ଭାରତର କ୍ରମାଗତ ଦ୍ୱିତୀୟ ଡ୍ର’
ମହିଳା ହକି ବିଶ୍ୱକପ୍
ଆମଷ୍ଟେଲ୍ଭୀନ୍, ୫ା୭ (ଏଜେନ୍ସି): ମହିଳା ହକି ବିଶ୍ୱକପ୍ରେ ଭାରତ ଓ ଚୀନ୍ ମଧ୍ୟରେ ମଙ୍ଗଳବାର ଖେଳାଯାଇଥିବା ପୁଲ୍-ବି ମ୍ୟାଚ୍ ୧-୧ରେ ଅମୀଂମାସିତ ରହିଛି । ଭାରତ କ୍ରମାଗତ ଦ୍ୱିତୀୟ ମ୍ୟାଚ୍କୁ ଡ୍ର’ ରଖିଛି ।
ଜିଆଲୀ ଝେଙ୍ଗ୍ ୨୬ତମ ମିନିଟ୍ରେ ଚୀନ୍କୁ ଅଗ୍ରଣୀ କରିଥିବା ବେଳେ ବନ୍ଦନା କାଟାରିୟା ୪୫ତମ ମିନିଟ୍ରେ ଭାରତ ପକ୍ଷରୁ ଗୋଲ୍ ପରିଶୋଧ କରିଥିଲେ । ଏଥି ପୂର୍ବରୁ ଭାରତୀୟ ଟିମ୍ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ରେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍କୁ ବି ଡ୍ର’ ରଖିଥିଲା ।
ପ୍ରଥମ ଦୁଇ କ୍ୱାର୍ଟରରେ ବଲ୍ ପଜେସନ୍ରେ ଭାରତୀୟମାନେ ଆଗରେ ଥିଲେ ଏବଂ ଅଧିକ ସୁଯୋଗ ବି ସୃଷ୍ଟି କରିଥିଲେ, ହେଲେ ସେମାନଙ୍କ ପ୍ରୟାସ ଗୋଲ୍ରେ ପରିଣତ ହୋଇପାରି ନ ଥିଲା । ଅନ୍ୟପଟେ, ଚୀନାମାନେ ଭାରତୀୟ ରକ୍ଷଣପନ୍ଥୀକୁ ଭେଦ କରିବା ପାଇଁ ପାଲଟା ଆକ୍ରମଣ ଲାଗି ଅପେକ୍ଷା କରୁଥିଲେ । ନବମ ମିନିଟ୍ରେ ଟିମ୍ ପକ୍ଷରୁ ନବନୀତ କୌର ଗୋଲ୍କୁ ପ୍ରଥମ ସଟ୍ ଲଗାଇଥିଲେ, ଯେଉଁଥିରେ ବନ୍ଦନା କାଟାରିୟାଙ୍କର ସହଯୋଗ ଥିଲା । କିନ୍ତୁ ତାଙ୍କ ପ୍ରୟାସକୁ ଚୀନା ଗୋଲ୍କିପର୍ ଲିଉ ପିଙ୍ଗ୍ ଅଟକାଇ ଦେଇଥିଲେ । ୨୩ତମ ମିନିଟ୍ରେ ଭାରତ ସ୍କୋର୍ର ନିକଟତର ହୋଇଥିଲା, କିନ୍ତୁ ଗୋଲ୍ପୋଷ୍ଟ ବାଧକ ସାଜିଥିଲା । ଏହାର ରିବାଉଣ୍ଡରୁ ଜ୍ୟୋତିକା ସ୍କୋର୍ କରିଥିଲେହେଁ ରେଫରାଲ୍ ପରେ ଏହା ନାକଚ ହୋଇଯାଇଥିଲା । ଏହାପରେ ଭାରତ ପ୍ରଥମ ପେନାଲ୍ଟି କର୍ଣ୍ଣର ହାସଲ କରିଥିଲା, କିନ୍ତୁ ଏହା ନିଷ୍ଫଳ ହୋଇଥିଲା ।
ଜିନ୍ଦାନ୍ ଝାଙ୍ଗ୍ଙ୍କ ଠାରୁ ପାସ୍ ପାଇ ଜିଆଲୀ ଡେଡ୍ଲକ୍ ଭାଙ୍ଗି ଚୀନ୍କୁ ଅଗ୍ରଣୀ କରିଥିଲେ । ଏହାର ଦୁଇ ମିନିଟ୍ ପରେ ଭାରତ ଆଉ ଏକ ପିସି ପାଇଥିଲା । କିନ୍ତୁ ମୋନିକାଙ୍କ ପ୍ରୟାସ ବିଫଳ ହୋଇଥିଲା । ମଧ୍ୟାନ୍ତର ସୁଦ୍ଧା ଚୀନ୍ ଗୋଟିଏ ଗୋଲ୍ରେ ଆଗରେ ଥିଲା ।
ପାଶ୍ୱର୍ ପରିବର୍ତ୍ତନ ପରେ ଚୀନ୍ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲା ଏବଂ ୩୩ତମ ମିନିଟ୍ରେ ପ୍ରଥମ ପିସି ପାଇଥିଲା, ହେଲେ ବିଙ୍ଗଫେଙ୍ଗ୍ ଜୁ’ଙ୍କ ଫ୍ଲିକ୍ ୱାଇଡ୍ ହୋଇଥିଲା ।
୪୨ତମ ମିନିଟ୍ରେ ଭାରତ କ୍ରମାଗତ ପିସି ପାଇଥିଲେହେଁ ତାହା କାମରେ ଆସି ନ ଥିଲା । ତେବେ ଏହାର ତିନି ମିନିଟ୍ ପରେ ଗୁରଜିତଙ୍କ ଫ୍ଲିକ୍ରେ ବନ୍ଦନାଙ୍କ ଡିଫ୍ଲେକ୍ସନ୍ରୁ ଭାରତ ଗୋଲ୍ ପରିଶୋଧ କରିଥିଲା । ଶେଷ କ୍ୱାର୍ଟରରେ କେହି କାହାରି ବିପକ୍ଷରେ ସ୍କୋର୍ କରିପାରି ନ ଥିଲେ । ଭାରତ ଗୁରୁବାର ନିଜ ଶେଷ ପୁଲ୍ ମ୍ୟାଚ୍ରେ ନୁ୍ୟଜିଲାଣ୍ଡକୁ ଭେଟିବ ।