ଏଣିକି ଖାଦ୍ୟ ବିଲ୍ରେ ଲାଗିବନି ସର୍ଭିସ୍ ଚାର୍ଜ

ନୂଆଦିଲ୍ଲୀ (ଏଜେନ୍ସି): ବେଶ୍ କିଛି ଦିନ ଧରି ଯେଉଁ ପ୍ରସଙ୍ଗ ଉପରେ ଚର୍ଚ୍ଚା ଚାଲିଥିଲା ଶେଷରେ ତାହାର ଅନ୍ତଃ ହୋଇଛି । ହୋଟେଲ, ରେଷ୍ଟୁରାଣ୍ଟ ମାଲିକ ଏଣିକି ନିଜ ଗ୍ରାହକଙ୍କ ଠାରୁ ସର୍ଭିସ୍ ଚାର୍ଜ ନେଇପାରିବେ ନାହିଁ । ହୋଟେଲ, ରେଷ୍ଟୁରାଣ୍ଟ କର୍ତ୍ତୃପକ୍ଷ ଗ୍ରାହକଙ୍କ ଖାଦ୍ୟ ବିଲ୍ ସହ ଅତିରିକ୍ତ ଭାବେ ସର୍ଭିସ ଚାର୍ଜ ନେଉଥିବା ବ୍ୟବସ୍ଥାକୁ ଏବେ ଆଇନ୍ଗତ ଭାବେ ବନ୍ଦ କରିଦିଆଯାଇଛି । ଏପ୍ରକାର ଅଯଥା ସେବା ଦେୟ କୌଣସି ହୋଟେଲ କିମ୍ବା ରେଷ୍ଟୁରାଣ୍ଟ ମାଲିକମାନେ ଏଣିକି ଆଉ ଲାଗୁ କରିପାରିବେ ନାହିଁ । ସୋମବାର ଏସମ୍ପର୍କରେ କେନ୍ଦ୍ରୀୟ ଖାଉଟି ସୁରକ୍ଷା ପ୍ରାଧୀକରଣ (ସିସିପିଏ) ଏକ ସବିଶେଷ ଗାଇଡ୍ଲାଇନ୍ ସହ ନିଦେ୍ର୍ଦଶ ଜାରିକରିଛନ୍ତି । ସୁତରାଂ ଏଣିକି ଯଦି କୌଣସି ହୋଟେଲ କିମ୍ବା ରେଷ୍ଟୁରାଣ୍ଟ ମାଲିକ ଖାଦ୍ୟ ବିଲ୍ରେ ସର୍ଭିସ୍ ଚାର୍ଜକୁ ଯୋଡ଼ି ବିଲ୍ ଦେଉଥିବାର ଅଭିଯୋଗ ମିଳେ ତେବେ ସମ୍ପୃକ୍ତ ହୋଟେଲ ବା ରେଷ୍ଟୁରାଣ୍ଟର ଲାଇସେନ୍ସ ରଦ୍ଦ କରାଯିବ । ଏସମ୍ପର୍କରେ ଗ୍ରାହକଙ୍କ ସୁବିଧା ପାଇଁ କେନ୍ଦ୍ରୀୟ ଖାଉଟି ସୁରକ୍ଷା ବୋର୍ଡ ପକ୍ଷରୁ ଏକ ଜାତୀୟ କଞ୍ଜୁମର ହେଲ୍ପଲାଇନ୍ (ନମ୍ବର ୧୯୧୫) ଓ ଇ-ଅଭିଯୋଗ ଦାଖଲ ପୋର୍ଟାଲ୍ର ମଧ୍ୟ ଶୁଭାରମ୍ଭ କରାଯାଇଛି । ଗ୍ରାହକ ନିଜ ଅଭିଯୋଗ ଦାଖଲ କରିବାର କିଛି ସମୟ ମଧ୍ୟରେ ସମ୍ପୃକ୍ତ ହୋଟେଲ କିମ୍ବା ରେଷ୍ଟୁରାଣ୍ଟ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୋର୍ଡ କହିଛି ।
ଜାରି ଗାଇଡଲାଇନ୍ରେ ହୋଟେଲ କିମ୍ବା ରେଷ୍ଟୁରାଣ୍ଟ ମାଲିକ ଖାଦ୍ୟ ବିଲ୍ରେ ନିଜ ହିସାବରେ କୌଣସି ପ୍ରକାର ସର୍ଭିସ ଚାର୍ଜ, ଗୁପ୍ତ ଚାର୍ଜ ଯୋଗ କରିପାରିବେ ନାହିଁ । ଗ୍ରାହକଙ୍କଠାରୁ ସର୍ଭିସ ଚାର୍ଜ ଆଦାୟ ପାଇଁ ବାଧ୍ୟ କରାଯାଇପାରିବନାହିଁ କିମ୍ବା ଖାଦ୍ୟ ବିଲରେ ସର୍ଭିସ ଚାର୍ଜ ଯୋଗ କରି ତା’ ଉପରେ ଜିଏସ୍ଟି ଲାଗୁ କରିପାରିବେ ନାହିଁ । ସର୍ଭିସ ଚାର୍ଜ ପ୍ରଦାନ କରିବା ଗ୍ରାହକଙ୍କ ସମ୍ପୂର୍ଣ୍ଣ ଇଚ୍ଛାଧୀନ ବ୍ୟାପାର ରହିବ । ବଢୁଥିବା ଅଭିଯୋଗକୁ ଦୃଷ୍ଟିରେ ରଖି ସିସିପିଏ ହୋଟେଲ ଏବଂ ରେଷ୍ଟୁରାଣ୍ଟ ମାଲିକମାନେ ନେଉଥିବା ସର୍ଭିସ୍ ଚାର୍ଜ ସମ୍ବନ୍ଧରେ ଉପଭୋକ୍ତାଙ୍କ ଅଧିକାରର ଉଲ୍ଲଂଘନ ରୋକିବା ପାଇଁ ଏହି ଗାଇଡଲାଇନ୍ ଜାରି କରିଛନ୍ତି । ହେଲ୍ପଲାଇନ୍ ନମ୍ବର, ଅନ୍ଲାଇନ୍ ଅଭିଯୋଗ ବ୍ୟତୀତ ଜଣେ ଅସନ୍ତୁଷ୍ଟ ଗ୍ରାହକ ନିର୍ଦ୍ଦିଷ୍ଟ ହୋଟେଲ ବା ରେଷ୍ଟୁରାଣ୍ଟ ମାଲିକଙ୍କ ବିରୋଧରେ ଜିଲ୍ଲାପାଳଙ୍କ ଠାରେ ମଧ୍ୟ ଅଭିଯୋଗ କରିପାରିବେ ବୋଲି ଗାଇଡଲାଇନ୍ରେ ସ୍ପଷ୍ଟ ଉଲ୍ଲେଖ କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *