ବେକାର ସମସ୍ୟା ନେଇ ଉଦ୍ବେଗ

ଭୁବନେଶ୍ୱର, ୫ା୭(ବୁ୍ୟରୋ): ବର୍ଷକୁ ରାଜ୍ୟର ୨ ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତି ଦିଆଯିବ ବୋଲି ନିର୍ବାଚନ ବେଳେ କ୍ଷମତାସୀନ ଦଳ ପ୍ରତିଶ୍ରୁତି ଦେଇଥିଲା । ହେଲେ ଏହା ପ୍ରତାରଣାରେ ପରିଣତ ହୋଇଛି । ରାଜ୍ୟରେ ବେକାରୀ ସମସ୍ୟା ଉକ୍ରଟ । ଲକ୍ଷ ଲକ୍ଷ ଲୋକ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଛନ୍ତି । ନିଯୁକ୍ତି ଦେବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ବିରୋଧୀ ବିଜେପି ଓ କଂଗ୍ରେସ ଦଳ ତରଫରୁ ବିଧାନସଭାରେ ମଙ୍ଗଳବାର ବେକାରୀ ପ୍ରସଙ୍ଗରେ ସରକାରଙ୍କୁ ଘେରିଥିଲେ ।
ଜବାବ୍ରେ ଶାସକ ଦଳ ପକ୍ଷରୁ କୁହାଯାଇଥିଲା ଯେ ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ ସବୁଠୁ କମ୍ ବେକାରୀ ରହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାରୁ ବେକାରୀ କମିଛି । ଯୁବକଯୁବତୀଙ୍କ ଦକ୍ଷତା ବିକାଶକୁ ସରକାର ପ୍ରାଧାନ୍ୟ ଦେଇଆସୁଛନ୍ତି । ବିରୋଧୀ ଦଳ ତରଫରୁ ଆଗତ ‘ରାଜ୍ୟରେ ଉକ୍ରଟ ବେକାରୀ ସମସ୍ୟା! ହତାଶ ବେକାର, ବେଫିକର ସରକାର’ ଶୀର୍ଷକ ମୁଲତବୀ ପ୍ରସ୍ତାବ ଉପରେ ବିଧାନସଭାରେ ସରଗରମ ଆଲୋଚନା ହୋଇଛି ।
ଆଲୋଚନା ଆରମ୍ଭ କରି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଥିଲେ, ରାଜ୍ୟରେ ବେକାରୀ ସମସ୍ୟା ଉକ୍ରଟ । ସରକାର ବେକାରଙ୍କୁ ନିଯୁକ୍ତି ଦେବାରେ ବିଫଳ । କୋଭିଡ୍ ସମୟରେ ଓଡ଼ିଶାକୁ ବାହାର ରାଜ୍ୟମାନଙ୍କରେ ଦାଦନ ଖଟିବାକୁ ଯାଇଥିବା ଲକ୍ଷ ଲକ୍ଷ ସଂଖ୍ୟାରେ ଯୁବକ ଯୁବତୀ ଓଡ଼ିଶାକୁ ଫେରିଥିଲେ ମଧ୍ୟ ସେମାନଙ୍କ ପାଇଁ କୌଣସି ନିଯୁକ୍ତି ସୁଯୋଗ ସରକାର କରିପାରିଲେ ନାହିଁ । ବର୍ଷକୁ ୨ ଲକ୍ଷ ନିଯୁକ୍ତି ଦିଆଯିବ ବୋଲି କୁହାଯାଇଥିଲେ ବି ସେଥିରେ ସରକାର ବିଫଳ ହୋଇଛନ୍ତି । ଦଳର ଅନ୍ୟତମ ବିଧାୟକ ମହମ୍ମଦ ମୋକିମ୍ ମଧ୍ୟ ବେକାରୀ ସମସ୍ୟାକୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କହିଥିଲେ, ଗରିବ, ଖଟିଖିଆଙ୍କ ପିଲା ଆଜି ରାଜରାସ୍ତାରେ । ନିଯୁକ୍ତି ଦେବାରେ ସରକାର ଫେଲ୍ ମାରିଛନ୍ତି । କେବଳ ନିର୍ବାଚନ ବୈତରଣୀ ପାର୍ ହେବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ହୋଇଛି । ଶିକ୍ଷିତ ବେକାର ଯୁବକ ଯୁବତୀଙ୍କ ପାଇଁ ସରକାରଙ୍କର କୌଣସି ପ୍ରକାର ନୂତନ ଯୋଜନା ବା କାର୍ଯ୍ୟକ୍ରମ ନାହିଁ । ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ ଏବଂ ବିଜେପି ସଦସ୍ୟ ମୁକେଶ ମହାଲିଙ୍ଗ ମୁଲତବୀ ଆଲୋଚନାରେ ଭାଗନେଇ ସରକାରଙ୍କୁ ସମାଲୋଚନା କରିଥିଲେ ।
ଅନ୍ୟପକ୍ଷରେ ବିଜେଡି ସଦସ୍ୟ ଶଶିଭୂଷଣ ବେହେରା, ସ୍ନେହାଙ୍ଗିନୀ ଛୁରିଆ, ମୁକେଶ ପାଲ୍ ଏବଂ ପ୍ରୀତମ ପାଢ଼ୀ ଦୃଷ୍ଟି ଆକର୍ଷଣ କରି ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିଥିଲେ । ଶ୍ରୀମତୀ ଛୁରିଆ କହିଥିଲେ, ଜାତୀୟ ସ୍ତରର ଏକ ରିପୋର୍ଟ ଅନୁସାରେ, ଓଡ଼ିଶାରେ ମାତ୍ର ୧ ପ୍ରତିଶତ ବେକାରୀ ରହିଛନ୍ତି । ଏହା ଅନ୍ୟ ରାଜ୍ୟ ଅପେକ୍ଷା ବହୁତ କମ୍ । ବେକାରୀ ସମସ୍ୟା ସମାଧାନ ପାଇଁ ସରକାର ବହୁ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ।
ମୁଲତବୀ ପ୍ରସ୍ତାବ ନୋଟିସ୍ ଆଲୋଚନାର ଉତ୍ତର ଦେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ କହିଥିଲେ ଯେ, ରାଜ୍ୟରେ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଓ ଆତ୍ମ ନିଯୁକ୍ତି ସୃଷ୍ଟି କରିବା ପାଇଁ ସରକାର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଓ ଅନ୍ୟ ବିଭାଗ ମାଧ୍ୟମରେ ଅନେକ ପଦକ୍ଷେପ ନେଉଛନ୍ତି । ଯାହାଫଳରେ ସେମାନେ ଉତ୍ପାଦନ ଓ ସେବା କ୍ଷେତ୍ରରେ ନିଯୁକ୍ତି ଓ ଆତ୍ମନିଯୁକ୍ତିକ୍ଷମ ହୋଇପାରୁଛନ୍ତି ।
ମନ୍ତ୍ରୀ କହିଥିଲେ ଯେ, ସରକାରଙ୍କ ବଳିଷ୍ଠ ପଦକ୍ଷେପ ଯୋଗୁ ବିଗତ ୫ ବର୍ଷ ମଧ୍ୟରେ ଅର୍ଥାତ୍ ୨୦୧୭-୧୮ରୁ ୨୦୨୨-୨୩ ମଧ୍ୟରେ ରାଜ୍ୟରେ ୩ ଲକ୍ଷ ୩ ହଜାର ୫୧୩ ନୂତନ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇପାରିଛି । ଆଗାମୀ ଦିନରେ ଏହି ନିଯୁକ୍ତି ସମ୍ଭାବନା ଆହୁରି ଅଧିକ ବଢିବ । ବର୍ତ୍ତମାନ ସାରା ପୃଥିବୀରେ କୁଶଳୀ ମାନବ ସମ୍ବଳର ଆବଶ୍ୟକତା ପ୍ରତ୍ୟେକ ମୁହୂର୍ତ୍ତରେ ଅନୁଭୂତ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘୋଷିତ ସ୍କିଲ୍ଡ଼ ଇନ୍ ଓଡ଼ିଶାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା ପାଇଁ ରାଜ୍ୟ ସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି । ବିଭିନ୍ନ ବିଭାଗ ଦ୍ୱାରା ·ଲୁଥିବା ଦକ୍ଷତା ବିକାଶ ଟ୍ରେନିଂ କାର୍ଯ୍ୟକ୍ରମ ମଧ୍ୟରେ ସମନ୍ୱୟ ରଖିବା ଏବଂ ରାଜ୍ୟର ଯୁବକ ଯୁବତୀମାନଙ୍କୁ ନିଯୁକ୍ତିଯୋଗ୍ୟ କରାଇବା ଲକ୍ଷ୍ୟରେ ୨୦୧୬-୧୭ ମସିହାରେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଗଠନ କରାଯାଇଛି ଏବଂ ଏହା ନିରନ୍ତର ଭାବେ ଲକ୍ଷ୍ୟ ପୂରଣ ଦିଗରେ କାର୍ଯ୍ୟ କରୁଛି । ସେହିପରି ଚିଫ୍ ମିନିଷ୍ଟରସ୍ ଏମ୍ପ୍ଲୋଏମେଣ୍ଟ ଜେନେରେସନ ପ୍ରୋଗ୍ରାମ (ସିଏମ୍ଇଜିପି)ରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଉଛି । ଗତ ତିନିବର୍ଷରେ ଅର୍ଥାତ୍ ୨୦୧୯-୨୦ରୁ ୨୦୨୧-୨୨ ମଧ୍ୟରେ ସମୁଦାୟ ୫୦୬୯୬୫ଜଣ ଯୁବକ ଓ ଯୁବତୀଙ୍କୁ ଏହି କାର୍ଯ୍ୟକ୍ରମ ଅଧୀନରେ ତାଲିମ ପ୍ରଦାନ କରାଯାଇ ନିଯୁକ୍ତି ଓ ଆତ୍ମନିଯୁକ୍ତକ୍ଷମ କରାଯାଇଛି । ମନ୍ତ୍ରୀ କହିଥିଲେ ରାଜ୍ୟର ଯୁବକ ଯୁବତୀମାନଙ୍କୁ ଅଧିକରୁ ଅଧିକ ନିଯୁକ୍ତିକ୍ଷମ କରିବା ପାଇଁ ଏକ ନିଯୁକ୍ତିଭିତ୍ତିକ ତାଲିମ କାର୍ଯ୍ୟକ୍ରମ ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଦ୍ୱାରା ଆରମ୍ଭ କରାଯାଇଛି । ଏହି ତାଲିମ୍ କାର୍ଯ୍ୟକ୍ରମ ପ୍ରତିଷ୍ଠିତ ବେସରକାରୀ ସଂସ୍ଥାମାନଙ୍କ ସହ ସରକାରୀ ଓ ବେସରକାରୀ ସହଭାଗିଦାରୀରେ କରାଯାଉଛି । ଏହି କାର୍ଯ୍ୟକ୍ରମ ଅଧୀନରେ ୨୦୨୧-୨୨ ପର୍ଯ୍ୟନ୍ତ ୧୦୦୫୬୪ଜଣ ଯୁବକ ଯୁବତୀଙ୍କୁ ତାଲିମ ପ୍ରଦାନ କରାଯାଇ ତନ୍ମଧ୍ୟରୁ ୨୭୬୧୧ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ସେହିପରି ମୋଡ଼େଲ କ୍ୟାରିୟର ସେଣ୍ଟର କେନ୍ଦ୍ର