ଦ୍ୱିତୀୟ ରାଉଣ୍ଡରେ ସିନ୍ଧୁ, ପ୍ରଣୟ
ମାଲେସିଆ ମାଷ୍ଟର୍ସ ବ୍ୟାଡ୍ମିଣ୍ଟନରୁ ସାଇନା ବିଦା
କୁଆଲାଲମ୍ପୁର, ୬ା୭ (ଏଜେନ୍ସି): ଦୁଇ ଥର ଅଲିମ୍ପିକ୍ ପଦକଧାରିଣୀ ପିଭି ସିନ୍ଧୁ ଓ ଏଚ୍ଏସ୍ ପ୍ରଣୟ ବୁଧବାର ନିଜ ନିଜ ମ୍ୟାଚ୍ ଜିତି ମାଲେସିଆ ମାଷ୍ଟର୍ସର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଥିବା ବେଳେ ଅନ୍ୟତମ ଅଲିମ୍ପିକ୍ ପଦକ ବିଜୟିନୀ ସାଇନା ନେହୱାଲ ଲଗାତାର ଦ୍ୱିତୀୟ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି ।
ମହିଳା ଏକକରେ ସପ୍ତମ ସିଡ୍ ସିନ୍ଧୁ ନିଜ ପ୍ରଥମ ମ୍ୟାଚ୍ରେ ଚୀନ୍ର ହି ବିଙ୍ଗ୍ ଜିଆଓଙ୍କୁ ୨୧-୧୩, ୧୭-୨୧, ୨୧-୧୫ରେ ପରାସ୍ତ କରିଥିଲେ । ଏହି ମ୍ୟାଚ୍ ପ୍ରାୟ ଏକ ଘଣ୍ଟା ଧରି ଚାଲିଥିଲା । ଏହି ବିଜୟ ସହ ସିନ୍ଧୁ ଚୀନା ଖେଳାଳି ଠାରୁ ଗତ ମାସର ଇଣ୍ଡୋନେସିଆ ଓପନ୍ ପରାଜୟର ପ୍ରତିଶୋଧ ନେଇଛନ୍ତି । ଏହାସତ୍ତ୍ୱେ ଜିଆଓ ଭାରତୀୟ ଖେଳାଳିଙ୍କ ବିପକ୍ଷ ଜୟ-ପରାଜୟ ରେକର୍ଡରେ ୧୦-୯ରେ ଆଗରେ ଅଛନ୍ତି ।
ଅନ୍ୟପଟେ, ଲଣ୍ଡନ ଅଲିମ୍ପିକ୍ସ କାଂସ୍ୟ ପଦକଧାରିଣୀ ସାଇନା ନେହୱାଲ୍ ଦକ୍ଷିଣ କୋରିଆର କିମ୍ ଗା ଇଉନ୍ଙ୍କ ଠାରୁ ୨୧-୧୬, ୧୭-୨୧, ୧୪-୨୧ରେ ପରାଜିତ ହୋଇଥିଲେ । ବିଶ୍ୱର ୨୪ତମ ଭାରତୀୟ ଗତ ସପ୍ତାହରେ ମାଲେସିଆ ଓପନ୍ ସୁପର୍ ୭୫୦ରେ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲେ ।
ପୁରୁଷ ଏକକରେ ପ୍ରଣୟ ଫ୍ରାନ୍ସର ବ୍ରାଇସ୍ ଲେଭେରଡେଜ୍ଙ୍କୁ ୨୧-୧୯, ୨୧-୧୪ରେ ସହଜରେ ହରାଇଥିଲେ । ବି. ସାଇ ପ୍ରଣୀତ ଓ ପାରୁପଲ୍ଲୀ କଶ୍ୟପ ମଧ୍ୟ ଦ୍ୱିତୀୟ ରାଉଣ୍ଡରେ ବିଜୟ ସହ ଦ୍ୱିତୀୟ ରାଉଣ୍ଡରେ ସ୍ଥାନ ପାଇଛନ୍ତି ।
ଗୁଆଟେମାଲାର କେଭିନ କର୍ଡନଙ୍କୁ ହରାଇବା ପାଇଁ ପ୍ରଣୀତଙ୍କୁ ବେଶୀ ଝାଳ ବୁହାଇବାକୁ ପଡ଼ି ନ ଥିଲା । ସେ ଅଧ ଘଣ୍ଟାରୁ କମ୍ ସମୟ ମଧ୍ୟରେ ୨୧-୮, ୨୧-୯ରେ ହରାଇଥିଲେ । ସେ ପ୍ରି-କ୍ୱାର୍ଟରରେ ଲି ଶି ଫେଙ୍ଗଙ୍କୁ ଭେଟିବେ । ତେବେ କଶ୍ୟପ ସ୍ଥାନୀୟ ଫେଭରିଟ୍ ଟମି ସୁଗିଆର୍ତୋଙ୍କ ଠାରୁ ଗୋଟିଏ ଗେମ୍ ହାରିବା ପରେ ଜୋର୍୍ଦାର ପ୍ରତ୍ୟାବର୍ତ୍ତନ କରି ୧୬-୨୧, ୨୧-୧୬, ୨୧-୧୬ରେ ମାତ୍ ଦେଇଥିଲେ ।
କିନ୍ତୁ ପୁରୁଷ ଏକକରେ ସମୀର ବର୍ମାଙ୍କ ଅଭିଯାନ ଶେଷ ହୋଇଛି । ସେ ଚତୁର୍ଥ ସିଡ୍ ଚାଇନୀଜ୍ ତାଇପେର ଚୋଉ ତିଏନ ଚେନ୍ଙ୍କ ଠାରୁ ୨୧-୧୦, ୧୨-୨୧, ୧୪-୨୧ରେ ହାରିଯାଇଥିଲେ ।
ମହିଳା ଯୁଗଳରେ ଏନ୍. ସିକ୍କି ରେଡ୍ଡୀ ଓ ଅଶ୍ୱିନୀ ପୋନପ୍ପାଙ୍କ ଆହ୍ୱାନ ମଧ୍ୟ ଶେଷ ହୋଇଛି । ଏହି ଭାରତୀୟ ଯୋଡ଼ି ଏକ ଘଣ୍ଟାରୁ ଟିକେ ଅଧିକ ସମୟ ଧରି ଲଢ଼େଇ କରିବା ପରେ ଇଣ୍ଡୋନେସିଆର ଫାବ୍ରିଆନା କୁସୁମା ଓ ଅମଲିଆ ପ୍ରତିୱିଙ୍କ ଠାରୁ ୧୯-୨୧, ୨୧-୧୮, ୧୬-୨୧ରେ ପରାଜିତ ହୋଇଥିଲେ ।