ଦାବି ଉଠାଇଲା ଡିଏମ୍କେ
ସ୍ୱାଧୀନ ତାମିଲନାଡ଼ୁ ରାଷ୍ଟ୍ର
ଚେନ୍ନାଇ, ୪ା୭: ଦ୍ରାବିଡ଼ ମୁନେତ୍ର କଝଗମ (ଡିଏମ୍କେ) ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏ.ରାଜା ତାମିଲନାଡୁକୁ ସ୍ୱାୟତ୍ତତା ପ୍ରଦାନ ଦାବି ଉଠାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ନିକଟରେ ସେ ଏପରି ଦାବି ଉପସ୍ଥାପନ କରିବା ସହିତ ଚେତାବନୀ ମଧ୍ୟ ଦେଇଛନ୍ତି ଯେ ଦାବି ପୂରଣ ନହେଲେ ଡିଏମ୍କେ ସ୍ୱାଧୀନ ତାମିଲନାଡୁ ରାଷ୍ଟ୍ର ଗଠନ ପାଇଁ ଦାବି କରିବାକୁ ବାଧ୍ୟ ହେବ ।
ମନମୋହନ ସରକାରରେ ସଞ୍ଚାରମନ୍ତ୍ରୀ ଥାଇ ୨ଜି ସ୍ପେକ୍ଟ୍ରମ୍ ଘୋଟାଲାରେ କିଛିଦିନ ଜେଲ୍ରେ ଥିବା ରାଜା ନମକ୍କଲଠାରେ ଡିଏମ୍କେ ପ୍ରତିନିଧିମାନଙ୍କ ବୈଠକରେ କହିଛନ୍ତି, ଯେପର୍ଯ୍ୟନ୍ତ ତାମିଲନାଡୁକୁ ସ୍ୱାୟତ୍ତତା ନମିଳିଛି ସେ ପର୍ଯ୍ୟନ୍ତ ଡିଏମ୍କେର ଲଢେଇ ବନ୍ଦ ହେବ ନାହିଁ । ଦ୍ରାବିଡ ଆନେ୍ଦାଳନର ପ୍ରତୀକ ଟି.ପେରିଆର୍ ସ୍ୱାଧୀନ ତାମିଲନାଡୁ ଦେଶର ସମର୍ଥକ ଥିଲେ । କିନ୍ତୁ ଡିଏମ୍କେର ପ୍ରତିଷ୍ଠାତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସି.ଏନ୍.ଅନ୍ନାଦୁରଇଙ୍କ ମାର୍ଗରେ ଯାଇ ଦଳ ରାଷ୍ଟ୍ରୀୟ ଅଖଣ୍ଡତା ଓ ଗଣତନ୍ତ୍ର ପାଇଁ ପୃଥକ୍ ତାମିଲନାଡୁ ରାଷ୍ଟ୍ର ଗଠନ ଦାବିକୁ ଗୁରୁତ୍ୱ ଦେଇ ନ ଥିଲା ।
ମୁଖ୍ୟମନ୍ତ୍ରୀ ଏମ୍.କେ.ଷ୍ଟାଲିନ୍ଙ୍କ ଉପସ୍ଥିତିରେ ରାଜା ଏଭଳି ଦେଶ ବିରୋଧୀ ବୟାନ ଦେବା ପରେ ତାମିଲନାଡୁ ରାଜନୀତିରେ ଭୂକମ୍ପ ସୃଷ୍ଟି ହୋଇଛି । ବିଜେପି ଡିଏମ୍କେକୁ ଟାର୍ଗେଟ କରି କହିଛି, ଏଥିରୁ ସ୍ପଷ୍ଟ ଯେ ଆଞ୍ଚଳିକ ଦଳ ନିଜ ବିଫଳତା ମାନି ନେଇଛି । ବିଜେପି ନେତା ତଥା ଦଳର ତାମିଲନାଡୁ ପ୍ରଭାରୀ ସିଟି ରବି କହିଛନ୍ତି ୫ ଦଶକ ଧରି କ୍ଷମତାରେ ରହିବା ପରେ ଡିଏମ୍କେ ଏଭଳି କଥା କହିବା ବାସ୍ତବିକ୍ ଆଶ୍ଚର୍ଯ୍ୟଜନକ । ଡିଏମ୍କେ ଲୋକଙ୍କ ଆକାଂକ୍ଷା ପୂରଣ କରି ନ ପାରି କେବଳ ବଂଶବାଦ ଓ ଭ୍ରଷ୍ଟାଚାରର ମଞ୍ଜି ବୁଣିବାରେ ସଫଳ ହୋଇଛି ।
ତାମିଲନାଡୁ ବିଜେପି ଉପାଧ୍ୟକ୍ଷ ନାରାୟଣ ତିରୁପତି କହିଛନ୍ତି ଡିଏମ୍କେ କାଳେ କାଳେ ବିଭାଜନକାରୀ ଭୂମିକା ନିଭାଇ ଆସିଛି । ରାଜାଙ୍କ ବୟାନରେ ବିସ୍ମିତ ହେବାର କିଛି ନାହିଁ, କିନ୍ତୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ ପ୍ରତିକ୍ରିୟା ନ ଦେଇ ମୌନ ରହିବା ଆଶ୍ଚର୍ଯ୍ୟଜନକ । ଷ୍ଟାଲିନ୍ ଦେଶର ସମ୍ବିଧାନ ଅନୁଯାୟୀ ଶପଥ ନେଇଥିଲେ ହେଁ ଉକ୍ତ ସଭାରେ ମୂକଦର୍ଶକ ସାଜିଥିଲେ ।
ବିଜେପିର ସମାଲୋଚନାକୁ ଅଗ୍ରାହ୍ୟ କରି ଡିଏମ୍କେ ପ୍ରବକ୍ତା ସି.ରବୀନ୍ଦ୍ରନ୍ ସ୍ପଷ୍ଟୀକରଣ ଦେଇଛନ୍ତି ଯେ ତାମିଲନାଡୁକୁ ସ୍ୱାଧୀନ ଭାବେ କାମ କରିବାକୁ ସୁଯୋଗ ଦେବା ଉଦେ୍ଦଶ୍ୟରେ ରାଜା ଏଭଳି କଥା କହିଛନ୍ତି । ରାଜ୍ୟପାଳ ବିଧାନସଭା ଦ୍ୱାରା ପାସ୍ ହୋଇଥିବା ଅନେକ ବିଲ୍କୁ ପକାଇ ରଖିଛନ୍ତି । ଏହାଦ୍ୱାରା ରାଜ୍ୟର ବିକାଶ କାର୍ଯ୍ୟ ପ୍ରଭାବିତ ହେଉଛି ।
ଉଲ୍ଲେଖଯୋଗ୍ୟ ଯେ ଡିଏମ୍କେ ସ୍ଥାପନାର ପ୍ରାରମ୍ଭିକ କାଳରେ ଭାରତରୁ ଅଲଗା ହୋଇ ଦ୍ରାବିଡନାଡୁ ରାଷ୍ଟ୍ର ଗଠନ ଥିଲା ଦଳର ମୁଖ୍ୟ ଦାବିଗୁଡିକ ମଧ୍ୟରେ ଅନ୍ୟତମ । ପେରିୟାର୍ ଓ ଅନ୍ନାଦୂରଇ ବହୁଦିନ ଧରି ଏହି ଦାବି ଉଠାଇଥିଲେ । ୧୯୬୨ରେ ଜବାହାରଲାଲ୍ ନେହେରୁଙ୍କ ନେତୃତ୍ୱାଧୀନ ସରକାର ବିଚ୍ଛିନ୍ନତାବାଦକୁ ଅବୈଧ କରିଦେବାରୁ ତାମିଲନାଡୁକୁ ସ୍ୱାଧୀନ ଦେଶ ଘୋଷଣା ଦାବି ଧୀରେ ଧୀରେ କ୍ଷୀଣ ହୋଇଗଲା । ତେବେ ମଝିରେ ମଝିରେ ଡିଏମ୍କେ ଦ୍ରାବିଡ ନାଡୁ ଦାବି ପ୍ରତି ସମର୍ଥନ ଜଣାଉଛି । ଏବେ ବହୁ ବର୍ଷ ପରେ ଏ ରାଜା ସେହି ପୁରୁଣା କଥା ସ୍ମରଣ କରାଇ ସ୍ୱାଧୀନ ଦେଶ ଦାବିକୁ ଆଗେଇ ନେବା ଉଦ୍ୟମ କରିଛନ୍ତି ।
ପୂର୍ବୋକ୍ତ ସଭାରେ ଏ.ରାଜା ଭାଷା ବିବାଦ ପ୍ରସଙ୍ଗ ମଧ୍ୟ ଉଠାଇଥିଲେ । ସେ କହିଥିଲେ ହିନ୍ଦୀ ସମଗ୍ର ଭାରତର ସରକାରୀ ଭାଷା ହେବା ଉଚିତ୍ ବୋଲି ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ତର୍କ ଗ୍ରହଣୀୟ ନୁହେଁ । ଗୋଟିଏ ଭାଷା ଦେଶକୁ ଯୋଡି ରଖି ପାରିବ କି? ରାଜା ମଧ୍ୟ ପାକିସ୍ତାନ ଓ ଜିନ୍ନା ପ୍ରସଙ୍ଗ ଉଠାଇଥିଲେ ।