୧୬ ମୃତ, ଅଧିକାଂଶ ସ୍କୁଲ ପିଲା
ଘାଟି ତଳକୁ ଖସିଲା ବସ୍
କୁଲୁ (ଏଜେନ୍ସି): ସୋମବାର ସକାଳ ୮.୪୫ ମିନିଟ୍ ସମୟରେ ହିମାଚଳର କୁଲୁ ଅଞ୍ଚଳରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟି ୧୬ଜଣ ପ୍ରାଣ ହରାଇଥିବା ଭଳି ଅଭାବନୀୟ ଘଟଣା ସମ୍ପର୍କରେ ସୂଚନା ମିଳିଛି । ହିମାଚଳର ସେଞ୍ଜ୍ ଉପତ୍ୟକାରେ ଥିବା ଗଭୀର ଖାଇ ମଧ୍ୟକୁ ଏକ ଘରୋଇ ବସ୍ ପଡ଼ିଯିବାରୁ ଅନୁ୍ୟନ ୧୬ଜଣଙ୍କ ମୃତୁ୍ୟ ହୋଇଛି । ସେହିପରି କିଛି ଲୋକ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ମୃତକଙ୍କ ମଧ୍ୟରେ ଅଧିକାଂଶ ସ୍କୁଲ ଓ କଲେଜ୍ ପିଲା ରହିଥିବା କୁଲୁ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି । କୁଲୁ ଡେପୁଟି କମିସନର୍ ଆଶୁତୋଷ ଗର୍ଗ କହିଛନ୍ତି, ପ୍ରାୟ ୪ଠ ଯାତ୍ରୀଙ୍କୁ ଧରି ସଂସାରରୁ ବାହାରିଥିବା ଏହି ଘରୋଇ ବସ୍ଟି ସେଞ୍ଜ୍ ଅଭିମୁଖେ ଯାଉଥିବା ବେଳେ ଜଙ୍ଗଲା ଗାଁ ନିକଟରେ ଥିବା ୨ଠଠ ମିଟର ଖାଇ ଭିତରକୁ ଖସିପଡ଼ିଥିଲା । ତେବେ ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ର ପୁଲିସ୍ ଫୋର୍ସ ଏବଂ ଉଦ୍ଧାରକାରୀ ଦଳଙ୍କୁ ଘଟଣାସ୍ଥଳକୁ ପଠାଯାଇଥିଲା ଏବଂ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଥିଲା ।
ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ମୃତକ ପରିବାରଙ୍କୁ ୫ଲକ୍ଷ ଲେଖାଏ ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଏଥିସହ ବସ୍ ଦୁର୍ଘଟଣା ସମ୍ପର୍କରେ ମାଜିଷ୍ଟ୍ରେଟ୍ସ୍ତରୀୟ ତଦନ୍ତ ନିଦେ୍ର୍ଦଶ ଦେଇଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଘଟଣା ସମ୍ପର୍କରେ ଗଭୀର ଶୋକ ବ୍ୟକ୍ତ କରିବା ସହ ପ୍ରତ୍ୟେକ ମୃତକଙ୍କ ପରିବାର ବର୍ଗଙ୍କୁ ୨ଲକ୍ଷ ଲେଖାଏ ଆର୍ଥିକ ସହାୟତା ଘୋଷଣା କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସ୍ଥାନୀୟ ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କୁ ପୀଡ଼ିତଙ୍କ ପରିବାର ଲୋକଙ୍କୁ ସମ୍ଭାବ୍ୟ ସାହାଯ୍ୟ ସହଯୋଗ ଯୋଗାଇଦେବାକୁ ମୋଦି ନିଦେ୍ର୍ଦଶ ମଧ୍ୟ ଦେଇଛନ୍ତି ।