ତାଳଧ୍ୱଜ ଓ ଦର୍ପଦଳନ ଚକରେ ଫାଟ

ଦକ୍ଷିଣମୋଡ଼ ପୂର୍ବରୁ ତିନି ରଥ ଯାଞ୍ଚ
ପୁରୀ (ବୁ୍ୟରୋ): ଭାଇ-ଭଉଣୀଙ୍କୁ ସାଥିରେ ଧରି ନବଦିନାତ୍ମକ ଯାତ୍ରାରେ ଆସିଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ ଏବେ ଜନ୍ମବେଦୀରେ ଲୀଳା କରୁଛନ୍ତି । ଆଡ଼ପ ମଣ୍ଡପରେ ଲୀଳାଖେଳ ସାରି ବାହୁଡ଼ାରେ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ଚତୁର୍ଦ୍ଧାବିଗ୍ରହ । ଏଥିପାଇଁ ଗୁଣ୍ଡିଚା ମନ୍ଦିର ମୁଖ୍ୟ ଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ରହିଛନ୍ତି ତିନିରଥ । ବାହୁଡ଼ା ପାଇଁ ରଥତ୍ରୟଙ୍କ ବୁଧବାର ଦକ୍ଷିଣ ମୋଡ଼ ହେବ । ତିନିରଥଙ୍କୁ ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିକୁ ନିଆଯିବା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି ।
ସୋମବାର ତିନିରଥ ଯାଞ୍ଚ କରାଯାଇଛି । ଭୋଇ ସେବକ, ମହାରଣା ସେବକ, ଓଝା ସେବକ, ରଥ ନିର୍ମାଣ କମିଟି ସଦସ୍ୟ ପ୍ରମୁଖ ତିନି ରଥକୁ ତନତନ କରି ଯାଞ୍ଚ କରିଛନ୍ତି । ଯାଞ୍ଚ ସମୟରେ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ଓ ଦର୍ପଦଳନ ଚକରେ ଫାଟ ଥିବା ଜଣାପଡ଼ିଛି । ଏସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ କହିଛନ୍ତି, ତିନିରଥ ଶ୍ରୀଗୁଣ୍ଡିଚା ମନ୍ଦିରରେ ଲାଗିବା ପରେ ଦକ୍ଷିଣମୋଡ଼ ପୂର୍ବରୁ ଯାଞ୍ଚ କରାଯାଇଥାଏ । ଏଥିରେ ଇଞ୍ଜିନିୟର, ୧୦ଜଣ ମହାରଣା ସେବକ, ଭୋଇ ଓ କମାର ସେବକ ଏବଂ ରଥ ନିର୍ମାଣ କମିଟି କର୍ମକର୍ତ୍ତାମାନେ ସାମିଲ ହୋଇଥିଲେ । ଯାଞ୍ଚ ସମୟରେ କିଛି ବଡ଼ଧରଣର ତ୍ରୁଟି ଦେଖିବାକୁ ମିଳିନାହିଁ । ଯେଉଁ ସବୁ ଚକରେ ଓ ପ୍ରଭାରେ ଫାଟ ହୋଇଛି ତାହାକୁ ମରାମତି କରାଯିବ । ସେହିଭଳି ବାହୁଡ଼ା ପୂର୍ବରୁ ମଧ୍ୟ ଆଉଥରେ ତିନିରଥ ଯାଞ୍ଚ କରାଯିବ । ରଥ ଦକ୍ଷିଣମୋଡ଼ ପାଇଁ ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିଥିବା ତତ୍ତ୍ୱାବଧାରକ ସୂଚନା ଦେଇଛନ୍ତି । ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ, ପରେ ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିରେ ରହିବ । ତିନିରଥକୁ ଆଜ୍ଞାମାଳ ବିଜେ ହେବା ପରେ ଦକ୍ଷିଣମୋଡ଼ ହେବ ବୋଲି ଜଣାପଡ଼ିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *