ଭକ୍ତଙ୍କ ପାଇଁ ଶରଧାବାଲି ପାଲଟିଛି ବୈକୁଣ୍ଠ

ପୁରୀ (ବୁ୍ୟରୋ): ମହାବାହୁ ତୁମ ବଡ଼ ଦାଣ୍ଡେ ମୋ ଜୀବନ ଯାଉ । ତିନି ଠାକୁରଙ୍କୁ ଦର୍ଶନ କରିବା ପାଇଁ ଦୂରଦୂରାନ୍ତରୁ ଧାଇଁ ଆସିଥିବା ହଜାର ହଜାର ଶ୍ରଦ୍ଧାଳୁ ଏଭଳି ଭାବ ନେଇ ବଡ଼ଦାଣ୍ଡରେ ରହିଛନ୍ତି । ବାହାରୁ ଆସିଥିବା କେତେକ ଶ୍ରଦ୍ଧାଳୁ ଓ ଭିକ୍ଷୁକ ମୁଣ୍ଡ ଗୁଞ୍ଜିବା ପାଇଁ ହୋଟେଲ ଛାତ ଅପେକ୍ଷା ଶରଧାବାଲିକୁ ବୈକୁଣ୍ଠ ମନେକରି ବିନା ଦ୍ୱିଧାରେ ଖୋଲା ଆକାଶ ତଳେ ରାତି ବିତାଉଛନ୍ତି । ଠାକୁରଙ୍କୁ ଦର୍ଶନ ପରେ ମନରେ ଯେଉଁ ଆବେଗ ଓ ଭାବ ଖୋଲା ଆକାଶକୁ ଶ୍ରଦ୍ଧାଳୁୁଙ୍କୁ ବାଧୁ ନାହିଁ । ଯେଉଁମାନେ ଜଗନ୍ନାଥଙ୍କୁ ଭାବରେ ହଜାଇ ଦିଅନ୍ତି ସେମାନଙ୍କ ପାଇଁ ବଡ଼ଦାଣ୍ଡ ଧୂଳି ମୁଣ୍ଡରେ ବୋଳିଲେ ପବିତ୍ର ମନେ କରିଥାନ୍ତି ।
ରଥକୁ ଆସିଥିବା ଭକ୍ତମାନେ ବିସ୍ତୃତ ବଡ଼ଦାଣ୍ଡରେ ଜରିପାଲ ଖଣ୍ଡେ ପକାଇ ସନ୍ଧ୍ୟା ସମୟରେ ଭଜନ କିର୍ତ୍ତନରେ ନିଜକୁ ହଜାଇ ଦେଉଛନ୍ତି । ରାତି ହେଲେ ଆକାଶକୁ ମୁହଁ କରି ନୀଳାଚଳ ଧାମରେ ନୀଳ ଆକାଶକୁ ଅନାଉ ଅନାଉ ନିଦ ମାଡ଼ିଆସୁଛି । ସେମାନଙ୍କ ମନରେ କୁଣ୍ଠା ବା ବିଦ୍ୱେଶ ନ ଥିବାରୁ ବଡ଼ଦାଣ୍ଡକୁ ବୈକୁଣ୍ଠ ସମାନ ମନେ କରିଥାନ୍ତି । ଏ ପବିତ୍ର ପୂଣ୍ୟ ଧାମକୁ ଯେଉଁ ଭକ୍ତ ବା ସାଧୁ ସନ୍ଥ ଆସିଥାନ୍ତି ସୁଖ ସୁବିଧା ଅପେକ୍ଷା ଶେଷ ଜୀବନରେ ସ୍ୱର୍ଗଦ୍ୱାର ବାଲିରୁ ହାତେ ଦେବା ପାଇଁ ପ୍ରାର୍ଥନା କରିଥାନ୍ତି । ଯେଉଁ ଭକ୍ତମାନେ ନିଘୋଡ଼ ନିଦରେ ଶୋଇରହନ୍ତି ଜଗତ କର୍ତ୍ତା ପ୍ରଭୁ ଜଗନ୍ନାଥ ପହୁଡ଼ ଗଲେ ବି ଆଖି ଖୋଲି ଭକ୍ତକୁ ଚାହିଁଥାନ୍ତି ।
ଅନ୍ୟପକ୍ଷରେ ଯେଉଁମାନଙ୍କ ପାଖରେ ନା ଅଛି ଛାତ କିମ୍ବା ଭାତ ଅବା ଭବିଷ୍ୟତ ସେମାନେ ବଡ଼ଦାଣ୍ଡରେ ହାତପାତି ବଞ୍ଚୁଛନ୍ତି । ବର୍ଷା କିମ୍ବା ଖରା ଶୀତ କାକରକୁ ସହିବାର ସାଧନା କରି ଭଗବାନଙ୍କ ଭରସାରେ ପଡ଼ି ରହିଛନ୍ତି । ଯେଉଁମାନେ ଭିକ୍ଷାବୃତ୍ତି କରୁଛନ୍ତି ସେମାନଙ୍କ ମଧ୍ୟରୁ ଅଧିକ ଭିନ୍ନକ୍ଷମ ଅଟନ୍ତି । କାହାର ହାତ ନାହିଁ ତ କାହାର ଗୋଡ଼ ନାହିଁ ଆଉ କିଏ ଦୃଷ୍ଟିଶକ୍ତି ହରାଇ ଦୟାର ପାତ୍ରହୋଇ ଜୀବନ ବିତାଉଛନ୍ତି । ରଥ ସମୟରେ ବହୁ ଶ୍ରଦ୍ଧାଳୁ ଆସୁଥିବାରୁ ସେମାନଙ୍କଠାରୁ ଯାହା ଭିକ୍ଷା ମିଳିବ ସେଥିରେ କିଛିଦିନ ଚଳିଯିବି ବୋଲି ବଡ଼ଦାଣ୍ଡରେ ଡେରା ପକାଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *