‘ଭଲ ହୃଦୟ, ଭଲ ମଣିଷ ତିଆରି କରେ’
କିସ୍ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ
ଭୁବନେଶ୍ୱର (ବୁ୍ୟରୋ): ଏକ ଭଲ ହୃଦୟ ଭଲ ମଣିଷ ତିଆରି କରେ ବୋଲି ସୁପରିଚିତ ବୌଦ୍ଧ ଧର୍ମଗୁରୁ ତଥା ରିପା ଅନ୍ତର୍ଜାତୀୟ କେନ୍ଦ୍ରର ଆଧ୍ୟାତ୍ମିକ ନିଦେ୍ର୍ଦଶକ ଗେତୃଲ୍ ଜିଗ୍ମେ ରିନ୍ପୋଚେ କହିଛନ୍ତି । ସୋମବାର କିସ୍ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରି ରିନ୍ପୋଚେ କହିଛନ୍ତି, କିସ୍ ଛାତ୍ରଛାତ୍ରୀଙ୍କ ସଫଳତାର ପଛରେ ଅନେକ ଲୋକଙ୍କ ଅବଦାନ ରହିଛି । ସେମାନଙ୍କ ପ୍ରତି କୃତଜ୍ଞ ରହିବା ଓ ସବୁବେଳେ ସମାଜର ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି ।
ପୁନେସ୍ଥିତ ଗୋଖଲେ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ପଲିଟିକ୍ସ୍ ଆଣ୍ଡ ଇକୋନୋମିକ୍ସ୍ର କୁଳାଧିପତି ତଥା ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଡ଼. ରାଜୀବ କୁମାର, ୟୁଏନ୍ଏପିର ଗୁଡ଼୍ୱିଲ୍ ଆମ୍ବାସାଡ଼ାର ତଥା ସୁଇଜରଲ୍ୟାଣ୍ଡସ୍ଥିତ ଜିଆଇଏସ୍ଟି ଆଡ଼ଭାଇଜରିର ପ୍ରତିଷ୍ଠାତା ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପବନ ଶୁଖ୍ଦେବ, ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଭାରତୀୟ ସଂଗୀତକାର ଡ଼. ରିକି. ଜି. କେଜ୍ ଓ ଗ୍ରୀନ୍ ବେଲ୍ଟ ଏବଂ ରୋଡ଼୍ ଇନ୍ଷ୍ଟିଚୁ୍ୟଟ୍ର ସଭାପତି ଏରିକ୍ ସୋଲେମ୍ଙ୍କୁ ଡ଼କ୍ଟରେଟ୍ ପ୍ରଦାନ କରାଯାଇଛି । ଡ଼. ରାଜୀବ କୁମାର, ପବନ ଶୁଖ୍ଦେବ, କେଜ୍ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । କିସ୍ ବିଶ୍ୱବିଦ୍ୟାଳୟର କୁଳାଧିପତି ସତ୍ୟ ଏସ୍ ତ୍ରିପାଠୀ କିସ୍ର ଯେଉଁ ନିଃସ୍ୱାର୍ଥ ସେବା ପରମ୍ପରା ରହିଛି ତାହାକୁ କାର୍ଯ୍ୟ କ୍ଷେତ୍ରରେ ଲଗାଇବାକୁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ ।
କାର୍ଯ୍ୟକ୍ରମରେ କିଟ୍ ଓ କିସ୍ ସଭାପତି ଶାଶ୍ୱତୀ ବଳ, ସମ୍ପାଦକ ଆର ଏନ୍ ଦାଶ, କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତ, କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତା ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ । କିସ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଦୀପକ କୁମାର ବେହେରା ବିଶ୍ୱବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ କୁଳସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ୩ଜଣଙ୍କୁ ପିଏଚ୍ଡି ଡିଗ୍ରୀ ପ୍ରଦାନ କରାଯାଇଥିବା ବେଳେ ସ୍ନାତକୋତ୍ତରରେ ଉକ୍ରର୍ଷ ପ୍ରତିପାଦିତ କରିଥିବା ୨ଛାତ୍ରଙ୍କୁ ପ୍ରତିଷ୍ଠାତା ସ୍ୱର୍ଣ୍ଣ ପଦକ, ୧୪ ଜଣଙ୍କୁ କୁଳଧିପତି ସ୍ୱର୍ଣ୍ଣ ପଦକ ଓ ୧୪ଜଣଙ୍କୁ କୁଳପତି ରୌପ୍ୟ ପଦକ ପ୍ରଦାନ କରାଯାଇଥିଲା ।