ବିଦୁ୍ୟତ୍ ପ୍ରସଙ୍ଗରେ ଗୃହ ସରଗରମ
ଭୁବନେଶ୍ୱର, ୪ା୭ (ବୁ୍ୟରୋ): ଓଡ଼ିଶା ଏକ ବିଦୁ୍ୟତ୍ ବଳକା ରାଜ୍ୟ ବୋଲି ସରକାର ବାରମ୍ବାର କହିଆସୁଛନ୍ତି । ହେଲେ ଏହି ବଳକା ରାଜ୍ୟରେ ଉପଭୋକ୍ତାଙ୍କୁ ବିଜୁଳି ସଠିକ୍ ଭାବେ ମିଳୁନି । ଗ୍ରାହକଙ୍କ ଉପରେ ଅଯଥା ଆର୍ଥିକ ବୋଝ ଲଦି ଦିଆଯାଉଛି । ବିଭିନ୍ନ ଶିଳ୍ପସଂସ୍ଥା ଓ କମ୍ପାନୀଗୁଡ଼ିକ ଉପରେ ରହିଥିବା ବକେୟା ଆଦାୟ ହେଉନଥିବାବେଳେ ସାଧାରଣ ଉପଭୋକ୍ତାଙ୍କଠାରୁ ଜୋର୍ଜବରଦସ୍ତ ବିଲ୍ ଆଦାୟ କରାଯାଉଛି । ବିଧାନସଭାରେ ସୋମବାର ବିଦୁ୍ୟତ୍ ପ୍ରସଙ୍ଗରେ ସରକାରଙ୍କୁ ଏଭଳି ନିଶାଣ କରିଥିଲେ ବିରୋଧୀ ।
ଅନ୍ୟପକ୍ଷରେ ନିରନ୍ତର ଓ ଗୁଣାତ୍ମକ ବିଦୁ୍ୟତ୍ ଯୋଗାଣ ଲାଗି ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ବିଦୁ୍ୟତ୍ କ୍ଷେତ୍ରରେ ସଂସ୍କାର ଲାଗି ସରକାର ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି । ଗ୍ରୀଡ୍, ସବ୍ଷ୍ଟେସନ୍, ଟ୍ରାନ୍ସଫର୍ମର ସଂଖ୍ୟା ବୃଦ୍ଧି ପାଇଛି । ପ୍ରାକୃତିକ ବିପର୍ଯ୍ୟୟର ୨୪ ଘଣ୍ଟା ମଧ୍ୟରେ ବିଦୁ୍ୟତ୍ ପୁନରୁଦ୍ଧାର ହେଉଛି ବୋଲି ଶାସକ ଦଳ ପକ୍ଷରୁ ଗୃହରେ ଯୁକ୍ତି ରଖାଯାଇଛି । ବିରୋଧୀ ଦଳ ପକ୍ଷରୁ ଆଗତ ‘ବିଦୁ୍ୟତ୍ ସଂସ୍କାର ଆଳରେ ଉପଭୋକ୍ତାଙ୍କୁ ମହଙ୍ଗା ମାଡ଼ । ଘନଘନ ପାୱାରକଟ୍, ଲୋ-ଭୋଲ୍ଟ୍ଜେ, ଚୂଲିକୁ ଗଲାଣି ପିଲାଙ୍କ ପାଠ’ ଶୀର୍ଷକ ମୁଲତବୀ ପ୍ରସ୍ତାବ ଉପରେ ସୋମବାର ବିଧାନସଭାରେ ସରଗରମ ଆଲୋଚନା ହୋଇଛି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନଚରଣ ମାଝୀ ଆଲୋଚନା ଆରମ୍ଭ କରି କହିଛନ୍ତି, ବିଦୁ୍ୟତ୍ କ୍ଷେତ୍ରରେ ପରିଚାଳନାଗତ ତ୍ରୁଟି ଯୋଗୁ ବୈଷୟିକ ଓ ବାଣିଜି୍ୟକ କ୍ଷତି ହେଉଛି । ଏହି କ୍ଷତି ଭରଣା ପାଇଁ ଖାଉଟିଙ୍କ ଉପରେ ବୋଝ ଲଦି ଦିଆଯାଉଛି । ବିଦୁ୍ୟତ୍ ବିଭାଗ ସମ୍ପୂର୍ଣ୍ଣ ଉଦାସୀନ ହୋଇପଡ଼ିଥିବାବେଳେ ଓଇଆର୍ସି କାହା ସ୍ୱାର୍ଥରେ ଗଠନ ହୋଇଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଉପଭୋକ୍ତାଙ୍କ ଉପରେ ଆର୍ଥିକ ବୋଝ ପାଇଁ ସରକାର ଦାୟୀ ବୋଲି ସେ କହିଥିଲେ । ବିଜେପି ସଦସ୍ୟ ମୁକେଶ ମହାଲିଙ୍ଗ ଓ ସନାତନ ବିଜୁଳି ଏହି ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରିଥିଲେ ।
କଂଗ୍ରେସ ସଦସ୍ୟ ସନ୍ତୋଷ ସିଂ ସାଲୁଜା କହିଥିଲେ, ବଳକା ରାଜ୍ୟରେ ବିଦୁ୍ୟତ୍ ମିଳୁନି । ଗାଁଠୁ ସହର ବିଜୁଳି ସମସ୍ୟା ଦେଖାଦେଉଛି । ଓଡ଼ିଶା ଭଳି ଗରିବ ରାଜ୍ୟରେ ବିଜୁଳି ଆର୍ଥିକ ବୋଝ ହୋଇଛି । ଦିଲ୍ଲୀରେ ୨ଠଠ ୟୁନିଟ୍ ଯାଏଁ ବିଦୁ୍ୟତ୍ ମାଗଣାରେ ଯୋଗାଇ ଦିଆଯାଉଥିବାବେଳେ ପଞ୍ଜାବରେ ୩ଠଠ ୟୁନିଟ୍ ଯାଏଁ ଉପଭୋକ୍ତାଙ୍କୁ ମାଗଣା ବିଦୁ୍ୟତ୍ ମିଳୁଛି । ସେହିପରି ଛତିଶଗଡ଼ରେ ଠ-୧ଠଠ ୟୁନିଟ୍ ଯାଏଁ ୭ଠ ପଇସା ଆଦାୟ ହେଉଥିବାବେଳେ ଓଡ଼ିଶାରେ ଏହା ୩ଟଙ୍କା ରହିଛି । କଂଗ୍ରେସର ଅନ୍ୟତମ ସଦସ୍ୟ ଅଧିରାଜ ମୋହନ ପାଣିଗ୍ରାହୀ ମଧ୍ୟ ବିଦୁ୍ୟତ୍ ପ୍ରସଙ୍ଗରେ ନିଜ ମତ ରଖି ସରକାରଙ୍କୁ ଟାର୍ଗେଟ୍ କରିଥିଲେ । ଶାସକ ଦଳ ସଦସ୍ୟ ଉମାକାନ୍ତ ସାମନ୍ତରାୟ, ସୁଧୀର ସାମଲ, ଧ୍ରୁବଚରଣ ସାହୁ ଓ ଦେବୀରଞ୍ଜନ ତି୍ରପାଠୀ ବିରୋଧୀଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ ୨୨ ବର୍ଷର ସରକାରରେ ବିଦୁ୍ୟତ୍ ଭିତ୍ତିଭୂମି କ୍ଷେତ୍ରରେ ବହୁ ଉନ୍ନତି ଆସିଥିବା ମତ ରଖିଥିଲେ ।