ଶୃଙ୍ଖଳା ବରାବର କଲା ଇଂଲଣ୍ଡ
ପଞ୍ଚମ ଟେଷ୍ଟରେ ହାରିଲା ଭାରତ
ରୁଟ୍-ବେଆରଷ୍ଟୋ ବିଗାଡ଼ିଲେ ଖେଳ
ବର୍ମିଂହାମ୍, ୫ା୭ (ଏଜେନ୍ସି): ୧୫ ବର୍ଷ ପରେ ଇଂଲଣ୍ଡରେ ଭାରତର ଟେଷ୍ଟ ଶୃଙ୍ଖଳା ଜିତିବାର ଆଶା ଧୂଳିସାତ୍ ହୋଇଯାଇଛି । କୋଭିଡ୍-ବିଳମ୍ବିତ ପଞ୍ଚମ ଟେଷ୍ଟରେ ଉତ୍ତମ ଫର୍ମରେ ଥିବା ଜୋ ରୁଟ୍ ଓ ଜନି ବେଆର୍ଷ୍ଟୋଙ୍କ ଚତୁର୍ଥ ୱିକେଟ୍ ପାଇଁ ଦ୍ୱିଶତକୀୟ ଅପରାଜିତ ଭାଗୀଦାରୀ ବଳରେ ଇଂଲଣ୍ଡ ମଙ୍ଗଳବାର ୭ ୱିକେଟ୍ରେ ଭାରତକୁ ପରାସ୍ତ କରିଛି । ଏଥିସହ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ୨-୨ରେ ଶେଷ ହୋଇଛି ।
ମ୍ୟାଚ୍ରେ ଦୁଇଟି ଶତକ ଲଗାଇଥିବା ବେଆରଷ୍ଟୋ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିବା ବେଳେ ଜୋ ରୁଟ୍ (୭୩୭ ରନ୍, ୨ ୱିକେଟ୍)ଙ୍କୁ ଇଂଲଣ୍ଡର ଓ ଯଶପ୍ରୀତ ବୁମ୍ରା (୧୨୫ ରନ୍, ୨୩ ୱିକେଟ୍)ଙ୍କୁ ଭାରତର ପ୍ଲେୟାର୍ ଅଫ୍ ଦ ସିରିଜ୍ ଘୋଷଣା କରାଯାଇଥିଲା । ଭାରତ ପ୍ରଥମ ଥର ବିପକ୍ଷ ଟିମ୍କୁ ୩୫୦ରୁ ଅଧିକ ବିଜୟଲକ୍ଷ୍ୟ ଦେବା ପରେ ମ୍ୟାଚ୍ ହାରିଥିଲା ।
୩୭୮ ରନ୍ ବିଜୟଲକ୍ଷ୍ୟର ପିଛା କରିଥିବା ଆୟୋଜକ ଟିମ୍ ଦ୍ୱିତୀୟ ଇନିଂସ୍ରେ ୩ ୱିକେଟ୍ ହରାଇ ୩୭୮ ରନ୍ ସଂଗ୍ରହ କରିଥିଲା । ପୂର୍ବତନ ଅଧିନାୟକ ରୁଟ୍ ୧୪୨ ଓ ବେଆରଷ୍ଟୋ ୧୧୪ ରନ୍ କରି ଅପରାଜିତ ଥିଲେ । ମ୍ୟାଚ୍ରେ ବେଆରଷ୍ଟୋଙ୍କ ଏହା ଦ୍ୱିତୀୟ ଶତକ ଥିଲା । ଉଭୟଙ୍କ ମଧ୍ୟରେ ୨୬୯ ରନ୍ର ଭାଗୀଦାରୀ ହୋଇଥିଲା ।
ଟେଷ୍ଟରେ ଇଂଲଣ୍ଡର ଏହା ସର୍ବବୃହତ୍ ରନ୍ ଚେଜ୍ ଥିଲା । ଟିମ୍ ଏହା ପୂର୍ବରୁ କେବେ ୩୫୯ରୁ ଅଧିକ ରନ୍ ଚେଜ୍ କରି ନ ଥିଲା । ତିନି ବର୍ଷ ପୂର୍ବେ ହେଡିଙ୍ଗ୍ଲେ ଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଇଂଲଣ୍ଡ ଏହି ଚେଜ୍ କରିଥିଲା ।
ପଞ୍ଚମ ଦିନ ଇଂଲଣ୍ଡ ୨୫୯/୩ ସ୍କୋର୍ରୁ ଅସମାପ୍ତ ଦ୍ୱିତୀୟ ଇନିଂସ୍ ବ୍ୟାଟିଂ ଆରମ୍ଭ କରିଥିଲା । ଜିତିବା ପାଇଁ କେବଳ ୧୧୯ ରନ୍ ଆବଶ୍ୟକ ଥିଲା । ପୂର୍ବ ଦିନ କ୍ରିଜ୍ରେ ଥିବା ରୁଟ୍ ଓ ବେଆର୍ଷ୍ଟୋ ଇନିଂସ୍କୁ ଅନାୟାସରେ ଆଗେଇ ନେଇ ୭୭ ଓଭର୍ ମଧ୍ୟରେ ଟିମ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇଥିଲେ । ଚତୁର୍ଥ ଦିନ ଏହି ୟର୍କସାୟାର ଯୋଡ଼ି ୧୦୯/୩ ସ୍କୋର୍ରୁ ବ୍ୟାଟିଂ ଆରମ୍ଭ କରିଥିଲେ । ଉଭୟଙ୍କ ସେହି ଲୟ ଆଜି ବି ବଳବତ୍ତର ରହିଥିଲା ।
ରୁଟ୍ ୧୩୬ ବଲ୍ରୁ ଟେଷ୍ଟ କ୍ୟାରିଅରର ୨୮ତମ ଶତକ ଲଗାଇଥିଲେ । ଭାରତ ବିପକ୍ଷରେ ଏହା ତାଙ୍କର ନବମ ଶତକ ଥିଲା । ସେହିପରି ବେଆରଷ୍ଟୋ ୧୩୮ ବଲ୍ରୁ ଶତକ ପୂରଣ କରିଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରଥମ ଇନିଂସ୍ରେ ଭାରତୀୟ ଟିମ୍ ୪୧୬ ରନ୍ କରିଥିବା ବେଳେ ଇଂଲଣ୍ଡ ୨୮୪ ରନ୍ରେ ସୀମିତ ରହିଥିଲା । ଏହାପରେ ଭାରତ ଦ୍ୱିତୀୟ ଇନିଂସ୍ରେ ୨୪୫ ରନ୍ କରି ୩୭୮ ରନ୍ର ବିଜୟଲକ୍ଷ୍ୟ ଦେଇଥିଲା ।