ଦ୍ରୌପଦୀଙ୍କ ପାଇଁ ବିଜେଡିର ଜୋରଦାର କ୍ୟାମ୍ପେନିଂ
ଭୁବନେଶ୍ୱର (ବୁ୍ୟରୋ): ରାଷ୍ଟ୍ରପତି ନିର୍ବାଚନ ପାଇଁ ଓଡ଼ିଆ ଝିଅ ତଥା ଆଦିବାସୀ ଚେହେରା ଦ୍ରୌପଦୀ ମୁର୍ମୁଙ୍କୁ ଏନ୍ଡିଏ ପକ୍ଷରୁ ପ୍ରାର୍ଥୀ କରାଯାଇଛି । ଏହିକ୍ରମରେ ଦ୍ରୌପଦୀଙ୍କୁ ସମର୍ଥନ ଲାଗି ଏବେ ଜୋରଦାର କ୍ୟାମ୍ପେନ ଆରମ୍ଭ ହୋଇଛି । ସେହି ଅନୁଯାୟୀ ବିଜେଡି ରାଜ୍ୟରେ ଏହି କ୍ୟାମ୍ପେନକୁ ବ୍ୟାପକ କରିବାରେ ଲାଗିଛି । ଆସନ୍ତା ୮ ତାରିଖରେ ସମର୍ଥନ ମାଗିବା ଲାଗି ଦ୍ରୌପଦୀଙ୍କ ଓଡିଶା ଆସିବାର କାର୍ଯ୍ୟକ୍ରମ ଥିବାବେଳେ ଏହା ପୂର୍ବରୁ କଂଗ୍ରେସ ବିଧାୟକମାନଙ୍କୁ ଭେଟି ସମର୍ଥନ ଲୋଡିବାରେ ଲାଗିଛି ବିଜେଡି ।
କଂଗ୍ରେସ ବିଧାୟକ ସିଏସ୍ ରାଜନ ଏକ୍କାଙ୍କୁ ବିଜେଡିର ଏକ ପ୍ରତିନିଧିମଣ୍ଡଳୀ ବୁଧବାର ସାକ୍ଷାତ କରିଛନ୍ତି । ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ, ମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଧାୟକ ସ୍ନେହାଙ୍ଗୀନି ଛୁରିଆ ଏବଂ ରାଜକିଶୋର ଦାସ ପ୍ରମୁଖ ରାଜନଙ୍କୁ ଭେଟି ଦ୍ରୌପଦୀଙ୍କୁ ସମର୍ଥନ କରିବା ଲାଗି ଅନୁରୋଧ କରିଛନ୍ତି । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ବିଜେଡି ନେତୃବୃନ୍ଦ ଏହି ବାର୍ତ୍ତା ଦେଇଥିବା ସେମାନେ ଜଣାଇଛନ୍ତି । ଏକ୍କା ଜଣେ ଆଦିବାସୀ ହୋଇଥିବାରୁ ଆଦିବାସୀଙ୍କ ଅଧିକାର ଲାଗି ଭୋଟ୍ ଦେବାକୁ ବିଜେଡି ଅନୁରୋଧ କରିଥିବା ଜଣାପଡିଛି । ଅନ୍ୟପଟେ କଂଗ୍ରେସ ଏବଂ ବିଜେପିର ବିଚାରଗତ ଭିନ୍ନତା ରହିଛି । ତେଣୁ ବିରୋଧୀ ମେଣ୍ଟର ରାଷ୍ଟ୍ରପତି ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ସମର୍ଥନ କରିବେ ବୋଲି ବିଜେଡି ନେତାମାନଙ୍କୁ ଏକ୍କା କହିଛନ୍ତି । ସେହିପରି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ, ମହମ୍ମଦ ମୋକିମ ଏବଂ ଦାଶରଥୀ ଗମାଙ୍ଗୋଙ୍କୁ ଭେଟି ସମର୍ଥନ ଲୋଡ଼ିଛି ବିଜେଡି ଟିମ୍ । କଂଗ୍ରେସର ସମସ୍ତ ୯ ବିଧାୟକଙ୍କୁ ଭେଟି ସମର୍ଥନ ମାଗିବା ପାଇଁ ବିଜେଡିର ଭିନ୍ନ ଭିନ୍ନ ଟିମ୍ ଗଠନ ହୋଇଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ ଯେ, ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦ୍ରୌପଦୀଙ୍କୁ ସମର୍ଥନ କରିବେ ବୋଲି କହିଥିବା ବେଳେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ ଭେଟି ଆଲୋଚନା କରିଥିଲେ । ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ମଧ୍ୟ ବିଜେଡି ପ୍ରତିନିଧି ଦଳ ଭେଟି ଦ୍ରୌପଦୀଙ୍କୁ ସମର୍ଥନ ଲାଗି ଅନୁରୋଧ କରିଥିଲେ ।