ, ସବୁଥିରେ ନବୀନଙ୍କୁ ଏକ ନମ୍ବର ଭାବେ ଚିତ୍ରଣ କରିଛନ୍ତି ପ୍ରଫେସର ପଣଗରିୟା । ମହାବାତ୍ୟା ପରର ଓଡ଼ିଶାକୁ ନବୀନ କିପରି ସମ୍ଭାଳିଛନ୍ତି, ତାକୁ ମଧ୍ୟ ଉଲ୍ଲେଖ କରିଛନ୍ତି ସେ । ବିକାଶ ସହିତ ଓଡ଼ିଶା ପ୍ରତି ଥିବା ଚ୍ୟାଲେଞ୍ଜକୁ ମଧ୍ୟ ଚିତ୍ରଣ କରିଛନ୍ତି ପଣଗରିୟା ।
ଏହି ଆଲେଖ୍ୟରେ ପଣଗରିୟା ଲେଖିଛନ୍ତି ଯେ ୨୦୦୪-୦୫ରେ ଓଡ଼ିଶାର ଦାରିଦ୍ର୍ୟ ହାର ଥିଲା ୫୭. ୬%, ୨୦୧୧-୧୨ ଏହା କମି ୩୨.୯%କୁ ପହଞ୍ଚିଥିଲା । ଓଡ଼ିଶାରେ ଗ୍ରାମାଞ୍ଚଳର ଚିତ୍ର ୨୨ ବର୍ଷରେ ବଦଳିଯାଇଛି ଓ ରାଜ୍ୟର ବାର୍ଷିକ ଆୟ ବୃଦ୍ଧି ପାଇଛି । ଜନସାଧାରଣଙ୍କ ମୁଣ୍ଡପିଛା ଆୟ ମଧ୍ୟ ବୃଦ୍ଧି ପାଇଛି ଓ ରାଜ୍ୟର ଅଭିବୃଦ୍ଧି ହାର ୨୦୦୦ ମସିହା ତୁଳନାରେ ୩% ବଢ଼ିଛି । ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତିଙ୍କର ବିକାଶ ହୋଇଛି ଓ ଚାଷୀଙ୍କର ବାର୍ଷିକ ଆୟ ଅନ୍ୟ ରାଜ୍ୟ ତୁଳନାରେ ବୃଦ୍ଧି ପାଇଥିବା ସେ ଉଲ୍ଲେଖ କରିଛନ୍ତି ।