୧ଠ ବର୍ଷରେ ୭୮୪ ହାତୀ ମୃତୁ୍ୟ
ଭୁବନେଶ୍ୱର, ୫ା୭(ବୁ୍ୟରୋ): ରାଜ୍ୟରେ ଗତ ୧୦ ବର୍ଷ ଯଥା ୨୦୧୨-୧୩ରୁ ୨୦୨୧-୨୨ ମଧ୍ୟରେ ୭୮୪ ହାତୀଙ୍କ ମୃତୁ୍ୟ ହୋଇଛି । ଏଥିମଧ୍ୟରେ ୩୪ ହାତୀ ଶିକାରୀଙ୍କ ଦ୍ୱାରା, ୩୬ଟି ଦୁର୍ଘଟଣାରେ (ରେଳ ଦୁର୍ଘଟଣା ୩୦ ଓ ସଡକ ଦୁର୍ଘଟଣା ୬) ମୃୃତୁ୍ୟ ହୋଇଛି ବୋଲି ବିଧାନସଭାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ସୂଚନା ଦେଇଛନ୍ତି ।
ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଅମାତ ଦର୍ଶାଇଛନ୍ତି ଯେ ହାତୀ ମୃତୁ୍ୟ ରୋକିବା ପାଇଁ ନିଆଯାଇଥିବା ପଦକ୍ଷେପ ବିଫଳ ହୋଇନାହିଁ । ରାଜ୍ୟରେ ହାତୀ ବଂଶ ବୁଡିଯାଉଥିବା ସତ୍ୟ ନୁହେଁ । ୧୯୯୯ ଏବଂ ପରବର୍ତ୍ତୀ ବର୍ଷଗୁଡିକରେ ହାତୀ ଗଣନା ହୋଇଥିବା ତଥ୍ୟ ଅନୁଯାୟୀ ୧୯୯୯ରେ ୧୮୨୭ଟି ହାତୀ ଥିବା ବେଳେ ୨୦୧୭ରେ ୧୯୭୬ଟି ହାତୀ ରହିଛି । ଏହିଭଳି ୧୪୯ଟି ହାତୀ ସଂଖ୍ୟାରେ ବୃଦ୍ଧି ପରିଲକ୍ଷିତ ହୋଇଛି । ଭାରତ ସରକାରଙ୍କ ଅଧୀନରେ ଥିବା ପ୍ରୋଜେକ୍ଟ ଏଲିଫ୍ୟାଣ୍ଟ୍ ଡିଭିଜନ ଦ୍ୱାରା ପ୍ରସ୍ତୁତ ନୂତନ ପ୍ରଣାଳୀରେ ରାଜ୍ୟରେ ହାତୀ ଗଣନା କାର୍ଯ୍ୟକ୍ରମ ପାଇଁ ପଦକ୍ଷେପ ନିଆଯାଉଛି । ମନ୍ତ୍ରୀ ଗୃହକୁ ସୂଚନା ଦେଇ କହିଛନ୍ତି, ଅତୀତରେ କୋରାପୁଟ ଜିଲ୍ଲାରେ ହଜାର ହଜାର ହାତୀ ଥିବାର ହାତୀ ଗଣନା ତଥ୍ୟରୁ ପରିଲକ୍ଷିତ ହେଉନାହିଁ । ୧୯୭୯ରୁ ୨୦୧୭ ମଧ୍ୟରେ ୮ ଥର ହାତୀ ଗଣନା ହୋଇଛି । ସେଥିମଧ୍ୟରୁ ୨୦୧୦ ଏବଂ ୨୦୧୨ ହାତୀ ଗଣନା ଅନୁଯାୟୀ ଯଥାକ୍ରମେ ୧୪ ଏବଂ ୮ଟି ହାତୀ କୋରାପୁଟ ଜିଲ୍ଲାରେ ଦେଖାଯାଇଥିଲା । ହାତୀମାନଙ୍କର ଗତିବିଧି କୌଣସି ଗୋଟିଏ ଜିଲ୍ଲାରେ ସୀମିତ ହୋଇନଥାଏ । ୨୦୧୫ ଏବଂ ୨୦୧୭ ଗଣନା ଅନୁଯାୟୀ କୋରାପୁଟ ଜିଲ୍ଲାରେ କୌଣସି ହାତୀ ଥିବାର ତଥ୍ୟ ହସ୍ତଗତ ହୋଇନାହିଁ । ସେହିପରି ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରେ ମନ୍ତ୍ରୀ ଶ୍ରୀ ଅମାତ ଦର୍ଶାଇଛନ୍ତି ଯେ ୨୦୧୭ ମସିହା ହାତୀ ଗଣନା ଅନୁସାରେ ରାଜ୍ୟରେ ମୋଟ୍ ୧୯୭୬ଟି ହାତୀ ଅଛନ୍ତି । ଢେଙ୍କାନାଳରେ ସର୍ବାଧିକ ୧୬୯, ଆଠଗଡ ବନଖଣ୍ଡରେ ୧୧୫ ହାତୀ ରହିଥିଲେ । ତେବେ ବରଗଡ, ଭଦ୍ରକ ବନ୍ୟପ୍ରାଣୀ, ଚିଲିକା ବନ୍ୟପ୍ରାଣୀ, ସିଟି ଫରେଷ୍ଟ୍, ଜୟପୁର ବନଖଣ୍ଡ, ଖରିଆର, କୋରାପୁଟ, ମାଲକାନାଗିରି, ରାଜନଗର ଲୁଣା ଜଙ୍ଗଲ ବନ୍ୟପ୍ରାଣୀ, ନବରଙ୍ଗପୁର, ପୁରୀ ବନ୍ୟପ୍ରାଣୀ, ଝାରସୁଗୁଡା ଏବଂ ସୁନାବେଡା ବନ୍ୟପ୍ରାଣୀ ବନଖଣ୍ଡରେ ହାତୀ ସଂଖ୍ୟା ଶୂନ ରହିଥିଲା । ୨୦୧୯-୨୦ରୁ ୨୦୨୧-୨୨ ମଧ୍ୟରେ ୨୪୫ ହାତୀ ମୃତୁ୍ୟବରଣ କରିଛନ୍ତି । ଢେଙ୍କାନାଳ ବନଖଣ୍ଡରେ ସର୍ବାଧିକ ୩୫ ହାତୀ ମୃତୁ୍ୟବରଣ କରିଛନ୍ତି । ୨୦୧୯-୨୦ରେ ଢେଙ୍କାନାଳରେ ୧୬ଟି, ୨୦୨୦-୨୧ରେ ୬ଟି ଏବଂ ୨୦୨୧-୨୨ରେ ୧୩ଟି ହାତୀ ପ୍ରାଣ ହରାଇଛନ୍ତି । ସେହିପରି ବିଧାୟକ ଗଣେଶ ରାମସିଂହ ଖୁଣ୍ଟିଆଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଗତ ୧୨ ବର୍ଷରେ ଯଥା ୨୦୧୧-୧୨ରୁ ୨୦୨୧-୨୨ ମଧ୍ୟରେ ୯୩୫ ହାତୀ ମୃତୁ୍ୟବରଣ କରିଛନ୍ତି । ଏଥିମଧ୍ୟରୁ ଶିକାର ଦ୍ୱାରା ୪୮ଟି, ବିଷାକ୍ତ ଦ୍ୱାରା ୧୬ଟି, ବିଦୁ୍ୟତ୍ ଆଘାତ ଦ୍ୱାରା ୧୩୫ଟି, ରେଳ ଦୁର୍ଘଟଣା ଦ୍ୱାରା ୩୨, ରାସ୍ତା ଦୁର୍ଘଟଣା ଦ୍ୱାରା ୬, ଅନ୍ୟାନ୍ୟ ଦୁର୍ଘଟଣାରେ ୧୪୧ଟି, ବିଭିନ୍ନ ରୋଗ ଦ୍ୱାରା ୩୦୭ଟି, ପ୍ରାକୃତିକଭାବେ ୧୧୯ଟି ମୃତୁ୍ୟବରଣ କରିଛନ୍ତି । ୧୩୧ଟି ହାତୀ ମୃତୁ୍ୟର କାରଣ ବ୍ୟବଚ୍ଛେଦ ରିପୋର୍ଟରୁ ଅସ୍ପଷ୍ଟ ରହିଛି ।