ତେଜିଲା ‘କାଳୀ’ ପୋଷ୍ଟର ବିବାଦ

ନୂଆଦିଲ୍ଲୀ (ଏଜେନ୍ସି): କାନାଡାରେ ମା’ କାଳୀଙ୍କ ଉପରେ ନିର୍ମିତ ଏକ ଡକୁ୍ୟମେଣ୍ଟାରୀ ଫିଲ୍ମ ‘କାଳୀ’ର ପୋଷ୍ଟରକୁ ନେଇ ଭାରତରେ ଏବେ ବିବାଦ ଜୋର ଧରିଛି । ପୋଷ୍ଟରଟିରେ କାଳୀ ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀଜଣକ ଗୋଟିଏ ହାତରେ ସିଗାରେଟ୍ ଟାଣୁଥିବା ଏବଂ ଅନ୍ୟ ଏକ ହାତରେ ଏଲ୍ଜିବିଟି ବର୍ଗଙ୍କ ସାଙ୍କେତିକ ପତାକା ‘ରେନ୍ବୋ’ ଧରିଥିବା ପ୍ରଦର୍ଶିତ କରାଯାଇଛି । ଏହାକୁ ନେଇ ଫିଲ୍ମ ନିର୍ମାତା ବିବାଦ ଘେରକୁ ଆସିଯାଇଛନ୍ତି । ଚଳଚ୍ଚିତ୍ର ନିର୍ମାତା ଲୀନା ମଣିମେକାଲାଇ ଭାରତୀୟ ବଂଶୋଦ୍ଭବ ତଥା କାନାଡିଆନ୍ ଫିଲ୍ମମେକର)ଙ୍କୁ ଏବେ ଏନେଇ ଚାରିଆଡୁ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡୁଥିବା ବେଳେ ଏନେଇ ୟୁପି, ବିହାର ସମେତ ଦେଶର ଅନେକ ରାଜ୍ୟରେ ଏଫଆଇଆର୍ ମଧ୍ୟ ରୁଜୁ ହୋଇଛି । ତେବେ ଏପ୍ରକାର ଏକ ବିବାଦୀୟ ଫିଲ୍ମକୁ ନେଇ ଯେତେବେଳେ ଚର୍ଚ୍ଚା ଜୋର ଧରିଛି ସେତେବେଳେ ପଶ୍ଚିମବଙ୍ଗର ଶାସକ ଦଳ (ଟିଏମ୍ସି) ସାଂସଦ ମହୁଆ ମୈତ୍ର ଏହି ନିଆଁରେ ଘିଅ ଢ଼ାଳିବା ଭଳି ମନ୍ତବ୍ୟ ଦେଇ ନିଜ ପାଇଁ ଏବଂ ଦଳ ପାଇଁ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଦେଇଛନ୍ତି । ମହୁଆ ନିଜ ପ୍ରତିକ୍ରିୟାରେ କହିଛନ୍ତି, ତାଙ୍କ ଦୃଷ୍ଟିରେ ମା’ କାଳୀ ଜଣେ ମଦ ସ୍ୱୀକାର କରୁଥିବା ଏବଂ ମାଂସ (ଆମିଷ) ଭକ୍ଷଣ କରୁଥିବା ଦେବୀ । ସୁତରାଂ କାଳୀଙ୍କ ସିଗାରେଟ୍ ଟାଣୁଥିବାର ଏକ ପୋଷ୍ଟରକୁ ନେଇ ଏତେ ବିବାଦ ହେବା ଉଚିତ୍ ନୁହେଁ । କେବଳ କାଳୀ ନୁହଁନ୍ତି ବରଂ ପ୍ରତ୍ୟେକ ଲୋକଙ୍କୁ ନିଜ ଇଷ୍ଟ ଦେବତାଙ୍କୁ ନିଜ ଢ଼ଙ୍ଗ ବା ତରିକାରେ ପୂଜା କରିବାର ସମ୍ପୂର୍ଣ୍ଣ ଅଧିକାର ରହିଛି । ଅନେକ ସ୍ଥାନରେ ଦେବାଦେବୀଙ୍କୁ ମଦ ସମର୍ପଣ କରିବାର ବିଧି ରହିଥିବା ବେଳେ ଆଉ କେଉଁଠି ଏହାକୁ ମହାପାପ ବୋଲି ବିବେଚନା କରାଯାଇଥାଏ । ତେଣୁ ଯିଏ ଯେମିତି ଚାହିଁବେ ନିଜ ଆରାଧ୍ୟଙ୍କ କଳ୍ପନା ପୂର୍ବକ ପୂଜା କରିପାରିବେ । ଏପରି କହି ମହୁଆ ଫିଲ୍ମ ନିର୍ମାତା ଲୀନା ମଣିମେକଲଇଙ୍କୁ ପ୍ରତ୍ୟକ୍ଷ ତଥା ପରୋକ୍ଷରେ ସମର୍ଥନ କରିଛନ୍ତି । ତେବେ ଅନ୍ୟପକ୍ଷେ ଟିଏମ୍ସି କିନ୍ତୁ ନିଜ ସାଂସଦଙ୍କ ଏପ୍ରକାର ମନ୍ତବ୍ୟରୁ ନିଜକୁ ଦୂରେଇ ରଖିଛି । ସାଂସଦ ମହୁଆ ମୈତ୍ର ଯାହା ବି ମନ୍ତବ୍ୟ ଦେଇଛନ୍ତି ତାହା ତାଙ୍କର ନିଜସ୍ୱ ଏବଂ ବ୍ୟକ୍ତିଗତ ମନ୍ତବ୍ୟ, ଏହା ଦଳର ମନ୍ତବ୍ୟ ନୁହେଁ ବୋଲି ଟିଏମ୍ସି ସ୍ପଷ୍ଟ କରିଦେଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *