ହେଲିକପ୍ଟର ଆଗରେ କଳା ବେଲୁନ୍
ଆନ୍ଧ୍ର ପ୍ରଦେଶରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି, ୪ କଂଗ୍ରେସୀ ଗିରଫ
ବିଜୟୱାଡ଼ା, ୪ା୭: ଆନ୍ଧ୍ର ପ୍ରଦେଶର ବିଜୟୱାଡ଼ାଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହେଲିକପ୍ଟର ସାମ୍ନାରେ କଳା ବେଲୁନ୍ ଉଡାଇ ୪ଜଣ କଂଗ୍ରେସ କର୍ମକର୍ତ୍ତା ଗିରଫ ହୋଇଛନ୍ତି । ଆଉ କେତେକ ବିକ୍ଷୋଭକାରୀଙ୍କୁ ଗିରଫ କରାଯିବ ବୋଲି କୃଷ୍ଣା ଜିଲ୍ଲା ପୁଲିସ ସୂତ୍ରରୁ ଜଣାପଡିଛି । ସୋମବାର ପ୍ରଧାନମନ୍ତ୍ରୀଙ୍କ ଆନ୍ଧ୍ର ଗ୍ରସ୍ତବେଳେ କଂଗ୍ରେସ ପକ୍ଷରୁ ଏପରି ଅଭିନବ ବିରୋଧ ପ୍ରଦର୍ଶନ କରାଯାଇଛି । ପୋଲିସ ସ୍ପଷ୍ଟୀକରଣ ଜାରି କରି କହିଛି ଏହାକୁ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି କୁହାଯାଇପାରିବ ନାହିଁ ।
ଉଲ୍ଲେଖଯୋଗ୍ୟ ଯେ ନିକଟ ଅତୀତରେ ପ୍ରଧାନମନ୍ତ୍ରୀ ପଞ୍ଜାବ ଗସ୍ତରେ ଯାଇଥିବାବେଳେ ତାଙ୍କ ସୁରକ୍ଷା ବ୍ୟବସ୍ଥାରେ ଗୁରୁତର ତ୍ରୁଟି ପରିଲକ୍ଷିତ ହୋଇଥିଲା । ସେ ସମୟରେ ପଞ୍ଜାବରେ ଥିଲା କଂଗ୍ରେସ ସରକାର ।
ସ୍ୱାଧୀନତା ସଂଗ୍ରାମୀ ଭୀମାବରମ ଅଲ୍ଲୁରୀ ସୀତାରାମ ରାଜୁଙ୍କ ୧୨୫ତମ ଜୟନ୍ତୀ ସମାରୋହରେ ଯୋଗଦେଇ ପ୍ରଧାନମନ୍ତ୍ରୀ ବିଜୟୱାଡାର ଗନ୍ନାବରମ୍ ଏୟାରପୋର୍ଟରୁ ହେଲିକପ୍ଟର ଯୋଗେ ଫେରୁଥିବାବେଳେ ଏୟାରପୋର୍ଟଠାରୁ ପ୍ରାୟ ୪କିମି ଦୂରରେ କଳା ବେଲୁନ୍ ଆକାଶରେ ଉଡୁଥିବା ଦେଖାଦେଇଥିଲା । ସୂଚନାନୁଯାୟୀ, ପ୍ରଧାନମନ୍ତ୍ରୀ ଏୟାରପୋର୍ଟରେ ପହଞ୍ଚôବା ମାତ୍ରେ କେତେକ କଂଗ୍ରେସ କାର୍ଯ୍ୟକର୍ତ୍ତା ‘ନରେନ୍ଦ୍ର ମୋଦି ଗୋ ବ୍ୟାକ୍’ ଧ୍ୱନି ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଉଡାଣ ଭରିବାର ୫ମିନିଟ୍ ପରେ ଆକାଶରେ କଳା ବେଲୁନ୍ ଦେଖିବାକୁ ମିଳିଥିଲା । ବିକ୍ଷୋଭକାରୀମାନେ ଏକ ନିର୍ମାଣାଧୀନ କୋଠା ଉପରୁ ବେଲୁନ୍ଗୁଡିକୁ ଛାଡିଥିଲେ ।
ଏହାର ଭିଡିଓ ସୋସାଲ୍ ମିଡିଆରେ ଭାଇରାଲ୍ ହୋଇଛି । କଂଗ୍ରେସ କର୍ମକର୍ତ୍ତାମାନେ ଛାଡିଥିବା କଳା ବେଲୁନ୍ଗୁଡିକ ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟରର ଅତି ନିକଟରେ ଉଡୁଥିବା ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳିଛି ।