ସୂତାଖିଅରେ ବୋରିସ୍ଙ୍କ ଭାଗ୍ୟ
ବ୍ରିଟେନ୍ରେ ୬ ମନ୍ତ୍ରୀ, ୩୫ ସାଂସଦଙ୍କ ଇସ୍ତଫା
ଲଣ୍ଡନ, ୬ ।୭: ଇସ୍ତଫା ଦେବାଲାଗି ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ଙ୍କ ଉପରେ ଚାପ ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ଭିତରେ ୬ ଜଣ ମନ୍ତ୍ରୀ ଓ ୩୫ ସାଂସଦ ଇସ୍ତଫା ଦେଲେଣି । ଗତ ୯୦ ବର୍ଷ ଭିତରେ (୧୯୩୨ ମସିହା ପରଠାରୁ) କୌଣସି ସରକାରରେ ଏତେ ସଂଖ୍ୟକ ମନ୍ତ୍ରୀ ଓ ସାଂସଦ ଇସ୍ତଫା ଦେଇ ନ ଥିଲେ । ବ୍ରିଟିଶ୍ ଗଣମାଧ୍ୟମ ଏହାକୁ ‘ୱେଷ୍ଟମିନିଷ୍ଟର ବ୍ଲଡ୍ବାଥ୍’ ଆଖ୍ୟା ଦେଇଛି । ଯେକୌଣସି ମୁହୂର୍ତ୍ତରେ ଜନ୍ସନ୍ ସରକାର ଭାଙ୍ଗିଯିବା ଆଶଙ୍କା ଥିବାରୁ ବିରୋଧୀ ଲେବର ପାର୍ଟି ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି ।
ଜନ୍ସନ୍ଙ୍କ କ୍ୟାବିନେଟ୍ରେ ସୃଷ୍ଟି ହୋଇଥିବା ବିଦ୍ରୋହର କାରଣ ସାଂସଦ କ୍ରିସ୍ ପିଞ୍ଚର ମାମଲା ।
ପଞ୍ଚରଙ୍କୁ ପ୍ରଧାନମନ୍ତ୍ରୀ ଦଳର ଡେପୁଟୀ ଚିଫ୍ ହ୍ୱିଇପ୍ ଅଫିସର୍ ରୂପେ ନିଯୁକ୍ତ କରିଥିଲେ । ପିଞ୍ଚରଙ୍କ ନାମରେ ୨୦୧୯ରେ ଯୌନ ଶୋଷଣ ଅଭିଯୋଗ ଲାଗିଥିଲା । ଗତ ସପ୍ତାହରେ ତାଙ୍କୁ କଞ୍ଚରଭେଟିଭ୍ ପାର୍ଟିର ସାଂସଦ ପଦରୁ ସସ୍ପେଣ୍ଡ କରାଯାଇଥିଲା । ଇସ୍ତଫା ଦେଇଥିବା ମନ୍ତ୍ରୀମାନେ ଅଭିଯୋଗ କରିଛନ୍ତି ଯେ, ଜନ୍ସପ୍ ପଞ୍ଚରଙ୍କ ଉପରେ ଲାଗିଥିବା ଅଭିଯୋଗଗୁଡ଼ିକ ସମ୍ପର୍କରେ ଜାଣିଥିଲେହେଁ ତାଙ୍କୁ ଦଳର ଗୁରୁତ୍ୱପୂର୍ଣ୍ଣ ପଦରେ ନିଯୁକ୍ତି ଦେଇଛନ୍ତି । ଇତି ମଧ୍ୟରେ ଜନ୍ସନ୍ ଏନେଇ ସର୍ବସାଧାରଣରେ କ୍ଷମା ମାଗିଛନ୍ତି ।
ବ୍ରିଟେନ୍ର ବହୁଳ ପ୍ରସାରିତ ସମ୍ବାଦପତ୍ର ‘ଦ ସନ୍’ ରିପୋର୍ଟ ଅନୁଯାୟୀ ପ୍ରଧାନମନ୍ତ୍ରୀ ବୁଧବାର ରାତିରେ ଇସ୍ତଫା ଦେଇପାରନ୍ତି । ବରିଷ୍ଠ ମନ୍ତ୍ରୀମାନେ ବୁଧବାର ରାତିରେହିଁ ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ବିଦା କରିବା ପାଇଁ ପୂର୍ଣ୍ଣପ୍ରାଣରେ ଲାଗି ପଡ଼ିଛନ୍ତି । ତା’ ସତ୍ତ୍ୱେ ଇସ୍ତଫା ନ ଦେବା ପାଇଁ ଅଡ଼ିବସିଛନ୍ତି ଜନ୍ସନ୍ । ଯଦି ସେ ଇସ୍ତଫା ଦେବାକୁ ବାଧ୍ୟ ହୁଅନ୍ତି, ତାଙ୍କ ସ୍ଥାନରେ ଋଷି ସୂନକ ପଦଭାର ଗ୍ରହଣ କରିବା ସମ୍ଭାବନା ରହିଛି । ସୂନକ ଭାରତୀୟ ଆଇଟି କମ୍ପାନୀ ଇନ୍ଫୋସିସ୍ର ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଜାମାତା ।