ବିଧାନସଭାରେ ଘେରିବେ ବିରୋଧୀ

ରୁଚିକାଙ୍କ ମୃତୁ୍ୟରୁ ହଟୁନି ପର୍ଦ୍ଦା
ଭୁବନେଶ୍ୱର,୩ା୭(ବୁ୍ୟରୋ): ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣା ଉପରୁ ଏପର୍ଯ୍ୟନ୍ତ ପର୍ଦ୍ଦା ହଟିପାରିନି । ରୁଚିକାଙ୍କ ଆତ୍ମହତ୍ୟାକୁ ନେଇ ବିଭିନ୍ନ ଛାତ୍ର ସଂଗଠନ ରାସ୍ତାକୁ ଓହ୍ଲାଇଛନ୍ତି । ରାଗିଂ ପାଇଁ ଜଣେ ମେଧାବୀ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ ଆସିବା ପରେ ବିଜେବି କ୍ୟାମ୍ପସ ହୁଲସ୍ତୁଲ । ରୁଚିକାଙ୍କ ବାପା ବଡ଼ଗଡ଼ ଥାନାରେ କଲେଜ ବିରୋଧରେ ଅଭିଯୋଗ କରିଥିବାବେଳେ ଉପଯୁକ୍ତ ନ୍ୟାୟ ଦାବି କରିଛନ୍ତି । ସେ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି । ଅନ୍ୟପକ୍ଷରେ ଏ ପ୍ରସଙ୍ଗରେ ସରକାରଙ୍କୁ ବିଧାନସଭାରେ ଘେରିବା ପାଇଁ ବିରୋଧୀ ପ୍ରସ୍ତୁତ ହୋଇଛନ୍ତି ।
ରାଗିଂ ଯୋଗୁ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ରାଜନୀତି ଜୋର୍ ଧରିଛି । ଶିକ୍ଷାନୁଷ୍ଠାନରେ ରାଗିଂ ରୋକିବାକୁ ନାମକୁ ମାତ୍ର ଆଣ୍ଟି ରାଗିଂ ସ୍କ୍ୱାଡ୍ ରହିଥିବା ଅଭିଯୋଗ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ । ସେ କହିଛନ୍ତି, ସରକାର ରାଗିଂକୁ ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ପ୍ରସଙ୍ଗକୁ ବିଧାନସଭାରେ ଦଳ ପକ୍ଷରୁ ଉଠାଯିବ ।
ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ସରକାରଙ୍କ ନିୟନ୍ତ୍ରଣ ନଥିବା ଜଣାପଡ଼ୁଛି । ଭବିଷ୍ୟତରେ ଏଭଳି ଘଟଣା ଘଟିଲେ ରାଜ୍ୟ ସରକାର ଦାୟୀ ରହିବେ । ଏ ଘଟଣାରେ ଖୁବ୍ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ବିଧାନସଭାରେ ଦାବି କରିବ । ଅନ୍ୟପକ୍ଷରେ କଂଗ୍ରେସ ମଧ୍ୟ ଏ ପ୍ରସଙ୍ଗରେ ବିଧାନସଭାରେ ସରକାରଙ୍କୁ ପ୍ରଶ୍ନ କରିବ ବୋଲି ସୂଚନା ମିଳିଛି । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ଶୀଘ୍ର ଦୋଷୀକୁ ଗିରଫ କରାଯାଉ ବୋଲି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଦାବି କରିଛନ୍ତି ।
ଆଗାମୀ ଦିନରେ କଂଗ୍ରେସ ଏ ପ୍ରସଙ୍ଗ ମଧ୍ୟ ଗୃହରେ ଉଠାଇବ ବୋଲି ସେ କହିଛନ୍ତି । ରୁଚିକାଙ୍କ ଅକାଳ ବିୟୋଗରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ରୁଚିକା ଜଣେ ମେଧାବୀ ଛାତ୍ରୀ ଥିଲେ । ସେ ମହାବିଦ୍ୟାଳୟର କାରୁବାକୀ ଛାତ୍ରୀନିବାସରେ ରହୁଥିଲେ । ତାଙ୍କର ଅକାଳ ବିୟୋଗରେ ସେ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ଏହା ଏକ ସମ୍ବେଦନଶୀଳ ଘଟଣା । ଏହାର ପୁଲିସ୍ ତଦନ୍ତ ରିପୋର୍ଟ ହସ୍ତଗତ ହେବା ପରେ ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ । ମନ୍ତ୍ରୀ ଶ୍ରୀ ପୂଜାରୀ ଶୋକସନ୍ତପ୍ତ ପରିବାରଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।
ଅନ୍ୟପକ୍ଷରେ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରାଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍ ଘଟଣାର ତଦନ୍ତ ପାଇଁ ବିଜେବି କଲେଜକୁ ଯାଇ ପଚରାଉଚରା କରିଛନ୍ତି । ହଷ୍ଟେଲ୍ର କର୍ମକର୍ତ୍ତା ଏବଂ ଛାତ୍ରୀଙ୍କ ସହ ଆଲୋଚନା କରାଯାଇଛି । ମହିଳା କମିଶନ ଅଧ୍ୟକ୍ଷା କହିଛନ୍ତି, ପ୍ରାରମ୍ଭିକ ତଦନ୍ତ ଶେଷ କରି ଫେରିଛୁ । ଏଭଳି ଘଟଣା ଦୁଃଖଦାୟକ । ପ୍ରାରମ୍ଭିକ ଭାବେ ଏ ଘଟଣା ସଂକ୍ରାନ୍ତୀୟ ଖବର ବୁଝିଛୁ । ଆଗକୁ ଅନୁସନ୍ଧାନ ଜାରି ରହିବ । ସରକାରଙ୍କୁ ଏ ବିଷୟରେ ଅବଗତ କରାଯିବ । କେଉଁ ପରିସ୍ଥିତିରେ ଛାତ୍ରୀଜଣକ ଆତ୍ମହତ୍ୟା କଲେ ସେନେଇ ଅନୁଧ୍ୟାନ କରିଛନ୍ତି ମହିଳା କମିଶନ ଅଧ୍ୟକ୍ଷା ।
ରୁଚିକାଙ୍କୁ ନ୍ୟାୟ ଦାବିରେ ବହୁ ସଂଗଠନ ରାସ୍ତାକୁ ଓହ୍ଲାଇଛନ୍ତି । ବିଜେବି କଲେଜ ଫାଟକ ଆଗରେ ନବନିର୍ମାଣ ଛାତ୍ର ସଂଗଠନ ପକ୍ଷରୁ ଧାରଣା ଦିଆଯାଇଥିବାବେଳେ ସେଠାରେ ରୁଚିକାଙ୍କ ବାପା-ମା’ ସାମିଲ୍ ହୋଇଛନ୍ତି । ଏଆଇଏସ୍ଏଫ୍ ପକ୍ଷରୁ ରାଗିଂ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସେହିପରି ବିଜେବି କଲେଜ ଷ୍ଟୁଡେଣ୍ଟ ଆସୋସିଏସନ୍ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଛି । ଅନ୍ୟପଟେ ପୁଲିସ୍ ଏକ ୪ ଜଣିଆ ଟିମ୍ ଗଠନ କରି ଘଟଣାର ଖୋଳତାଡ଼ କରୁଛି । ଭୁବନେଶ୍ୱର ଅତିରିକ୍ତ ଡିସିପିଙ୍କ ନେତୃତ୍ୱରେ ଗଠିତ ଟିମ୍ରେ ଭୁବନେଶ୍ୱର ଜୋନ୍-୪ ଏସିପି ପରେଶ କୁମାର ରାଉତ, ବଡ଼ଗଡ଼ ଥାନାଧିକାରୀ ଏବଂ ଜଣେ ସବ୍ଇନ୍ସପେକ୍ଟର । ସମସ୍ତେ ରୁଚିକା ରହୁଥିବା କାରୁବାକୀ ହଷ୍ଟେଲ୍ର ୧୩୪ ଜଣ ଅନ୍ତେବାସୀଙ୍କୁ ପଚରାଉଚରା କରୁଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *