ଲକ୍ଷ୍ୟଠାରୁ ଲକ୍ଷେ କ୍ୱିଣ୍ଟାଲ୍ କମ୍

ଉନ୍ନତମାନର ବିହନ ବିକ୍ରି ନୈରାଶ୍ୟଜନକ
ଭୁବନେଶ୍ୱର (ତଥ୍ୟ): ଚଳିତ ବର୍ଷ ରାଜ୍ୟରେ ଧାନ ଉତ୍ପାଦନ ହ୍ରାସ ହୋଇପାରେ । ଉନ୍ନତମାନର ବିହନ ବିକ୍ରିରେ ମାନ୍ଦାବସ୍ଥା ଯୋଗୁଁ ଏଭଳି ଆଶଙ୍କା ପ୍ରକାଶ କରାଯାଉଛି । ରାଜ୍ୟ ବିହନ ନିଗମ ପ୍ରତିବର୍ଷ ଚାଷୀମାନଙ୍କୁ ଉନ୍ନତମାନର ଧାନ ବିହନ ଯୋଗାଇଥାଏ । ପୂର୍ବରୁ ଚାଷୀମାନଙ୍କୁ ସବସିଡିଯୁକ୍ତ ଧାନ ବିହନ କମ୍‌ ଦାମରେ ମିଳୁଥିବାବେଳେ ଚଳିତବର୍ଷ କିନ୍ତୁ କର୍ତ୍ତୃପକ୍ଷ ବ୍ୟବସ୍ଥାରେ ପରିବର୍ତ୍ତନ କରି ପ୍ରଥମେ ପୂର୍ଣ୍ଣ ଅର୍ଥ ଦେଇ ନେବାକୁ କହିଛନ୍ତି । ଚାଷୀ ପ୍ରଥମେ ବିହନର ପୂରା ଦାମ୍‌ ଦେବ ଓ ପରେ ସବସିଡ୍‌ ଅର୍ଥ ତାଙ୍କ ବ୍ୟାଙ୍କ୍‌ ଖାତାକୁ ଡିବିଟି ଆକାରରେ ଯିବ ।
ଡିବିଟି ଆକାରରେ ମିଳିବାକୁ ଥିବା ଅର୍ଥ ପାଇଁ ବିଭିନ୍ନ କାଗଜପତ୍ର ସହିତ ଓଟିପି ଯୋଡିହୋଇ ଥିବାରୁ ଅଧିକାଂଶ ସ୍ଥାନରେ ଗାଁ ଗହଳର ଚାଷୀମାନେ ନେଟୱାର୍କ ଓ ସ୍ମାର୍ଟଫୋନ୍‌ ସମସ୍ୟା ଯୋଗୁଁ ସବସିଡ୍‌ ଅର୍ଥ ପାଇବାରେ ସମସ୍ୟା ଦେଖାଦେଉଛି । ସେହିଭଳି ଏକକାଳୀନ ପୂରା ଦାମ୍‌ ଦେଇ ବିହନ ନେବାକୁ ବି ଅନେକ ଚାଷୀ ଅକ୍ଷମ । ଫଳରେ ଚଳିତବର୍ଷ ପ୍ରମାଣିକ ଧାନ ବିହନ ବିକ୍ରି ପରିମାଣ ବର୍ତ୍ତମାନ ସୁଦ୍ଧା ପ୍ରାୟ ଏକ ଲକ୍ଷ କ୍ୱିଣ୍ଟାଲ କମ୍‌ ରହିଛି । ଏବେ ସୁଦ୍ଧା ଚାଷୀମାନେ ୨ଲକ୍ଷ ୩୩ହଜାର କ୍ୱିଣ୍ଟାଲ ଧାନ ବିହନ ନେଇଛନ୍ତି । ଗତବର୍ଷ ଏହି ସମୟ ସୁଦ୍ଧା ପାଖାପାଖି ସାଢେ ୩ ଲକ୍ଷ କ୍ୱିଣ୍ଟାଲ ଧାନ ବିହନ ବିକ୍ରି ହୋଇଥିଲା । ରାଜ୍ୟର ବହୁ ସ୍ଥାନରେ ଚାଷୀମାନେ ଧାନ ବୁଣିବା ସହିତ ତଳି ପକାଇବା ଆରମ୍ଭ କରିଥିବାରୁ ପୂର୍ବବର୍ଷ ଭଳି ବିହନ ବିକ୍ରି ହେବନାହିଁ ବୋଲି ଆଶଙ୍କା ପ୍ରକାଶ କରାଗଲାଣି ।
