୭ଠ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୪ ଗିରଫ
ବାରିପଦା (ଆପ୍ର): ବାରିପଦା ଟାଉନ୍ ପୁଲିସ ସୋମବାର ରାତିରେ ସହର ଉପକଣ୍ଠ ୧୮ ନମ୍ବର ଜାତୀୟ ରାଜପଥରୁ ୩ଟି କାର୍ରେ ୩ କୁଇଣ୍ଟାଲ ୮୧ କିଲୋ ୯୮୦ ଗ୍ରାମ୍ ଗଞ୍ଜେଇ ଝାରଖଣ୍ଡ ଚାଲାଣ ହେଉଥିବା ବେଳେ ୪ ଜଣ ଆନ୍ତରାଜ୍ୟ ମାଫିଆକୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି । ସେମାନେ ହେଲେ ସୀମାନ୍ତ ଝାଡ଼ଖଣ୍ଡ ପ୍ରଦେଶ ମୁଶାବଣି ଅଞ୍ଚଳର ସେକ୍ ସୌକତ (୩୩), ଘାଟଶିଳା ଅଞ୍ଚଳର ରିଜୁଆନ ଆନ୍ସାରୀ (୩୫), ପ୍ରେମ ସିଂ ସର୍ଦ୍ଦାର (୨୫) ଓ ଲକ୍ଷ୍ମଣ ମୁର୍ମୁ । ସେମାନଙ୍କ ଠାରୁ ୩ଟି ଦାମୀ କାର୍, ୪ଟି ଜାଲ୍ ଗାଡ଼ି ନମ୍ବର ପ୍ଲେଟ୍ ଏବଂ ୪ଟି ମୋବାଇଲ୍ ଜବତ କରିଛି । ମୟୂରଭଞ୍ଜ ପୁଲିସ ଏ ସଂକ୍ରାନ୍ତରେ ଟାଉନ ଥାନାରେ କେସ ନଂ ୫୪୬/୨୨ରେ ମାମଲା ରୁଜୁ କରିଛି ।
ମାଲକାନଗିରିରୁ ଝାଡ଼ଖଣ୍ଡର ଘାଟଶିଳା ଅଞ୍ଚଳକୁ ନିୟମିତ ୧୮ ନମ୍ବର ଜାତୀୟ ରାଜପଥ ଦେଇ ଚୋରା ଗଞ୍ଜେଇ ଚାଲାଣ କରାଯାଉଥିବା ଟାଉନ ପୁଲିସ ଓ ଏକ ଟିମ୍କୁ ଖବର ମିଳିଥିଲା । ବୈଶିଙ୍ଗା ନିକଟରେ ପୁଲିସ ଉପରୋକ୍ତ ୩ଟି ଗଞ୍ଜେଇ ବୋଝେଇ କାର୍ରେ ଚଢ଼ଉ କରିଥିଲା । ଏହି ଗଞ୍ଜେଇର ମୂଲ୍ୟ ୭୦ ଲକ୍ଷ ୨୦ ହଜାର ଟଙ୍କା ବୋଲି ଜଣାପଡ଼ିଛି ।