ସରକାରଙ୍କ ସହାୟତାରେ ୭ଟି ସ୍ଥାନରେ ଯଥା ସମ୍ବଲପୁର, କଟକ, ରାଉରକେଲା, ଢେଙ୍କାନାଳ, ବ୍ରହ୍ମପୁର, କେନ୍ଦୁଝର ଓ କୋରାପୁଟରେ ପ୍ରତିଷ୍ଠା କରାଯାଇଛି । ବେରୋଜଗାର ଯୁବକ ଯୁବତୀଙ୍କ ପାଇଁ ଅଧିକରୁ ଅଧିକ ନିଯୁକ୍ତି ସୃଷ୍ଟି ଉଦେ୍ଦଶ୍ୟରେ ଜିଲ୍ଲା ପ୍ରଶାସନ ତତ୍ତ୍ୱାବଧାନରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଆୟୋଜନ କରାଯାଇଛି । ଯେଉଁଥିରେ ୫୬୦୦୪୫ ଜଣ ଯୁବକ ଯୁବତୀ ଅଂଶଗ୍ରହଣ କରିଥିଲେ । ସେ ମଧ୍ୟରୁ ୧୪୮୬୪୫ଜଣଙ୍କୁ ଚୟନ କରାଯାଇ ନିଯୁକ୍ତି ପତ୍ର ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି ।
ମନ୍ତ୍ରୀ କହିଥିଲେ ଓଡ଼ିଶା ସରକାର ଓ ଆଇଟିଇଇଏସ୍ ସିଙ୍ଗାପୁର ସହଯୋଗିତାରେ ଭୁବନେଶ୍ୱରରେ ଏକ ୱାଲ୍ଡ଼ ସ୍କିଲ୍ଡ଼ ସେଣ୍ଟର ପ୍ରତିଷ୍ଠା କରାଯାଇଛି । ରାଜ୍ୟର ଯୁବକ ଯୁବତୀଙ୍କୁ ବିଶ୍ୱସ୍ତରୀୟ ଦକ୍ଷତା ପ୍ରଦାନ କରି ଶିଳ୍ପମାନଙ୍କ ଦ୍ୱାରା ଗ୍ରହଣୀୟ ଓ ପ୍ରଥମ ପସନ୍ଦ କରିବା ପାଇଁ ଏବଂ ଜାତୀୟ ଓ ଆନ୍ତର୍ଜାତୀୟ ଶିଳ୍ପସ୍ତରରେ ଗ୍ରହଣ ହେବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହାବ୍ୟତୀତ ରାଜ୍ୟର ଇଞ୍ଜିନିୟରିଂ, ଏମ୍ସିଏ, ଆଇଟିଆଇ ପଲିଟେକ୍ନିକ୍ ଛାତ୍ରଛାତ୍ରୀମାନଙ୍କୁ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ସିଆଇଏସ୍ସିଓ, ଏସ୍ଏପି, କୋରସେରା ଓ ବିଭିନ୍ନ ଆଇଟି ଇଣ୍ଡଷ୍ଟି୍ରମାନଙ୍କ ସହ ବୁଝାମଣା କରି ଡ଼ିଜିଟାଲ ସ୍କିଲିଂ ଏରିଆରେ ତାଲିମ ପ୍ରଦାନ ପାଇଁ ଉଦ୍ୟମ ଆରମ୍ଭ କରାଯାଇଛି । ଛାତ୍ରଛାତ୍ରୀମାନଙ୍କୁ ଆଗାମୀ ଦିନରେ ନୂତନ ଟେକ୍ନୋଲୋଜି କ୍ଷେତ୍ରରେ ରହିଥିବା ସର୍ବାଧିକ ·ହିଦା ପୂରଣ ଦିଗରେ ପ୍ରସ୍ତୁତ ଓ ଯୋଗ୍ୟ କରିବା ପାଇଁ ମଧ୍ୟ ସମସ୍ତ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ କହିବା ସହ ବିରୋଧୀ ଦଳର ଅଭିଯୋଗକୁ ଦୃଢ ଭାବେ ଖଣ୍ଡନ କରିଥିଲେ । ମନ୍ତ୍ରୀଙ୍କ ଉତ୍ତର ପରେ ମୁଲତବୀ ପ୍ରସ୍ତାବଟି ଅଗ୍ରାହ୍ୟ ହୋଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *