ଭାବପ୍ରବଣତାକୁ ସ୍ପର୍ଶ କରେ ସଙ୍ଗୀତ: ରିକି
୨୫ତମ ଓଡ଼ିଶା ନଲେଜ୍ ହବ୍ ଲେକ୍ଚର ସିରିଜ୍
ଭୁବନେଶ୍ୱର (ବୁ୍ୟରୋ): ଦୁଇଥର ଗ୍ରାମୀ ପୁରସ୍କାରପ୍ରାପ୍ତ ଭାରତୀୟ ସଂଗୀତ ରଚନା ତଥା ପରିବେଶବିତ୍ ଡକ୍ଟର ରିକି ଜି.କେଜ୍ ପରିବେଶ ତଥା ନିରନ୍ତରତା ଉପରେ ପିଲାମାନଙ୍କ ପାଇଁ ସଂଗୀତ- ‘ମାଇଁ ଆର୍ଥ ସଙ୍ଗ୍ସ’ ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଲୋକସେବା ଭବନର ସମ୍ମିଳନୀ କକ୍ଷରେ ୨୫ ଓଡ଼ିଶା ନଲେଜ୍ ହବ୍ ଲେକ୍ଚର ସିରିଜ୍ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଡ. କେଜ୍ ଓଡ଼ିଶାର ସୌନ୍ଦର୍ଯ୍ୟ ଏବଂ ମହାନତାକୁ ପ୍ରଶଂସା କରିବା ସହ ତାଙ୍କ ସଂଗୀତ କ୍ୟାରିୟର୍ର ଯାତ୍ରା ଏବଂ ତାଙ୍କ ସଂଗୀତ ପ୍ରକୃତି ସହିତ କିପରି ଜଡ଼ିତ ସେ ବିଷୟରେ ବର୍ଣ୍ଣନା କରିଥିଲେ ।
ଜଣେ ପରିବେଶବିତ୍ ଭାବରେ ବନ୍ୟଜନ୍ତୁ ଏବଂ ସେମାନଙ୍କ ବାସସ୍ଥାନକୁ ସୁରକ୍ଷା ଦେବା ଦିଗରେ ସେ ଉଦ୍ୟମ କରିଛନ୍ତି । ଜଳବାୟୁ ପରିବର୍ତ୍ତନ ଉପରେ ସେ ନିଜର ଅଭିଜ୍ଞତା ଉପସ୍ଥାପନ କରିଥିଲେ । ସେ କିରିବାଟି ଦ୍ୱୀପ ଦେଶର ଉଦାହରଣ ଦେଇ କହିଥିଲେ ଯେ, ବର୍ତ୍ତମାନର କାର୍ବନ୍ ନିର୍ଗମନର ଗତି ସ୍ଥିର ନହେଲେ ଏବଂ ସମୁଦ୍ର ପତ୍ତନ ବଢ଼ିବାରେ ଅଙ୍କୁଶ ନ ଲାଗିଲେ ଏହା ପ୍ରଥମ ଦେଶ ଭାବରେ ଜଳମଗ୍ନ ହେବାର ସମ୍ଭାବନା ରହିଛି । ସେ କହିଥିଲେ, ସଙ୍ଗୀତ ଲୋକଙ୍କ ଭାବପ୍ରବଣତାକୁ ସ୍ପର୍ଶ କରେ । ବିଶେଷକରି ଯୁବକ ଏବଂ ଭାବପ୍ରବଣ ମନକୁ ଆନେ୍ଦାଳିତ କରେ । ସମସ୍ତ ଜୀବଙ୍କ ପ୍ରତି ସେମାନଙ୍କ ମନୋଭାବରେ ପରିବର୍ତ୍ତନ ଆଣେ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବକ୍ତୃତାରେ ଯୋଗ ଦେଇଥିଲେ । ଡ. ରିକି ଜି.କେଜ୍ଙ୍କୁ ତାଙ୍କ ସଙ୍ଗୀତ ମାଧ୍ୟମରେ ପରିବେଶ ପ୍ରତି ସଚେତନତା ସୃଷ୍ଟି ନିମନ୍ତେ କରିଥିବା ପ୍ରଶଂସନୀୟ କାର୍ଯ୍ୟ ପାଇଁ ସାଧୁବାଦ ଜଣାଇଥିଲେ । ସେ ତାଙ୍କୁ ଓଡ଼ିଆରେ ସଙ୍ଗୀତରେ ସ୍ୱର ଦେବାକୁ ଅନୁରୋଧ କରିଥିଲେ । ଏହି ଅବସରରେ କୃଷି ମନ୍ତ୍ରୀ, ଯୋଜନା ଏବଂ ସଂଯୋଜନ ମନ୍ତ୍ରୀ, ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା, ମୁଖ୍ୟ ସଚିବ, ଉନ୍ନୟନ କମିଶନର, ବିଭିନ୍ନ ବିଭାଗର ସଚିବ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଶିକ୍ଷା, କଳା, ସଂସ୍କୃତି, ସାହିତ୍ୟ, ନୃତ୍ୟ ଏବଂ ସଂଗୀତ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତି ଏଥିରେ ଯୋଗ ଦେଇଥିଲେ । ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ଜିଲ୍ଲାସ୍ତରର କାର୍ଯ୍ୟକର୍ତ୍ତା ଏବଂ ବହୁ ବିଦ୍ୟାଳୟର ଛାତ୍ରଛାତ୍ରୀ ଏହି ବକ୍ତୃତା ଶୁଣିଥିଲେ ।