ଓଡ଼ିଶା ଏକ ନମ୍ବର

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରିତା
ଭୁବନେଶ୍ୱର, ୫ା୭(ବୁ୍ୟରୋ): ଓଡ଼ିଶାକୁ ଆଉଏକ ସଫଳତା । ଖାଦ୍ୟ ଓ ପୋଷଣ ସୁରକ୍ଷାରେ ଓଡ଼ିଶା ଦେଶରେ ଶୀର୍ଷରେ ରହିଛି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍ଏଫ୍ଏସ୍ଏ) କାର୍ଯ୍ୟକାରିତାରେ ଓଡ଼ିଶା ଏକ ନମ୍ବର ସ୍ଥାନ ହାସଲ କରିଛି । ଦ୍ୱିତୀୟ ସ୍ଥାନରେ ଉତ୍ତରପ୍ରଦେଶ ଓ ତୃତୀୟରେ ରହିଛି ଆନ୍ଧ୍ର ପ୍ରଦେଶ । ଓଡ଼ିଶାର ଇଣ୍ଡେକ୍ସ ସ୍କୋର ରହିଛି ଠ.୮୩୬ ।
ସମଗ୍ର ଦେଶରେ ଆଜି ଓଡିଶା ଏକ ସଶକ୍ତ ଖାଦ୍ୟ ସୁରକ୍ଷା ପ୍ରଣାଳୀ ସୃଷ୍ଟି କରିବା ତଥା ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ସୁଦୃଢ ଏବଂ ଲୋକାଭିମୁଖୀ କରିବା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ରାଙ୍କିଙ୍ଗ୍ ତାଲିକାରେ ପ୍ରଥମ ସ୍ଥାନ ହାସଲ କରିଛି । କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ପୀୟୂଷ ଗୋୟଲ ନୂଆଦିଲ୍ଲୀରେ ଆୟୋଜିତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଖାଦ୍ୟ ମନ୍ତ୍ରୀଙ୍କ ସମ୍ମିଳନୀରେ ଏହା ଘୋଷଣା କରିଛନ୍ତି । ଏହି ଅବସରରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଖୁସି ପ୍ରକାଶ କରି କହିଛନ୍ତି ଯେ, ଓଡ଼ିଶାର ଏହି ସଫଳତା ପଛରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ରହିଛି । ଏଥିସହିତ ସେ ବିଭାଗୀୟ କର୍ମଚାରୀଙ୍କ ଅଦମ୍ୟ ପରିଶ୍ରମ ଏବଂ ନିରନ୍ତର ପ୍ରଚେଷ୍ଟାକୁ ମଧ୍ୟ ପ୍ରଶଂସା କରିଛନ୍ତି ।
ମୂଲ୍ୟାଙ୍କନ ଢାଞ୍ଚା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ କରିବା ଏବଂ ସାଧାରଣ ବଣ୍ଟନ ବ୍ୟବସ୍ଥାର ସମ୍ପୂର୍ଣ୍ଣ କମ୍ପ୍ୟୁଟରୀକରଣକୁ ଭିତ୍ତିଭୂମି କରି, ରାଙ୍କିଙ୍ଗ୍ ପ୍ରଦାନ କରାଯାଇଥିଲା । ରାଜ୍ୟରେ ଡିସେମ୍ବର ୨୦୧୫ ଠାରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ ହେବା ପରେ ରାଜ୍ୟରେ ଖାଦ୍ୟ ସୁରକ୍ଷା ଏବଂ ବଣ୍ଟନ ପ୍ରଣାଳୀରେ ଏକ ଆମୁଳଚୁଳ ରୂପାନ୍ତରଣ କରାଯାଇଥିଲା । ଖାଦ୍ୟ ସୁରକ୍ଷା ଆଇନରେ ଅନ୍ତର୍ଭୁକ୍ତ ସମସ୍ତ ହିତାଧିକାରୀଙ୍କ ତଥ୍ୟଗୁଡିକୁ ଡିଜିଟାଇଜ କରି ୩.୨୫ କୋଟିର ଏକ ବିଶାଳ ଡାଟାବେସ ତିଆରି କରାଯାଇଛି, ଯାହା ଜନସାଧାରଣଙ୍କ ଅବଗତି ନିମନ୍ତେ ୱେବ୍ପୋର୍ଟାଲରେ ଉପଲବ୍ଧ କରାଯାଇଛି । ନୂତନ ଯୋଗ୍ୟ ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରିବା ତଥା ତଥ୍ୟ ଗୁଡିକୁ ସଂଶୋଧନ କରିବା ନିମନ୍ତେ ୩୧୪ ଗୋଟି ବ୍ଲକ ଓ ୬୪ ଗୋଟି ପୌର କାର୍ଯ୍ୟାଳୟ ଗୁଡିକରେ ସମୁଦାୟ ୩୭୮ ଟି ରାସନ କାର୍ଡ ପରିଚାଳନା କେନ୍ଦ୍ର ଗୁଡିକ ଖୋଲାଯାଇଛି । ରାଜ୍ୟର ସମସ୍ତ ୧୫୨ ଗୋଟି ଖାଦ୍ୟଶସ୍ୟ ଗୋଦାମ ଗୃହ ଗୁଡିକର କମ୍ପୁ୍ୟଟରୀକରଣ କରାଯାଇଛି । ଏହି ୧୫୨ଟି ଖାଦ୍ୟଶସ୍ୟ ଗୋଦାମ ଗୃହ ଗୁଡିକରୁ ୧୨୧୩୩ ଗୋଟି ସରକାରୀ ସୁଲଭ ମୂଲ୍ୟ ଦୋକାନ ଗୁଡିକୁ ସିଧାସଳଖ ମାସିକ ୧.୮୭ ଲକ୍ଷ ମେଟ୍ରିକ୍ ଟନ୍ ଖାଦ୍ୟ ସାମଗ୍ରୀ, ସରକାରୀ ଖର୍ଚ୍ଚରେ ପରିବହନ କରି ପହଞ୍ଚାଇ ଦିଆଯାଉଛି । ସମସ୍ତ ୧୨୧୩୩ଟି ସରକାରୀ ସୁଲଭ ମୂଲ୍ୟ ଦୋକାନ ଗୁଡିକୁରେ ସ୍ୱୟଂଚାଳିତ ମେସିନ ଜରିଆରେ ହିତାଧିକାରୀଙ୍କୁ ରାସନ ସାମଗ୍ରୀ ବଣ୍ଟନ କରାଯାଉଛି ।
ଗୋଟିଏ ଦେଶ ଗୋଟିଏ ରେସନ କାର୍ଡ ଯୋଜନା ରାଜ୍ୟରେ ୨୦୨୧ ମସିହା ଜୁଲାଇ ମାସଠାରୁ ଲାଗୁ ହୋଇଛି । ଏହି ଯୋଜନା ମାଧ୍ୟମରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ ଜଣେ ହିତାଧିକାରୀ ଦେଶର ଯେକୌଣସି ସୁଲଭ ମୂଲ୍ୟ ଦୋକାନରୁ ନିଜ ରାସନ ସାମଗ୍ରୀ ଉଠାଣ କରିପାରିବ । ଏହି ଯୋଜନା ମାଧ୍ୟମରେ ରାଜ୍ୟରେ ୧୦,୫୭୮ଟି ସୁଲଭ ମୂଲ୍ୟ ଦୋକାନ ଜରିଆରେ ୧,୧୦,୦୦୦ ପରିବାର ଉପକୃତ ହେଉଛନ୍ତି । ସେହିପରି, ୫୩୩ ଆନ୍ତଃରାଜ୍ୟ ହିତାଧିକାରୀମାନେ ଏହି ଯୋଜନାରେ ଉପକୃତ ହେଉଛନ୍ତି । ଓଡିଶାର ମାଲକାନଗିରି ଜିଲ୍ଲାରେ ୨୦୨୧ ମସିହା ଜୁଲାଇ ମାସ ଠାରୁ ହିତାଧିକାରୀଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଭିଟାମିନଯୁକ୍ତ ଚାଉଳ ଯୋଗାଣ ଯୋଜନା ଲାଗୁ କରାଯାଇଛି । ଏହି କ୍ରମରେ ୧.୨୯ ଲକ୍ଷ ପରିବାରର ୪.୬୬ ଲକ୍ଷ ହିତାଧିକାରୀଙ୍କୁ ୩,୧୩୮ ମେଟ୍ରିକ ଟନ୍ ପୁଷ୍ଟିକର ଚାଉଳ ପ୍ରତିମାସ ଯୋଗାଇ ଦିଆଯାଉଛି । ଏହାଛଡା ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ସ୍କୁଲ ଯାଉଥିବା ପିଲାମାନଙ୍କ ମଧ୍ୟାହ୍ନ ଭୋଜନ ନିମନ୍ତେ ଓ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଅଧୀନରେ, ଅତିରିକ୍ତ ପୃଷ୍ଟି ଯୋଜନା ନିମନ୍ତେ ମଧ୍ୟ ଭିଟାମିନଯୁକ୍ତ ଚାଉଳ ଯୋଗାଇ ଦିଆଯାଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *