ନାକଚଣା ଦ୍ୱାର ସମ୍ମୁଖରେ ତିନି ରଥ

ସରିଲା ଦକ୍ଷିଣମୋଡ଼ ନୀତି
ପୁରୀ (ବୁ୍ୟରୋ): ହେରା ପଞ୍ଚମୀରେ ଶ୍ରୀଦେବୀ(ଲକ୍ଷ୍ମୀ ଠାକୁରାଣୀ) ମହାପ୍ରଭୁଙ୍କୁ ଶ୍ରୀମନ୍ଦିରକୁ ଫେରାଇ ନେବାକୁ ଆସିଥିଲେ । ମହାପ୍ରଭୁ ସାଥିରେ ନ ଯିବାରୁ ମା’ ଲକ୍ଷ୍ମୀ ଠାକୁରାଣୀ ଅଭିମାନ କରି ଚାଲିଗଲେ । ପ୍ରାଣପ୍ରିୟାଙ୍କ ମନ କଥା ଜାଣିପାରି ମହାପ୍ରଭୁ ଏବେ ଶ୍ରୀମନ୍ଦିରକୁ ଫେରିବା ଲାଗି ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଆସନ୍ତା ୯ରେ ବାହୁଡ଼ା ଯାତ୍ରା । ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ଚତୁର୍ଦ୍ଧାବିଗ୍ରହ । ଏଥିଲାଗି ପରମ୍ପରା ଅନୁଯାୟୀ ବୁଧବାର ତିନି ରଥ ଦକ୍ଷିଣମୋଡ଼ କରାଯାଇଛି । ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ, ପରେ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଦକ୍ଷିଣମୋଡ଼ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ରହିଛି ।
ନବଦିନାତ୍ମକ ଯାତ୍ରାରେ ଆସି ଚତୁର୍ଦ୍ଧାବିଗ୍ରହ ଏବେ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପମଣ୍ଡପରେ ଅବସ୍ଥାନ କରିଛନ୍ତି । ମହାମାରୀ କରୋନା ଲାଗି ଗତ ଦୁଇବର୍ଷ ଧରି ବିନା ଭକ୍ତରେ ଅନୁଷ୍ଠିତ ହୋଇଥିଲା ଯାତ୍ରା । ଫଳରେ ମହାପ୍ରଭୁଙ୍କ ଏହି ଦୁର୍ଲଭ ଦୃଶ୍ୟ ଦେଖିବାରୁ ବଞ୍ଚିତ ରହିଥିଲେ ଶ୍ରଦ୍ଧାଳୁ । ଚଳିତଥର ଭକ୍ତ ସୁଯୋଗ ହାତଛଡ଼ା କରିବାକୁ ଚାହିଁନାହାନ୍ତି । ଏସବୁ ଭିତରେ କିନ୍ତୁ ଠାକୁରଙ୍କ ନୀତିକାନ୍ତି ସୁରୁଖୁରୁରେ ଚାଲିଛି । ବୁଧବାର ସକାଳ ୬ଟା ୩୦ରେ ଦ୍ୱାର ଫିଟାଯିବା ପରେ ଭିତର ଶୋଧ କରାଯାଇ ୭ଟା ୨୦ରେ ମଙ୍ଗଳଆଳତି ହୋଇଥିଲା । ସାଢ଼େ ୮ଟାରେ ଅବକାଶ, ୧୧ଟାରେ ଗୋପାଳବଲ୍ଲଭ ନୀତି ସମ୍ପନ୍ନ ହୋଇଥିଲା । ୧୨ଟା ୪୦ରେ ସକାଳଧୂପ ଓ ଭୋଗ ମଣ୍ଡପ ଶେଷ ହେବା ପରେ ୧ଟା ୪୫ରେ ଆଜ୍ଞାମାଳ ବିଜେ ହୋଇଥିଲା । ତିନି ଠାକୁରଙ୍କ ଆଜ୍ଞାମାଳ ନେଇ ତିନିବାଡ଼ର ପୂଜାପଣ୍ଡା ସାମନ୍ତ ରଥ ପାଖକୁ ଆସିଥିଲେ । ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରହିଥିବା ତିନି ରଥକୁ ବାହୁଡ଼ା ବିଜେ ଲାଗି ମହାପ୍ରଭୁଙ୍କ ଆଜ୍ଞାମାଳ ପ୍ରଦାନ କରିଥିଲେ । ପରେ ବିଜେକାହାଳୀ, ଘଣ୍ଟଘଣ୍ଟା ବାଜିବା ପରେ ସାଢ଼େ ୨ଟାରେ ପ୍ରଥମ ଦର୍ପଦଳନ ରଥର ଦକ୍ଷିଣମୋଡ଼ ଆରମ୍ଭ ହୋଇଥିଲା । ପୁଲିସ କର୍ମଚାରୀ ଓ ଭକ୍ତମାନେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରୁ ବଡ଼ଶଙ୍ଖ ପର୍ଯ୍ୟନ୍ତ ଦର୍ପଦଳନ ରଥକୁ ଟାଣି ନେଇଥିଲେ । ସେଠାରେ ରଥକୁ ବୁଲାଯାଇ ନାକଚଣା ଦ୍ୱାରକୁ ଟାଣି ନିଆଯାଇଥିଲା । ଅପରାହ୍ନ ୪ଟା ୧୫ରେ ଦର୍ପଦଳନ ରଥ ନାକଚଣା ଦ୍ୱାର ସମ୍ମୁଖରେ ପହଞ୍ଚିଥିଲା । ଅପରାହ୍ନ ୪ଟା ୧୦ରେ ତାଳଧ୍ୱଜ ରଥ ଦକ୍ଷିଣମୋଡ଼ କରାଯାଇଥିଲା । ୬ଟାରେ ତାଳଧ୍ୱଜ ରଥ ନାକଚଣା ଦ୍ୱାର ସମ୍ମୁଖରେ ଲାଗିଥିଲା । ଶେଷରେ ସନ୍ଧ୍ୟା ୬ଟା ୨୦ରେ ନନ୍ଦିଘୋଷ ରଥ ଟଣା ଯାଇଥିଲା । ୭ଟା ୪୦ରେ ଏହା ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିରେ ପହଞ୍ଚିଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *