ସୁପ୍ରିମ୍କୋର୍ଟ ଲକ୍ଷ୍ମଣ ରେଖା ଟପିଛନ୍ତି
ନୂଆଦିଲ୍ଲୀ, ୫ା୭: ନୂପୁର ଶର୍ମା ମାମଲାରେ ସୁପ୍ରିମ୍କୋର୍ଟର ଅବକାଶକାଳୀନ ନ୍ୟାୟପୀଠ ଦେଇଥିବା ଟିପ୍ପଣୀକୁ ନେଇ ଗୁରୁତର ବିବାଦ ଉପୁଜିଛି । ମଙ୍ଗଳବାର ଦେଶର ୧୫ ଜଣ ଅବସରପ୍ରାପ୍ତ ଜଜ୍, ୭୭ ଜଣ ପୂର୍ବତନ ବୁ୍ୟରୋକ୍ରାଟ୍ ଓ ୨୫ ଜଣ ସେବାନିବୃତ୍ତ ସେନା ଅଧିକାରୀ ଏପରି ୧୧୭ଜଣ ଦିଗ୍ଗଜ ଏକ ଖୋଲା ଚିଠିରେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଜେବି ପାରଦିୱାଲାଙ୍କ ଟିପ୍ପଣୀକୁ ‘ଦୁର୍ଭାଗ୍ୟଜନକ’ ଓ ‘ଅପ୍ରତ୍ୟାଶିତ’ ବୋଲି ଉଲ୍ଲେଖ କରି କହିଛନ୍ତି ଏହାଦ୍ୱାରା ସର୍ବୋଚ୍ଚ ଅଦାଲତ ଲକ୍ଷ୍ମଣ ରେଖା ଲଙ୍ଘନ କରିଛନ୍ତି । ନୂପୁରଙ୍କୁ ନ୍ୟାୟପାଳିକା ପର୍ଯ୍ୟନ୍ତ ପହଞ୍ଚôବା ପାଇଁ ନ୍ୟାୟପୀଠ ମନା କରିଦେବା ଦ୍ୱାରା ଦେଶବାସୀଙ୍କ ମନରେ ଗଭୀର ଆଘାତ ଲାଗିଛି । ରାୟର ଅଂଶବିଶେଷ ହୋଇ ନ ଥିବା ଏପରି ଟିପ୍ପଣୀ ନ୍ୟାୟପାଳିକାର ସିଦ୍ଧାନ୍ତ ଓ ନିଷ୍ପକ୍ଷତା ପରିସରକୁ ଆସୁନାହିଁ । ପିଟିସନ୍ରଙ୍କ ବକ୍ତ୍ୟ ନଶୁଣି ତାଙ୍କୁ ଦୁଇ ଜଣିଆ ନ୍ୟାୟପୀଠ ଦୋଷୀ ସାବ୍ୟସ୍ତ କରିଦେଲେ । ଫଳତଃ ଉଦୟପୁର ହତ୍ୟାକାଣ୍ଡକୁ ପରୋକ୍ଷରେ ମାଫ୍ କରିଦଆଗଲା । ପୃଥିବୀର ସର୍ବବୃହତ୍ ଗଣତନ୍ତ୍ରର ନ୍ୟାୟପାଳିକା ଇତିହାସରେ ଏହା ଏକ କଳାଦାଗ ଯାହାକୁ ଲିଭାଇ ହେବ ନାହିଁ । ଏପରି ଭୁଲ୍ ଉଦାହରଣର ସୁଧାର ଆବଶ୍ୟକ ।
୧୧୭ ଦିଗ୍ଗଜଙ୍କ ଏହି ଚିଠି ସୁପ୍ରିମ୍କୋର୍ଟର ପ୍ରଧାନବିଚାରପତିଙ୍କ ନିକଟକୁ ପଠାଯାଇଛି । ସେଥିରେ ସ୍ୱକ୍ଷର କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି କେରଳ ହାଇକୋର୍ଟ ପୂର୍ବତନ ଜଜ୍ ପିଏନ୍ ରବୀନ୍ଦ୍ରନ୍, ବମ୍ବେ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି କ୍ଷିତିଜ ବ୍ୟାସ, ଗୁଜରାଟ ହାଇକୋର୍ଟର ପୂର୍ବତନ ନ୍ୟାୟାଧୀଶ ଏସ୍ ଏମ୍ ସୋନୀ, ରାଜସ୍ଥାନ ହାଇକୋର୍ଟର ପୂର୍ବତନ ନ୍ୟାୟାଧୀଶ ଆର୍ ଏସ୍ ରାଠୋର ଓ ପ୍ରଶାନ୍ତ ଅଗ୍ରୱାଲ୍, ଦିଲ୍ଲୀ ହାଇକୋର୍ଟର ପୂର୍ବତନ ନ୍ୟାୟାଧୀଶ ଏସ୍.ଏନ୍.ଢିଙ୍ଗରା, କେରଳର ପୂର୍ବତନ ମୁଖ୍ୟ ଶାସନ ସଚିବ ଆନନ୍ଦ ବୋଷ, ପୂର୍ବତନ ଆଇଏଏସ୍ ଅଫିସର ଆର୍ଏସ୍ ଗୋପାଳନ ଓ ଏସ୍ କୃଷ୍ଣ କୁମାର, ଅବସରପ୍ରାପ୍ତ ରାଷ୍ଟ୍ରଦୂତ ନିରଞ୍ଜନ ଦେଶାଇ, ପୂର୍ବତନ ପୁଲିସ ଡିଜି ଏସ୍.ପି.ବୈଦ ଓ ବି.ଏଲ୍.ବୋହରା, ସେବାନିବୃତ୍ତ ଲେଫ୍ଟନାଣ୍ଟ ଜେନେରାଲ ବି.କେ.ଚତୁର୍ବେଦୀ, ସେବାନିବୃତ୍ତି ଏୟାର୍ ମାର୍ଶଲ୍ ଏସ୍.ପି.ସିଂହ ପ୍ରମୁଖ ।
ଉଲ୍ଲେଖଯୋଗ୍ୟ ଯେ ପୟଗମ୍ବରଙ୍କ ସମ୍ପର୍କରେ ଏକ ଟିଭି କାର୍ଯ୍ୟକ୍ରମରେ ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମା ବିବାଦୀୟ ଟିପ୍ପଣୀ ଦେବା ପରେ ଦେଶବିଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ତାଙ୍କୁ ହତ୍ୟା ଧମକ ମଧ୍ୟ ମିଳିଥିଲା । ନୂପୁରଙ୍କୁ ସମର୍ଥନ କରି ଏକ ଫେସ୍ବୁକ୍ ପୋଷ୍ଟ ସେୟାର କରିଥିବା ରାଜସ୍ଥାନ ଉଦୟପୁରର ଜଣେ ଦରଜୀଙ୍କୁ ହତ୍ୟା କରାଗଲା । ନୂପୁରଙ୍କୁ ବିରୋଧରେ ଅନେକ ରାଜ୍ୟରେ ରୁଜୁ ହୋଇଥିବା ଏତଲାଗୁଡିକୁ ଏକାଠି କରି ଦିଲ୍ଲୀ ଟ୍ରାନ୍ସଫର୍ କରିବା ଲାଗି ପ୍ରାର୍ଥନା କରି ତାଙ୍କ ପକ୍ଷରୁ ସୁପ୍ରମ୍କୋର୍ଟରେ ଯେଉଁ ପିଟିସନ୍ ଦିଆଯାଇଥିଲା, ଦୁଇ ଜଣିଆ ନ୍ୟାୟପୀଠ ବିନା ଶୁଣାଣିରେ ତାହାକୁ ଖାରଜ କରିବା ସହ ତାଙ୍କୁ ଅତି କଠୋର ଭାଷାରେ ଭର୍ତ୍ସନା କରିଥିଲେ ।
ବିବୃତି ଆକାରରେ ପ୍ରଧାନ ବିଚାରପତିଙ୍କ ନିକଟକୁ ପଠାଯାଇଥିବା ପତ୍ରରେ କୁହାଯାଇଛି ଯେ, ବିନା ନୋଟିସ୍ରେ ଅନ୍ୟ ଏଜେନ୍ସି (ଦିଲ୍ଲୀ ପୋଲିସ) ବିରୋଧରେ ନ୍ୟାୟପୀଠ କଟୁ ମନ୍ତବ୍ୟ ଦେବା ବାସ୍ତବିକ ଚିନ୍ତାଜନକ ଓ ବିପଦଜ୍ଜନକ ।