କୁଲ୍ଲୁରେ ବାଦଲଫଟା ବର୍ଷା
ଶିମ୍ଲାରେ ଭୂସ୍ଖଳନ, ୧ ମୃତ ୬ ନିଖୋଜ
କୁଲ୍ଲୁ/ଶିମ୍ଲା (ଏଜେନ୍ସି): ହିମାଚଳ ଉପରେ ପୁଣିଥରେ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି । ବୁଧବାର ହିମାଚଳର କୁଲ୍ଲୁ ଅଞ୍ଚଳରେ ବାଦଲ ଫଟା ବର୍ଷାର ଉଗ୍ର ରୂପ ପରିଲକ୍ଷିତ ହୋଇଛି । ସେହିପରି ରାଜ୍ୟର ଶିମଲା ଅଞ୍ଚଳର ଢଲି ସୁଡ଼ଙ୍ଗ ନିକଟରେ ଲଗାଣ ବର୍ଷା ତଥା ଭୂ-ସ୍ଖଳନ ଯୋଗୁ ଜଣେ ମହିଳାଙ୍କ ମୃତୁ୍ୟ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।
ରାଜ୍ୟ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ବୁଧବାର ସକାଳେ ବାଦଲ ଫଟା ବର୍ଷା ଯୋଗୁ ରାଜ୍ୟର ଏକାଧିକ ନଦୀରେ ଅକସ୍ମାତ୍ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୬ଜଣଙ୍କ ନିଖୋଜ ମାମଲା ପଞ୍ଜିକୃତ ହୋଇଛି । ସେହିପରି ଅନେକ ଗୃହପାଳିତ ପଶୁ ମଧ୍ୟ ମୃତୁ୍ୟବରଣ କରିଥିବା ବେଳେ ଆଉ କିଛି ଭାସିଯାଇଥିବା କୁହାଯାଉଛି । ଅକସ୍ମାତ୍ ବାଦଲ ଫାଟିବା ଯୋଗୁ କୁଲ୍ଲୁ ଜିଲ୍ଲାର ମଲାଣା, ମଣିକର୍ଣ୍ଣ ଆଦି ଅଞ୍ଚଳ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି । କୁଲ୍ଲୁ ଓ କିନ୍ନୋର ଜିଲ୍ଲାରେ ବନ୍ୟା ସ୍ଥିତି ଉତ୍ପନ୍ନ ହୋଇଛି । ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟ ଜରୁରିକାଳୀନ ପରିସ୍ଥିତିରେ ଜାରି ରଖିଥିବା ପ୍ରଶାସନ କହିଛି । ତେବେ ଭୂ-ସ୍ଖଳନ ଯୋଗୁ କେତେକ ଉଦ୍ଧାରକାରୀ ଦଳ ମଝିରେ ଅଟକି ରହିଛନ୍ତି ।
ପ୍ରାପ୍ତ ସୂଚନାନୁସାରେ କୁଲ୍ଲୁର ଚୋଜ୍ ନାଳରେ ବନ୍ୟା ଆସିଯାଇଛି । ନାଳର ଉଭୟ ପାଶ୍ୱର୍ରେ ଥିବା ଗାଁଗୁଡ଼ିକରେ ବନ୍ୟା ପାଣି ପଶିବା ଫଳରେ ୩ ଘର, ୧ ଗେଷ୍ଟ ହାଉସ୍, ୩ କ୍ୟାମ୍ପିଂ ସାଇଟ୍ ୧ ଗୌଶାଳା ସମେତ ୪ ଗାଈ ଭାସିଯାଇଛନ୍ତି । ସେହିପରି ଏହି ଘଟଣାରେ ୪ଜଣ ସ୍ଥାନୀୟ ବାସିନ୍ଦା ନିଖୋଜ ମଧ୍ୟ ହୋଇଯାଇଥିବା କୁହାଯାଉଛି । ନିଖୋଜ ବ୍ୟକ୍ତିଙ୍କ ସମ୍ପର୍କରେ ପ୍ରଶାସନ ଜାଣିବାକୁ ପାଇଛି । ବନ୍ୟାଞ୍ଚଳରେ ଫସିରହିଥିବା ଗ୍ରାମବାସୀଙ୍କୁ ଏବେ ଉଦ୍ଧାର କରିବା ପାଇଁ ପ୍ର୍ରକିୟା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ଜୋରସୋରରେ ଚାଲୁ ରଖିବାକୁ ନିଦେ୍ର୍ଦଶ ଦେବା ସହ ନିଜେ ସ୍ଥିତି ସମୀକ୍ଷା କରୁଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି ।
ସମଗ୍ର ଦେଶରେ ଏବେ ମୌସୁମୀ ସକ୍ରିୟ ହୋଇଛି । ଦେଶର ୨୨ଟି ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି । ଦିଲ୍ଲୀ, ମହାରାଷ୍ଟ୍ର, ରାଜସ୍ଥାନ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, କେରଳ, ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ ଆଦି ରାଜ୍ୟରେ ଲଗାଣ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଲୋକେ ଗୃହବନ୍ଦୀ ହୋଇ ରହିବାକୁ ଏକରକମ ବାଧ୍ୟ ହୋଇଛନ୍ତି । ରାଜଧାନୀ ଦିଲ୍ଲୀରେ ଲଗାଣ ବର୍ଷାଜନିତ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅରେଞ୍ଜ ଆଲର୍ଟ ଜାରି କରିଛନ୍ତି ।