ଚଳିତବର୍ଷ ବିହନ ବିକ୍ରି କ୍ଷେତ୍ରରେ ଡିବିଟି ଏବଂ ଓଟିପି ଦାୟୀ ବୋଲି ଚାଷୀମାନେ ମତ ଦେଉଛନ୍ତି । ସେମାନଙ୍କ କହିବାକଥା ଯେ ପୂର୍ବରୁ କୃଷି ବିଭାଗ ଦ୍ୱାରା ସେମାନଙ୍କର ପଞ୍ଜୀକରଣ ହେବା ସହିତ ଏଥିରେ ବ୍ୟାଙ୍କ୍‌ ଆକାଉଣ୍ଟ, ଆଧାର ନମ୍ବର ଆଦି ଦିଆଯାଇଛି । ଏହାକୁ ବି ଏନ୍‌ଆଇସି ଯାଞ୍ଚ କରିଛି । ତେଣୁ ସେଥିରେ ସିଧାସଳଖ ସବସିି୍‌ ଅର୍ଥ ପଠାଯାଇ ପାରିବ । କିନ୍ତୁ କର୍ତ୍ତୃପକ୍ଷ ଏଥିରେ ଯେଉଁ ଓଟିପି ବ୍ୟବସ୍ଥା କରିଛନ୍ତି ତାହା ସମସ୍ୟା ସୃଷ୍ଟି କରିଛି । ଗାଁ ଗହଳରେ ନେଟୱାର୍କ ସମସ୍ୟା ଏହାକୁ ବହୁଗୁଣିତ କରିଛି । ତେଣୁ ଚାଷୀମାନେ ସହଜରେ ବିହନ ଖରିଦ କରିପାରୁ ନାହାନ୍ତି ।
ବିହନ ନିଗମ ସହିତ କୃଷି ବିଭାଗର ବାବୁମାନେ କ୍ଷେତ୍ର ସ୍ତରର ସମସ୍ୟା ସଂକ୍ରାନ୍ତରେ ଠିକଣା ଭାବେ ଅବଗତ ହେଉନଥିବାରୁ ଏଭଳି ସ୍ଥିତି ଉପୁଜିଛି । କାରଣ ୨୦୧୬-୧୭ ମସିହାରେ ଏଭଳି ନୀତି ଆପଣେଇ ବିହନ ନିଗମ ପ୍ରାୟ ୨୬ କୋଟି ଟଙ୍କା କ୍ଷତି ସହିଥିଲା । ଏହାପରେ କର୍ତ୍ତୃପକ୍ଷ ଏହି ବ୍ୟବସ୍ଥାକୁ ବନ୍ଦ କରିଥିଲେ । ହେଲେ ଚଳିତବର୍ଷ ପୁଣିଥରେ ଏହାକୁ ଲାଗୁ କରିବା ଏବେ ବିହନ ନିଗମ ପାଇଁ କାଳ ହେବାକୁ ଯାଉଛି । ଏଥିଯୋଗୁଁ ଚଳିତବର୍ଷ ନିଗମ ପ୍ରାୟ ୧୦କୋଟି ଟଙ୍କାର କ୍ଷତି ସହିବା ଆଶଙ୍କା ପ୍ରକାଶ ପାଇଲାଣି ।
ଉନ୍ନତମାନର ବିହନ ବିକ୍ରି ହ୍ରାସ ପାଉଥିବାରୁ ଏହାର ପ୍ରଭାବ ରାଜ୍ୟର ଧାନ ଉତ୍ପାଦନ ଉପରେ ପଡିବା ସହିତ ବିହନ ଚାଷ ମଧ୍ୟ ହ୍ରାସ ପାଇବ ବୋଲି କୁହାଯାଉଛି । କାରଣ ବିହନ ବିକ୍ରି କମୁଥିବାରୁ ନିଗମ କର୍ତ୍ତୃପକ୍ଷ ଧାନ ବିହନ ଉତ୍ପାଦନ ହ୍ରାସ କରିବାରେ ଲାଗିଛନ୍ତି । ଏଭଳି ସ୍ଥିତିରେ କ୍ଷେତ୍ର ସ୍ତରର ସ୍ଥିତି ଅନୁଧ୍ୟାନ କରିବା ସହିତ ବିହନ ବିକ୍ରି କିଭଳି ସହଜ ଓ ସରଳ ହେବ ସେ ଦିଗରେ ପଦକ୍ଷେପ ନେବାକୁ ଚାଷୀମାନେ ଦାବି କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *